ପାଇକରାପୁର ଆର୍‌ଆଇ ସର୍କଲ୍‌କୁ ଆସିଲା ଶଙ୍କରପୁର ମୌଜା

ଭୁବନେଶ୍ବର : ଭୁବନେଶ୍ବର ତହସିଲ୍‌ ଅଧୀନସ୍ଥ ଘାଟିକିଆ ସଂଲଗ୍ନ ଶଙ୍କରପୁର ମୌଜା ପାଇକରାପୁର ଆର୍‌ଆଇ ସର୍କଲ୍ ଅଧୀନକୁ ଆସିଛି। ପୂର୍ବରୁ ଏହି ମୌଜା ପାଇକରାପୁର ଆର୍‌ଆଇ ସର୍କଲ୍ ଅଧୀନରେ ଥିଲା। କିନ୍ତୁ ୨୦୧୪ରେ ଏହାକୁ ରେତଙ୍ଗ ଆର୍‌ଆଇ ସର୍କଲ୍ ଅଧୀନକୁ ନିଆଗଲା। ଏହି ମୌଜାରେ ଗାଡ଼କଣ ଗ୍ରାମବାସୀଙ୍କ ଜମି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଏ ନେଇ ଅସନ୍ତୋଷ ସୃଷ୍ଟି ହେଲା। ଯେହେତୁ ରେତଙ୍ଗ ଆର୍‌ଆଇ କାର୍ଯ୍ୟାଳୟ ଦୂରରେ ରହିଛି, ତେଣୁ ଲୋକମାନେ ଅସୁବିଧାର ସାମ୍ନା କଲେ। ଏହାକୁ ପୁନର୍ବାର ପାଇକରାପୁର ଆର୍‌ଆଇ ସର୍କଲ୍‌କୁ ଆଣିବା ପାଇଁ ଦାବି ଉଠିଲା। ଏ ନେଇ ଲୋକମାନେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅବଗତ କରାଇଥିଲେ। ଏହି ପ୍ରସଙ୍ଗରେ ଶ୍ରୀ ପଣ୍ଡା ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ କ୍ଷେତ୍ର ସ୍ତରରେ ବାସ୍ତବ ସ୍ଥିତିକୁ ଯାଞ୍ଚ୍ କରାଯାଇ ଶଙ୍କରପୁର ମୌଜାକୁ ପୂର୍ବ ପରି ପାଇକରାପୁର ଆର୍‌ଆଇ ସର୍କଲ୍‌ରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର୍ ଦିଲ୍ଲୀପ ମାଝୀଙ୍କ ସମେତ ବହୁ ଲୋକ ଶ୍ରୀ ପଣ୍ଡାଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର