ଡାକ୍ତର ସାଜିଲେ ଦେବଦୂତ: ସଞ୍ଜୁଙ୍କୁ ମିଳିବ ନୂଆ ଜୀବନ

ଫନିରେ ଉଡ଼ି ଯାଇଥିବା ଛପର ମରାମତି ବେଳେ ଖସି ପଡ଼ିଥିଲେ
ଭାଙ୍ଗି ଯାଇଥିଲା ଅଣ୍ଟା ଓ ଜଂଘ ହାଡ଼
କ୍ୟାପିଟାଲ ହସ୍ପିଟାଲରେ ଆଜି ହେବ ଅପରେସନ୍‌

ଭୁବନେଶ୍ବର : ଜମିବାଡ଼ି କହିଲେ ଖାଲି ଘର ଡିହ, ଘର କହିଲେ ମାଟି କାନ୍ଥ ଉପରେ ନଡ଼ା ଛପର। ସେ ନଡ଼ା ଛପର ଘର ବି ଗତ ଫନି ବାତ୍ୟାରେ ଭାଙ୍ଗି ଯାଇଥିଲା। ବର୍ଷା ଛାଡ଼ୁଛାଡ଼ୁ ପବନରେ ଉଡ଼ି ଯାଇଥିବା ଛପର ଉପରେ ପଲିଥିନ୍‌ ଢାଙ୍କୁଥିଲେ। ଗୋଡ଼ ଖସି ଯିବାରୁ ପ୍ରାୟ ୧୦ ଫୁଟ୍‌ ଉଚ୍ଚରୁ ଖସି ପଡ଼ିଥିଲେ। ଫଳରେ ଅଣ୍ଟା ଓ ଜଂଘ ହାଡ଼ ଭାଙ୍ଗି ଯାଇଥିଲା। ଡାକ୍ତରଖାନା ଯାଇଥିଲେ, ହେଲେ ଅପରେସନରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେବ ଶୁଣି ଘରକୁ ଚାଲି ଆସିଲେ। ଅଣ୍ଟା ତଳକୁ ଅଚଳ ହୋଇ ଯାଇଥିବାବେଳେ ଆସ୍ତେ ଆସ୍ତେ ସମଗ୍ର ଶରୀର ଅଚଳ ଆଡ଼କୁ ଗତି କରୁଥିଲା। କିଛି ବୁଦ୍ଧିବାଟ ଦିଶୁନଥିଲା, କେବଳ ମୃତ୍ୟୁକୁ ଯେମିତି ଅପେକ୍ଷା କରିଥିଲେ ସେ। ଶଯ୍ୟାଶାୟୀ ୩୨ ବର୍ଷର ଭେଣ୍ଡିଆ ପୁଅର ସେବା କରୁଥିଲେ ବିଧବା ମା’। ଏତିକିବେଳେ ଦେବଦୂତ ସାଜିଥିଲେ ଜଣେ ଡାକ୍ତର। ଏମିତି ପ୍ରାୟ ୧୭ ମାସ କାଳ ବିଛଣାରେ ପଡ଼ି ରହିବା ପରେ ସୋସିଆଲ ମିଡିଆରେ ତାଙ୍କର ଦୁଃଖ କାହାଣୀ ଉପରେ ନଜର ପଡ଼ିଲା କ୍ୟାପିଟାଲ ହସ୍‌ପିଟାଲର ଡାକ୍ତର ସୁବ୍ରତ ମହାନ୍ତିଙ୍କର। ତୁରନ୍ତ ସେ ଯୋଗାଯୋଗ କରି ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଆଜି ଅପରାହ୍ନରେ ତାଙ୍କୁ ମେଡିକାଲ ଅଣାଯିବା ସହ ଏକ୍ସ-ରେ କରାଯାଇଛି। ଆସନ୍ତାକାଲି ଅପରେସନ ହେବ। ଆଉ ସେ ସୁସ୍ଥ ହୋଇ ପୁଣି ପରିବାରର ସାହା ହୋଇ ପାରିବେ ବୋଲି ଭରସା ଦେଇଛନ୍ତି ଡା. ମହାନ୍ତି।

ଏହି ନୂଆ ଜୀବନ ପାଇବାକୁ ଯାଉଥିବା ଯୁବକ ହେଉଛନ୍ତି, ପୁରୀ ସମଗରାର ସଞ୍ଜୁ ଜେନା। ବାପା ଅନେକ ଦିନରୁ ଚାଲି ଯାଇଥିଲେ। ‘ଫନି’ର କିଛି ଦିନ ପୂର୍ବରୁ ତାଙ୍କର ବିବାହ ହୋଇଥିଲା। ହେଲେ ସେ ଚାଳରୁ ପଡ଼ି ଅକର୍ମଣ୍ୟ ହୋଇଯିବା ପରେ ପତ୍ନୀ ମଧ୍ୟୂ ତାଙ୍କୁ ଛାଡ଼ି ବାପଘରକୁ ଚାଲି ଯାଇଥିଲେ। ଫନିରେ ଭାଙ୍ଗି ଯାଇଥିବା ଘର ପାଇଁ କୌଣସି କ୍ଷତିପୂରଣ ମଧ୍ୟ ମିଳିନଥିଲା। ଚିକିତ୍ସା‌ ପାଇଁ କେହି ଟଙ୍କାଟିଏ ସାହାଯ୍ୟ କରିନଥିଲେ। ଭଙ୍ଗା ଘରେ ପଲିଥିନ୍‌ ଢାଙ୍କି ମା’ ପୁଅ ପଡ଼ି ରହିଥିଲେ। ଏକମାତ୍ର ରୋଜଗାରିଆ ପୁଅ ଅକର୍ମଣ୍ୟ ହୋଇଥିବାରୁ ଆଉ କିଛି ରୋଜଗାରର ମାଧ୍ୟମ ମଧ୍ୟ ନଥିଲା। ମା’ ପୁଅଙ୍କର ଏହି ଦୁଃଖ କାହାଣୀକୁ ସୁଶୀଲ ସାହୁ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ଏହାକୁ ଦେଖି କିଛି ଲୋକ ଆର୍ଥିକ ସହାୟତା ମଧ୍ୟ କରିଥିଲେ। ତେବେ ଡା. ମହାନ୍ତିଙ୍କ ନଜର ପଡ଼ିବା ପରେ ଏବେ ସଞ୍ଜୁଙ୍କ ଚିକିତ୍ସା ପାଇଁ ବାଟ ଖୋଲିଛି। ସେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ପହଞ୍ଚିବା ପରେ ବାପଘରକୁ ଚାଲି ଯାଇଥିବା ପତ୍ନୀ ମଧ୍ୟ ହସ୍ପିଟାଲରେ ଆସି ପହଞ୍ଚିଛନ୍ତି। ଡା. ମହାନ୍ତିଙ୍କର ଏହି ବଦାନ୍ୟତା ପାଇଁ ସୋସିଆଲ୍‌ ମିଡିଆରେ ପ୍ରସଂଶାର ସୁଅ ଛୁଟିଛି। ଏହାଛଡ଼ା ସମସ୍ତେ ସଞ୍ଜୁଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ସମ୍ବନ୍ଧିତ ଖବର