ଆଧ୍ୟାତ୍ମିକ ଗ୍ରନ୍ଥ ଦ୍ବାରା ଜ୍ଞାନ ପରିମାର୍ଜିତ ହୁଏ: ଶଙ୍କରାଚାର୍ଯ୍ୟ

କିସ୍‌ରେ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର: ଆଧ୍ୟାତ୍ମିକ ଗ୍ରନ୍ଥ ଜୀବନଧାରଣର ଅନ୍ୟତମ ମାଧ୍ୟମ। ଆଧ୍ୟାତ୍ମିକ ଗ୍ରନ୍ଥ ଦ୍ୱାରା ଜ୍ଞାନ ପରିମାର୍ଜିତ ହେବା ସହ ଜୀବନଧାରଣ ମାନ ବିକଶିତ ହୋଇଥାଏ ବୋଲି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହଛନ୍ତି। କିସ୍‌ ଶ୍ରୀବାଣୀକ୍ଷେତ୍ରରେ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାରକୁ ଉଦ୍‌ଘାଟନ କରି ସେ କହିଲେ, ବିଦ୍ୟା ଓ କଳା ମଧ୍ୟରେ ପ୍ରଭେଦ ରହିଛି। ବାଣୀ ଦ୍ବାରା ଯେଉଁ ସବୁ ନିଷ୍ପତ୍ତି ହୋଇଥାଏ ତାହା ହେଉଛି ବିଦ୍ୟା। ମୌନ ଭାବେ ଯେଉଁ ସବୁ ନିଷ୍ପତ୍ତି ହୋଇଥାଏ ତାହା ହେଉଛି କଳା। ବିଜ୍ଞାନ, ଗଣିତ, ରାଜନୀତି, ଅର୍ଥନୀତି ଆଦି ସବୁର ମୂଳ ହେଉଛି ବେଦ। ଏସବୁ ବୈଦିକ ମହର୍ଷିଙ୍କ ଦ୍ୱାରା ବିକଶିତ ହୋଇଛି। ଔଷଧାଳୟରେ ଯେପରି ଜୀବନ ରକ୍ଷାକାରୀ ଓ ଜୀବନ ନାଶକାରୀ ଔଷଧ ରହିଥାଏ, ଗ୍ରନ୍ଥାଗାରରେ ମଧ୍ୟ ତାରକ ଓ ମାରକ ଦୁଇ ପ୍ରକାର ଗ୍ରନ୍ଥ ରହିଥାଏ। ପ୍ରାମାଣିକ ଗୁରୁ ପରମ୍ପରା ଅନୁସାରେ ଅଧ୍ୟୟନ ଓ ଅନୁଶୀଳନ କରାଗଲେ ତାହା ଆମ ପାଇଁ ଲାଭ ଦାୟକ ହୋଇଥାଏ। ଆମେ ଯେଉଁ ଗ୍ରନ୍ଥକୁ ବୁଝିପାରିବା ସେହି ଗନ୍ଥକୁ ପଢ଼ିବା ଉଚିତ। ଜଣେ ବ୍ୟକ୍ତି ଯଦି ଜ୍ଞାନ ବାହାରେ ଅନଧିକୃତ ଭାବେ ଗ୍ରନ୍ଥ ଅଧ୍ୟୟନ କରିବ ତେବେ ତାହା ତା’ପାଇଁ କ୍ଷତିକାରକ ହେବ ବୋଲି ଶଙ୍କରାଚାର୍ଯ୍ୟ ମତପ୍ରକାଶ କରିଥିଲେ।

କିଟ୍‌ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଆଧ୍ୟାତ୍ମିକ ଗ୍ରନ୍ଥାଗାର ସମସ୍ତଙ୍କ ପାଇଁ ସହାୟକ ହେବ ବୋଲି ସେ କହିଥିଲେ। କାର୍ଯ୍ୟ୍ରମରେ କିସ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଗ୍ରନ୍ଥାଗାର ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ୍‌ ସାମନ୍ତ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ପୀଠର ସ୍ବାମୀଜୀ, ବାବା ରାମନାରାୟଣ ଦାସ, ସ୍ବାମୀ ଶିବ ଚିଦାନନ୍ଦ ସରସ୍ବତୀ, ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ, ଗୋବର୍ଦ୍ଧନ ପୀଠର ମାତୃ ପ୍ରସାଦ ମିଶ୍ର, ମନୋଜ ରଥଙ୍କ ସମେତ ବହୁ ସାଧୁସନ୍ଥ ଏହି ଧର୍ମସଭାରେ ଉପସ୍ଥିତ ଥିଲେ। ଏହି ଗ୍ରନ୍ଥାଗାରରେ ବିଭିନ୍ନ ଧର୍ମଗ୍ରନ୍ଥ ଓ ଧର୍ମ ପୁସ୍ତକ ସ୍ଥାନ ପାଇଛି। ଏହି ଅବସରରେ ଶଙ୍କରାଚାର୍ଯ୍ୟ ଡେଣ୍ଟାଲ କଲେଜ ଓ କିମ୍‌ସ ପରିଦର୍ଶନ କରିବା ସହ ସେଠାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସୁବିଧା ସମ୍ପର୍କରେ ବୁଝିଥିଲେ। ଶ୍ରୀବାଣୀକ୍ଷେତ୍ରରେ ଥିବା ଆଧ୍ୟାତ୍ମିକ କୁଟୀରରେ ଶଙ୍କରାଚାର୍ଯ୍ୟ ରାତ୍ରିଯାପନ କରିଥିଲେ।

ସମ୍ବନ୍ଧିତ ଖବର