ଚତୁର୍ଦଶ ସଂସ୍କୃତି ଚର୍ଚା : ସ୍ୱାଭିମାନ ଓଡ଼ିଆ ସଂସ୍କୃତିର ଅସ୍ମିତା

ଭୁବନେଶ୍ୱର : ସ୍ୱାଭିମାନ ଓଡ଼ିଆ ସଂସ୍କୃତିର ଅସ୍ମିତା। ବଳରାମ ଦାସଙ୍କ ବ୍ରହ୍ମକୁଣ୍ଡଳୀ ଛାନ୍ଦରେ ସେଇ ଓଡ଼ିଆର ସ୍ୱାଭିମାନ ରହିଛି। ପୁଣି ଆଦ୍ୟ ଆଷାଢ଼ ବର୍ଷାରେ ଧାଙ୍ଗଡ଼ା ଧାଙ୍ଗିଡ଼ିମାନେ ମାଦଲ ବଜେଇ ଗାଉଥିବା ‘ରାଇଜ ଯାକର ପରଜା ପୁଅ ଆମେ.. ଭଳି ଦେଶିୟା ଓଡ଼ିଆ ଗୀତରେ ବି ସେଇ ସ୍ୱାଭିମାନ ରହିଛି। ପାହାଡ଼ ଖୋଲର ଜନଜାତିଟିଏ ଓଡ଼ିଆ ସଂସ୍କୃତି ନିହିତ ସ୍ୱାଭିମାନକୁ ଆଜି ବି ବଜାୟ ରଖିଛି। ମାତ୍ର ଆମେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଖୁସିରେ କେବଳ ଗଦଗଦ ହେଉଛୁ। ଏଣେ ଆମ ମାଣବସା ଗୁରୁବାର, ସୁଦଶାବ୍ରତ, ସାବିତ୍ରୀ ବ୍ରତ, ଦୁର୍ଗାମାଧବ ଉପାସନାକୁ ଗୌଣ କରି ଅପର ସଂସ୍କୃତିକୁ ଆପଣେଇ ଚାଲିଛୁ। କିନ୍ତୁ ମନେ ରଖିବାକୁ ହେବ ଯେ, ଯେବେ ସ୍ୱାଭିମାନକୁ ଜଳାଞ୍ଜଳି ଦିଆଯିବ ସେଦିନ ଓଡ଼ିଆ ସଂସ୍କୃତିର ଭିତ୍ତି ଦୋହଲିଯିବ। ଏକଥା କହିଛନ୍ତି ପ୍ରାକ୍ତନ ପ୍ରଶାସକ, ସାହିତ୍ୟିକ, ସଂସ୍କୃତି ବିଶାରଦ ସଂଜୀବ ଚନ୍ଦ୍ର ହୋତା। ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ଚତୁର୍ଦଶ ସମ୍ପାନରେ ବକ୍ତା ଭାବେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି ଶ୍ରୀ ହୋତା।

‘ଓଡ଼ିଶା, ଓଡ଼ିଆ ଏବଂ ଓଡ଼ିଆ ସଂସ୍କୃତିର ଅନ୍ୟ ଏକ ଦିଗ’ ଉପରେ ନିଜର ଅନୁଭବ ଓ ଭିନ୍ନ ବିଚାରଧାରାକୁ ପାଥେୟ କରି କହିଲେ, ଯାହାର ମାତୃଭାଷା ଓଡ଼ିଆ ସେ ଯେ ଓଡ଼ିଆ ଅନ୍ତତଃ ମୁଁ ଭାବେ ନାହିଁ। ବରଂ ଯିଏ ଓଡ଼ିଆଙ୍କୁ ଓ ଓଡ଼ିଆ ସଂସ୍କୃତିକୁ ଭଲପାଏ ସେ ହିଁ ଓଡ଼ିଆ ବୋଲି ମୋର ବିଶ୍ୱାସ। ଗୌରୀଶଙ୍କର ରାୟ, ରାଧାନାଥ ରାୟ, ଜଗମୋହନ ଲାଲା, ପ୍ୟାରୀମୋହନ ଆଚାର୍ଯ୍ୟ, ରାମଶଙ୍କର ରାୟ, ଉମେଶ ଚନ୍ଦ୍ର ସର୍କାର, ସଦାନନ୍ଦ ଅଗ୍ରଓ୍ଵାଲ୍‌ ଓଡ଼ିଆ ନଥିଲେ ହେଁ ତାଙ୍କର ଓଡ଼ିଆଙ୍କ ପାଇଁ ଦାନର ତୁଳନା ନାହିଁ। ସେ ଏକଥା ବି କହିଲେ, ପୀଠ ଷୋଳପୂଜା, ପୁଅ ଜୀଉଁତିଆ, ଭାଇ ଜୀଉଁତିଆକୁ ଓଡ଼ିଆମାନେ ନ ଆପଣେଇ ରାବଣ ପୋଡ଼ି, ଧନତେରାସ ଭଳି ଅହଙ୍କାରୀ ଆଭିଜାତ୍ୟର ପରିପ୍ରକାଶକୁ ଆପଣେଇ ଚାଲିଛୁ। ମାତ୍ର ଏ ବିବର୍ତନ ଆଦୌ ଶୁଭଙ୍କର ନୁହେଁ। ରାମଚରିତ ମାନସକୁ ମୁଁ ଅଗ୍ରାହ୍ୟ କରୁନାହିଁ କିନ୍ତୁ ଭାଗବତ ପାରାୟଣକୁ ଏହା ଆଗରେ ଗୌଣ କରିଦେବା ବି ଯଥାର୍ଥ ନୁହେଁ। ଓଡ଼ିଆଙ୍କ ଘରେ ଏବେ ବି ବିଶ୍ୱାସ ଅଛି ମଲାବେଳେ ଭାଗବତରୁ ଦି ପଦ ଶୁଣିଲେ ସବୁ ପାପରୁ ମୁକ୍ତି ପାଇ ଆତ୍ମା ଭଗବାନଙ୍କ ପାଖରେ ଲୀନ ହୁଏ। କିନ୍ତୁ ଭାଗବତ ପାରାୟଣ ଆଜି ଗୌଣ। ଏହା ବ୍ୟତୀତ ଶ୍ରୀ ହୋତା ସାରଳା ଦାସ, ସନ୍ଥ ଭୀମଭୋଇଙ୍କ କୃତୀରେ ଥିବା ସ୍ୱାଭିମାନ ଓ ସମ୍ବେଦନାର ଉଦାହରଣ ଦେଇଥିଲେ। ସେହିଭଳି ସେ ଜିଲ୍ଲାପାଳ ଥିବା ସମୟରେ ସଂସ୍ପର୍ଶରେ ଆସିଥିବା ବହୁ ଜନଜାତିଙ୍କ ସତ କାହାଣୀକୁ ଉଦାହରଣ ଛଳରେ ରଖି ତାଙ୍କ ଭିତରେ ଥିବା ସ୍ୱାଭିମାନ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।

ପ୍ରାରମ୍ଭରେ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ବକ୍ତାଙ୍କ ସମ୍ପର୍କରେ କହିଥିବା ବେଳେ ସଭାକୁ ପରିଚାଳନା କରିଥିଲେ ବିଭାଗୀୟ ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ। ଉପନିର୍ଦେଶିକା ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଭିଲେଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର