ଭୁବନେଶ୍ୱର: ସତ୍ୟ, ତ୍ୟାଗ, ଧର୍ମର ମହତ୍ତ୍ବ ସଦାସର୍ବଦା ଉଚ୍ଚ ମାନ୍ୟ ପାଇଛି। ତାହାର ସମକକ୍ଷ ଏ ସଂସାରରେ ଆଉ କିଛି ନାହିଁ। ମହାଭାରତରେ କର୍ଣ୍ଣ ହିଁ ଜଣେ ଏପରି ଚରିତ୍ର ଯେ କି ସମସ୍ତ ଦାୟିତ୍ବକୁ ଅକ୍ଷରେ ଅକ୍ଷରେ ପାଳିଛନ୍ତି। କର୍ଣ୍ଣଙ୍କ କାହାଣୀକୁ ନେଇ ‘ଦ କ୍ୟାଚ୍’ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଥିବା ତିନି ଦିନିଆ ‘ସଂସ୍କୃତ ନାଟ୍ୟ ମହୋତ୍ସବ’ର ପ୍ରଥମ ସନ୍ଧ୍ୟାରେ ଆଜି ମଞ୍ଚସ୍ଥ ହୋଇଥିଲା ସଂସ୍କୃତ ନାଟକ ‘କର୍ଣ୍ଣଭାରମ’। ଡ. ମୃତ୍ୟୁଞ୍ଜୟ ରଥ ସଭା ସଂଯୋଜନା କରିଥିଲେ। ଅନୁଷ୍ଠାନର ସଂପାଦକ ଚିତ୍ତରଂଜନ ଶତପଥୀ ଧନ୍ୟବାଦ ଦେଇଥିଲେ। ଅପରାହ୍ଣରେ ଆୟୋଜିତ ଆଲୋଚନାରେ ପ୍ରଫେସର ସୁବ୍ରତ ଷଡ଼ଙ୍ଗୀ ବକ୍ତାଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ଜ୍ୟୋତି ପ୍ରକାଶ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ଆୟୋଜିତ ସଭାରେ ଅତିଥି ଭାବେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗଦେଇ କହିଲେ, ସଂସ୍କୃତକୁ ଛାଡ଼ି ଭାଷାର ଅସ୍ତିତ୍ବ ନାହିଁ। ସଂସ୍କୃତି ଭାଷାର ଖଣି। ଏହି ଭାଷାକୁ ଯୁଗପୋଯୋଗୀ କରିବାକୁ ପଡ଼ିବ। ପ୍ରତିକୂଳ ଦିଗରେ ଯାଇ ଯେଉଁମାନେ ସଂସ୍କୃତ ପଢ଼ୁଛନ୍ତି ସେମାନେ ହିଁ ଆଗାମୀ ଦିନରେ ମହାନାୟକ ହେବେ। ନାଟ୍ୟ ନିର୍ଦ୍ଦେଶକ ସତ୍ୟବ୍ରତ ରାଉତ କହିଲେ, ଭାରତରେ କେବଳ କେରଳ ରାଜ୍ୟକୁ ଛାଡ଼ି ଦେଲେ ସଂସ୍କୃତ ନାଟକ ଅନ୍ୟ କେଉଁଠି ହେଉନାହିଁ। ଏମିତିକି ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଚେଷ୍ଟା କରି ମଧ୍ୟ କରିପାରିନାହିଁ। ତେବେ ଓଡ଼ିଶାରେ ସଂସ୍କୃତ ନାଟ୍ୟ ମହୋତ୍ସବ ହେବା ଖୁସିର କଥା। ଆମର ମୂଳ ଭାଷା ସଂସ୍କୃତକୁ ଦେଶ ବିଦେଶରେ ଗବେଷଣା କରୁଥିବା ବେଳେ ଆମେ ଭୁଲିଯିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ଡ. ବନମାଳୀ ବିଶ୍ବାଳ ସଂସ୍କୃତ ଭାଷା ଓ ନାଟକ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଡ. ଚିତ୍ତରଂଜନ ଶତପଥୀଙ୍କ ପୁସ୍ତକ ‘ସଂକ୍ଷିପ୍ତ ନାଟ୍ୟ ଶାସ୍ତ୍ର’କୁ ଅତିଥିମାନେ ଉନ୍ମୋଚନ କରିବା ସହ ଏହାର ପ୍ରକାଶକ ସନ୍ଦୀପ କୁମାର ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ।