ଖଣ୍ଡଗିରି: ଖରା ବର୍ଷାର ଲୁଚକାଳି ଭିତରେ ସ୍ନାନବେଦିରୁ ମହାପ୍ରଭୁଙ୍କୁ ଦର୍ଶନକରି ବିଭୋର ହୋଇଛନ୍ତି ଭକ୍ତ। ରାଜଧାନୀର ସମସ୍ତ ମନ୍ଦିରରେ ପୂଜା ନୀତିକାନ୍ତି ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ଧରି ବଡ଼ଠାକୁର ଜଗନ୍ନାଥ ସ୍ନାନ‌ବେଦିକୁ ପହଣ୍ଡି ବିଜେ କରିଥିଲେ। ସେବାୟତମାନେ ୧୦୮ ଗରା ଶୀତଳ ଜଳ ବୋହି ଚତୁର୍ଦ୍ଧାମୂର୍ତ୍ତିଙ୍କ ଉପରେ ଢ଼ାଳି ଥିଲେ। ପବିତ୍ର ଦେବସ୍ନାନ ପରେ ଚାରି ଠାକୁରଙ୍କ ମନଲୋଭା ଗଜବେଶ ଦେଖିବାକୁ ମିଳିଥିଲା। ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ଅବସରରେ ବଡ଼ଠାକୁରଙ୍କ ଏହି ଦିବ୍ୟଲୀଳା ରାଜଧାନୀରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସବୁ ଜଗନ୍ନାଥ ମନ୍ଦିରରେ ଆଜି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Advertisment

ଇସ୍କନ୍‌ ମନ୍ଦିର
ନୂଆପଲ୍ଲୀସ୍ଥିତ ଇସ୍କନ୍ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନପୂର୍ଣ୍ଣମୀ ଯଥାବିଧି ପାଳିତ ହୋଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟ ମନ୍ଦିର ଭିତରେ ସ୍ନାନଯାତ୍ରା କରାଯାଇଥିଲା। ଭୋର୍ ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ପରେ ମଙ୍ଗଳଆଳତି, ବାଳଭୋଗ କରାଯାଇ ପ୍ରାୟ ସାଢ଼େ ୯ଟା ବେଳକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ଅସ୍ଥାୟୀ ସ୍ନାନବେଦିକୁ ଅଣାଯାଇଥିଲା। ସେଠାରେ ତୀର୍ଥଜଳରେ ସ୍ନାନ କରାଯାଇଥିଲା। ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ସ୍ନାନାଭିଷେକ ପରେ ମହାପ୍ରଭୁଙ୍କ ଗଜାନନ ବେଶ କରାଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳେ ଶ୍ରୀବିଗ୍ରହମାନେ ଅଣସର ଘରକୁ ପ୍ରବେଶ କରିଥିଲେ। କାର୍ଯ୍ୟକ୍ରମକୁ ମନ୍ଦିରର ବରିଷ୍ଠ ଭକ୍ତ ଶ୍ରୀପାଦ ସାତ୍ତ୍ୱତିପତି ଦାସ, ଉପେନ୍ଦ୍ର ମିଶ୍ର ଦାସ, ବୈକୁଣ୍ଠମୂର୍ତ୍ତି ଦାସ, ମଦନମୋହନ ଦାସ, ଗୁଣାର୍ଣ୍ଣବ ଦାସ, ସାକ୍ଷୀଗୋପାଳ ଦାସ ଓ ବନମାଳୀ ଜଗନ୍ନାଥ ଦାସ ସଞ୍ଚାଳନ କରିଥିଲେ।

ଧର୍ମବିହାର ଓ ୮ନଂ ଓୟୁଏଟି ଜଗନ୍ନାଥ ମନ୍ଦିର‌
ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିରରେ ସକାଳ ସାଢ଼େ ୧୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ଦିନ ୧୨ଟାରେ ୧୦୮ ସୁବିଶିତ ଜଳରେ ସ୍ନାନ ଆରମ୍ଭ ହୋଇ ୧୨ଟା ୪୦ରେ ସମାପନ ହୋଇଥିଲା। ଦିନ ୧ଟାରେ ଗଜାନନ ବେଶ ଓ ଭୋଗଲାଗି ହୋଇଥିଲା। ସଂଧ୍ୟାରେ ଭଜନ ସମାରୋହ ପରେ ରାତି ୧୦ରେ ଚତୁର୍ଧାମୂର୍ତ୍ତି ଅଣସର ଘରକୁ ଯାଇଥିଲେ। ସେହିପରି ୮ନଂ ଓୟୁଏଟି ଜଗନ୍ନାଥ ମନ୍ଦିର‌ରେ ସକାଳ ‌ସାଢ଼େ ୮ରେ ପହଣ୍ଡି ହୋଇଥିଲା। ଅନ୍ୟ ସମସ୍ତ ନୀତିକାନ୍ତି ସକାଳ ୯ଟାରେ ଆରମ୍ଭ ହୋଇଥିଲା। ୯.୪୫ରେ ‌ସ୍ନାନ ଆରମ୍ଭ ହୋଇ ଥିବା ବେଳେ ସାଢ଼େ ୧୧ଟାରେ ଗଜ ବେଶରେ ଠାକରୁ ଦର୍ଶନ ଦେଇଥିଲେ। ରାତି ସାଢ଼େ ୧୦‌ରେ ଠାକୁର ଅଣସର ଘରକୁ ଯାଇଥିଲେ।

କୋଳଥିଆ ଜଗନ୍ନାଥ ମନ୍ଦିର 
ଗତ ରାତିରେ ସେନାପଟା ବାହୁଟ ଲାଗି ହୋଇଥିବା ବେଳେ ସକାଳ ୭ଟା ୩୦ରେ ପହଣ୍ଡି ହୋଇ ମହାପ୍ରଭୁଙ୍କୁ ଅସ୍ଥାୟୀ ସ୍ନାନବେଦିକୁ ଅଣାଯାଇଥିଲା। ସେଠାରେ ମଙ୍ଗଳଆଳତି, ଅବକାଶ ସହ ଅନ୍ୟ ସମସ୍ତ ନୀତି ସମାପନ ହୋଇଥିଲା। ୧୦୮ ଜଳରେ ସ୍ନାନ କରାଯାଇଥିଲା। ଦିନ ପ୍ରାୟ ସାଢ଼େ ୧୨ଟ‌ା‌ରେ ଦିବ୍ୟଜୀବନ ସଂଘ ଖଣ୍ଡଗିରି ଶାଖାର ସଭାପତି ସତ୍ୟବ୍ରତ ଦାଶ ଛେରା ପ‌ହଁରା କରିଥିଲେ। ଗଜାନନ ବେ‌ଶ ସାଢ଼େ ୪ଟାରେ ଆରମ୍ଭ ହୋଇ ସାଢ଼େ ୫ଟାରେ ସମାପନ ହୋଇଥିଲା। ସଂଧ୍ୟାରେ ଭଜନ କାର୍ଯ୍ୟକ୍ରମ ହେବାପରେ ରାତି ସାଢ଼େ ୧୦ଟାରେ ଅଣସର ଘରକୁ ଶ୍ରୀବିଗ୍ରହମାନେ ପ୍ରବେଶ କରିଥିଲେ।

ସୁଦର୍ଶନ ଦାରୁ ପୀଠ
ବାଲିଅନ୍ତା: ଗଡ଼କଣ୍ଟୁଣିଆସ୍ଥିତ ସୁଦର୍ଶନ ଦାରୁ ପୀଠରେ ସ୍ନାନପୂର୍ଣ୍ଣମୀ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ସାଢେ ୮ଟା ବେଳେ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ବାଳଭୋଗ ନୀତି ସଂପନ୍ନ ହୋଇଥିଲା। ଧାଡ଼ି ପହଣ୍ଡିରେ ଠାକୁରଙ୍କୁ ସ୍ନାନ ମଣ୍ଡପକୁ ନିଆଯାଇଥିଲା। ସେଠାରେ ସୁବାସିତ ଜଳରେ ଠାକୁରଙ୍କ ସ୍ନାନ ନୀତି କରାଯାଇଥଲା। ଏହାପରେ ଆଳତୀ ଓ ଶଙ୍ଖୁଡ଼ି ଭୋଗ ହୋଇଥିଲା। ଠାକୁରଙ୍କୁ ହାତୀ ବେଶ କରାଯାଇଥିଲା। ରାତି ସାଢେ ୮ଟାରେ ଠାକୁର ମନ୍ଦିରକୁ ବିଜେ କରିଥିଲେ। ଚକ୍ରଧର ନାୟକ, ଅଶୋକ ସାହୁଙ୍କ ସମେତ ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

ବାଲିପାଟଣା
ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ବାଲିପାଟଣାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ଓ ହାତୀ ବେଶ ଅନୁଷ୍ଠିତ ହୋଇଛି। ଶିଶୁମଠସାହି ଶ୍ରୀମୂର୍ତ୍ତି ଦେବ, ଭଇରପୁର, ନୂଆସାହି, ବାଲିପାଟଣା ବଜାର, ମହୁଖଣ୍ଡା ଜଗନ୍ନାଥ ମନ୍ଦିର, ବଳଭଦ୍ରପୁର ପତିତପାବନ ଦେବସ୍ଥିତ ଜଗନ୍ନାଥଙ୍କ ପୀଠରେ ସ୍ନାନ ଯାତ୍ରା ସମ୍ପନ୍ନ ହୋଇଛି। ସକାଳୁ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଦାରୁ ବିଗ୍ରହଙ୍କୁ ସ୍ନାନବେଦୀକୁ ପହଁଣ୍ଡିରେ ଭକ୍ତମାନେ ଆଣିଥିଲେ। ସୁବାସିତ ଜଳରେ ପ୍ରଭୁ ବଳଭଦ୍ର, ଶୁଭଦ୍ରା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହଙ୍କ ମହାସ୍ନାନ କରାଯାଇଥିଲା। ବାଲିପାଟଣା ଶିଶୁମଠସାହିସ୍ଥିତ ମଦନମୋହନଙ୍କ ପୀଠରେ ଶ୍ରୀମୂର୍ତ୍ତି ଦେବଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି। ପୂଜକ ମୃତ୍ୟଞ୍ଜୟ ମିଶ୍ର ପୂଜାକାର୍ଯ୍ୟ ତୁଲାଇଥିଲେ। ନୂଆସାହି ଜଗନ୍ନାଥ ମନ୍ଦିରରେ ପୂଜକ ସୌରଭ କ୍ରିଷ୍ଣା ଦାଶ ଓ କାର୍ତ୍ତିକ ପଣ୍ଡା ପୂଜାକାର୍ଯ୍ୟ ତୁଲାଇ ଥିଲେ। ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ ସଭାପତି ବିଶ୍ୱଜିତ ସାହୁ ଓ କର୍ମକର୍ତ୍ତା ସହଯୋଗ କରିଥିଲେ। ଭଇରପୁରରେ ଭ୍ରମରବର ଦାଶ ମୁଖ୍ୟ ପୂଜକ ଭାବେ ପୂଜା କରିଥିଲେ। ବାଲିପାଟଣା ବଜାର ଜଗନ୍ନାଥଙ୍କ ମନ୍ଦିରରେ ପୂଜକ ବଳରାମ ତ୍ରିପାଠୀ ନୀତି ସମ୍ପାଦନ କରିଥିଲେ। ମହୁଖଣ୍ଡାରେ ପୂଜକ ପ୍ରମୋଦ ପାଢ଼ୀ ପୂଜାକାର୍ଯ୍ୟ କରିଥିଲେ। ସେହିପରି ବଲଭଦ୍ରପୁର ପତିତପାବନ ଦେବଙ୍କ ପୀଠରେ ପୂଜକ ସରୋଜ ନନ୍ଦ ଓ କର୍ମକର୍ତ୍ତା ସ୍ନାନ ନୀତିରେ ସହଯୋଗ କରିଥିଲେ।

ଚନ୍ଦ୍ରଶେଖରପୁର
ଚନ୍ଦ୍ରଶେଖରପୁର ଅଞ୍ଚଳର ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଦେବସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କିସ୍‌ର ଶ୍ରୀ ବାଣୀ‌ କ୍ଷେତ୍ର, ପଟିଆର ତୁଳସୀ କ୍ଷେତ୍ର, ‌ଶୈଳଶ୍ରୀବିହାର ବଡ଼ଦେଉଳ ଓ ଚନ୍ଦ୍ରଶେଖରପୁର ଜଗନ୍ନାଥ ମନ୍ଦିର, ଆର୍‌ସିଏମ୍ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାରେ ପବିତ୍ର ସ୍ନାନଯାତ୍ରା ସମ୍ପନ୍ନ ହୋଇଯାଇଛି। ସେବାୟତମାନେ ସକାଳୁ ମହାପ୍ରଭୁଙ୍କ ମଙ୍ଗଳଆଳତି କରିଥିଲେ। ପରେ ଅବକାଶ ଓ ମଇଲମ ଲାଗି କରାଯାଇଥିଲା। ଏହା ପରେ ସେବାୟତମାନେ ପହଣ୍ଡି କରି ରତ୍ନବେଦିରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ସ୍ନାନବେଦିରେ ପହଞ୍ଚାଇଥିଲେ। ମନ୍ଦିର ପରିସରସ୍ଥ ସୁନାକୂଅରୁ ୧୦୮ଗରା ପାଣିରେ ଚାରି ଠାକୁରଙ୍କୁ ସ୍ନାନ କରାଯାଇଥିଲା। ପରେ ନୂତନ ବସ୍ତ୍ର ପରିଧାନ କରାଇବା ସହ ହାତୀବେଶରେ ପ୍ରଭୁଙ୍କୁ ସଜାଇ ଦିଆଯାଇଥିଲା। ଏହି ଅବସରରେ ଯଥାରୀତି ଛେରାପହଁରା ନୀତି ସମେତ ଦଇତାପତି ଭୋଗପଣା ଓ ବିଭିନ୍ନ ପ୍ରକାର ପ୍ରସାଦ ଲାଗି କରାଯାଇଥିଲା। ଗୋଟି ଭୋଗ ଓ ମହାପ୍ରସାଦ ଲାଗି ମଧ୍ୟ କରାଯାଇଥିଲା। 

ଲବଣଗିରି
ଜଟଣୀ: ଲବଣଗିରି ଜଗନ୍ନାଥ ମନ୍ଦିରଠାରେ ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲବଣଗିରି ପାହାଡ଼ ଉପରେ ଶ୍ରୀଜୀଉଙ୍କର ପ୍ରାତଃ ସମୟରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ସେନାପଟ ବେଶରେ ଠାକୁରଙ୍କୁ ପୂର୍ବାହ୍ଣ ୯ଟା ସମୟରେ ସ୍ନାନ ବେଦୀ ଉପରକୁ ବିଜେ କରାଯାଇଥିଲା। ପ୍ରଥମେ ସୁଦର୍ଶନ, ତାପରେ ମା’ ସୁଭଦ୍ରା, ବଡ଼ ଠାକୁର ବଳଭଦ୍ର ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନ ମଣ୍ଡପ ଉପରକୁ ଆସିଥିଲେ। ମଙ୍ଗଳାଆଳତୀ ସହ ସମସ୍ତ ପୂଜା ସମାପନ କରାଯାଇ ଦିନ ୧ଟା ସମୟରେ ୧୦୮ରୂପା କଳସୀ ପାଣିରେ ମହାସ୍ନାନ କରାଯାଇଥିଲା। ସ୍ନାନପରେ ମହାପ୍ରଭୁ ଗଜାବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ରାତି ୯ଟା ସମୟରେ ଶ୍ରୀଜୀଉ ମନ୍ଦିର ଭିତରକୁ ପ୍ରତ୍ୟାବର୍ତ୍ତନ କରିଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ପୁରୁଣା ଭୁବନେଶ୍ୱର
ପୁରୁଣା ଭୁବନେଶ୍ୱର: ବଡ଼ଦାଣ୍ଡସାହିଠାରେ ଘୋଷଯାତ୍ରା କମିଟି ପକ୍ଷରୁ ଦେବସ୍ନାନ ପୂର୍ଣ୍ଣମୀ ପାଳନ କରାଯାଇଛି। ଏହି ଅବସରରେ ତିନି ଠାକୁରଙ୍କ ଗଜାନନ ବେଶ କରାଯାଇଥିଲା। ବିନ୍ଦୁସାଗରରୁ ତିର୍ଥ ଜଳ ଆସି ସେଥିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ସ୍ନାନ କରାଯାଇଥିଲା। ଏହା ପରେ ପିଲାମାନଙ୍କ ଦ୍ୱାରା ଠାକୁରଙ୍କୁ ହାତୀ ବେଶ କରାଯାଇ ପୂଜା କରାଯାଇଥିଲା। ଏହାକୁ କିମିଟିର ସଭାପତି ଶକ୍ତି ପ୍ରସାଦ ସାହୁ, ସୁଶୀଲ ପ୍ରହରାଜ, ଗୌତମ ସାହୁ, ସୋମନାଥ ବିଶ୍ବାଳ, ଚନ୍ଦନ ପୂଜାପଣ୍ଡା, ଅମିତ ସାହୁ, ମୋହିତ ବିଶୋଇ, ପ୍ରିୟାଂସୁ ସାହୁ ଓ ସଭ୍ୟମାନେ ପରିଚାଳଣା କରିଥିଲେ। ଭକ୍ତି ଭୂମିକା ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହ କରାଯାଇଥିଲା। ସେହିପରି ଜମ୍ବେଶ୍ବର ପାଟଣାସାହିଠାରେ ପୁରୁଣା ଭୁବନେଶ୍ବର ଶ୍ରୀ ଜଗନ୍ନାଥ ରଥଯାତ୍ରା କମିଟି ପକ୍ଷରୁ ଦେବସ୍ନାନ ପୂର୍ଣ୍ଣମୀ ପାଳନ କରାଯାଇଥିଲା। ସେଠାରେ ଠାକୁରଙ୍କୁ ବିଧି ମୁତାବକ ତିର୍ଥ ଜଳରେ ସ୍ନାନ କରାଯାଇଥିଲା। ଏହାକୁ ବସନ୍ତ ସମର୍ଥା ପରିଚାଳନା କରିଥିଲେ।  

ୟୁନିଟ୍‌-୫ ଜଗନ୍ନାଥ ମନ୍ଦିର
ୟୁନିଟ୍‌-୫ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ ହୋଇଛି। ପ୍ରାତଃ ସମୟରେ ବିଗ୍ରହମାନଙ୍କୁ ପହଣ୍ଡିରେ ଅଣାଯାଇ ସ୍ନାନବେଦିରେ ବସାଯାଇଥିଲା। ୧୦୮ ସୁବାସିତ କଳସ ଜଳରେ ଶ୍ରୀଜିଉମାନଙ୍କ ସ୍ନାନ ସଂପନ୍ନ ହୋଇଥିଲା। ପରେ ଗଜବେଶରେ ବିଗ୍ରହମାନେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଆଜି ଦିନତମାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ମନ୍ଦିର କମିଟି ତରଫରୁ ଶୃଙ୍ଖଳାକୁ କଡ଼ାକଡ଼ି କରାଯିବା ସହିତ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥିଲା।

ସୁନ୍ଦରପଦାର ଶ୍ରୀଶ୍ରୀ ଦଧିବାମନ ଜୀଉ
ସୁନ୍ଦରପଦାର ଆରାଧ୍ୟ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ଦେବସ୍ନାନ ଯାତ୍ରା ଟ୍ରଷ୍ଟ ବୋର୍ଡ, ବ୍ରାହ୍ମଣ ସମିତି ଓ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଶ୍ରୀଜୀଉଙ୍କ ଅବକାଶ, ମଙ୍ଗଳଆଳତୀ ଓ ଅନ୍ୟାନ୍ୟ ନୀତି କରାଯାଇଥିଲା। ଖୁଣ୍ଟିଆ ସେବକଙ୍କ ଦ୍ୱାରା ଭୋଗ ଆଳତୀ ପରେ ସ୍ଥାନୀୟ ବ୍ରାହ୍ମଣମାନେ ଶ୍ରୀଜୀଉଙ୍କୁ ସ୍ନାନ ମଣ୍ଡପକୁ ନେଇଥିଲେ। ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ନାନାଦି ପୁଷ୍ପରେ ବେଶ କରାଯିବା ପରେ ହରିହର ଭେଟ ଆଳତୀ କରାଯାଇଥିଲା। ପରେ ଲୋକନାଥ ବାରିକଙ୍କ ଦ୍ୱାରା ହାତୀ ବେଶରେ ଶ୍ରୀ ଜୀଉଙ୍କୁ ସଜାଇଥିଲେ ରାଜେଶ ମିଶ୍ର, ଦିପୁ ନନ୍ଦ ଓ ଶୃତିକ ନନ୍ଦ। ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ବାବୁ ସିଂଙ୍କ ସମେତ ଅଞ୍ଚଳର ହଜାର ହଜାର ଶ୍ରାଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ସଂସ୍କୃତି ବିଭାଗ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ହୋଇଥିବାରୁ ଟ୍ରଷ୍ଟର ଅଧ୍ୟକ୍ଷ ମୁରଲୀ ମନୋହର ପାତ୍ର କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରସନ୍ନ କୁମାର ସ୍ୱାଇଁ, ଦୀପ୍ତି ପ୍ରସାଦ ନନ୍ଦ, ବିଷ୍ଣୁପ୍ରସାଦ ନନ୍ଦ, ନୀଳମଣି ମିଶ୍ର, ଭଜେନ୍ଦ୍ର ଜେନା, ବିଜୟ କୁମାର ସାହୁ, ସତ୍ୟଜିତ ମଙ୍ଗରାଜ, କିରଣ ମହାପାତ୍ର, ଗଦାଧର ନାୟକ, ଅଶ୍ୱିନୀ ମହାରଣା, ଶେଷଦେବ ଦାଶ, ସୁରେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ନନ୍ଦ, ବିଷ୍ଣୁ ପ୍ରସାଦ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ l ଭଜନ କାର୍ଯ୍ୟକ୍ରମ ପରେ ଶ୍ରୀ ଜୀଉଙ୍କୁ ସ୍ନାନ ମଣ୍ଡପରୁ ପହଣ୍ଡି କରାଯାଇ ମନ୍ଦିର ଭିତରକୁ ନିଆଯାଇଥିଲା।