‘ସଂସ୍କୃତି ଚର୍ଚ୍ଚା’ : ଆମର ମାନସିକତା ହିଁ ହେଉଛି ସଂସ୍କୃତି

ଜର୍ମାନରେ ନିରକ୍ଷର ବୋଲି ଶବ୍ଦଟିଏ ନାହିଁ

ଭୁବନେଶ୍ବର : ଆମର ମାନସିକତା ହିଁ ହେଉଛି ସଂସ୍କୃତି। ମାତ୍ର ଆମେ ଅନ୍ୟକୁ ଭଲ ପାଇବା କି ପ୍ରଶଂସା କରି ଶିଖିନାହୁଁ। ତେଣୁ ଆମ ମାନସିକତାରେ ପରିବର୍ତନ ଆଣିବାକୁ ହେବ। ଧୃତରାଷ୍ଟ୍ର ପରିବାରର ଅନ୍ଧ ସଦସ୍ୟ ଭାବେ ରହିଲେ ବିଶେଷ ଅଗ୍ରଗତି ହୋଇପାରିବ ନାହିଁ। ଏକଥା କହିଛନ୍ତି ବିଶିଷ୍ଟ ସ୍ତମ୍ଭକାର ତଥା ସାହିତ୍ୟିକ ଜର୍ମାନୀ ନିବାସୀ ଓଡ଼ିଆ ଡ.ରାଜେନ୍ଦ୍ର ନାରାୟଣ ଦାସ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ‘ସଂସ୍କୃତି ଚର୍ଚ୍ଚା’ର ସ୍ବତନ୍ତ୍ର ସମ୍ପାନରେ ‘ଜର୍ମାନ ସଂସ୍କୃତି ବନାମ ଓଡ଼ିଆ’ ଶୀର୍ଷକ ବିଷୟରେ ମତ ରଖି କହିଲେ, ଓଡ଼ିଆ ମୋ ମାତୃଭୂମି ହେଲେ ଜର୍ମାନ ମୋ ପିତୃଭୂମି। ଜର୍ମାନର ସଂସ୍କୃତି ଆଦୌ ବଦଳିନାହିଁ। ଏଥିପାଇଁ ଜର୍ମାନବାସୀଙ୍କ ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି। ଦେଶର ଉନ୍ନତି ପାଇଁ ପ୍ରତ୍ୟେକ ଜର୍ମାନ ନାଗରିକ ଗର୍ବ କରନ୍ତି। ମାତ୍ର ଆମେ ଏଠି ସରକାରଙ୍କୁ ଦୋଷ ଦେବା ଏକ ଅଭ୍ୟାସଗତ ଖୋଇରେ ପରିଣତ ହୋଇଛି। କୁଶଳୀ କାରିଗରୀ ଓ ଚାତୁରି ଯୋଗୁଁ ଜର୍ମାନର ଶିଳ୍ପ ସଂସ୍କୃତି ବିଶ୍ବରେ ସର୍ବଶ୍ରେଷ୍ଠ ପାଲଟିଛି। ଜର୍ମାନ୍‌ରେ ‌ନିରକ୍ଷର ବୋଲି ଶବ୍ଦଟିଏ ନାହିଁ। ସ୍ବାସ୍ଥ୍ୟ ସଂସ୍କୃତି ଏପରି ଯେ, ଜାର୍ମାନ ଡାକ୍ତରଙ୍କ ବ୍ୟବହାରରେ ଅଧା ରୋଗ ଭଲ ହୋଇଯିବ। ସେଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟବୀମା ନିହାତି ରହିଥାଏ। ସେଠି ଗୋଟେ ବି ସରକାରୀ ବିଜ୍ଞାପନ ଦେଖିବାକୁ ମିଳେନାହିଁ। ପ୍ରତ୍ୟେକ ରାଜନେତା ଦେଶର ବିକାଶ ଦିଗରେ କାମ କରନ୍ତି। ବିଧାନସଭାରେ ସବୁବେଳେ ଭଦ୍ର ବ୍ୟବହାର ଦେଖିବାକୁ ମିଳେ। ସେଠାରେ ଚର୍ଚ ସଂସ୍କୃତି ଧୀରେଧୀରେ ହ୍ରାସ ପାଉଥିବା ବେଳେ ଆମର ମନ୍ଦିର ସଂସ୍କୃତି ବଢ଼ିବଢ଼ି ଚାଲିଛି। ଜର୍ମାନ ଏବଂ ଏଠାରେ ଶୌଚାଳୟ ବ୍ୟବସ୍ଥାରେ ବି ବହୁତ ଫରକ। ସେଠାରେ କେବେ ଡାକ୍ତର, ଶିକ୍ଷକ ଓ ପୁଲିସ୍‌ ଧର୍ମଘଟ କରନ୍ତି ନାହିଁ। ତେଣୁ ‘ଆମେ ଏମିତି ହୋଇ ପାରିବା କି? ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଡ. ଦାସଙ୍କ ପ୍ରକାଶିତ ‘ସ୍ମୃତିରେ କଟକ’ ଉପରେ ସୂଚନା ଦେଇଥିଲେ। ଅଭିଲେଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ସଂସ୍କୃତି ବିଭାଗର ଯୁଗ୍ମ ଶାସନସଚିବ ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର