ରାଜଧାନୀରେ ସାନ୍ତାଳୀଙ୍କ ଫଗୁଣ ‘ବାହା ବଙ୍ଗା’

ଚନ୍ଦ୍ରଶେଖରପୁର: ରାଜଧାନୀରେ ଆଦିବାସୀଙ୍କ ଫଗୁଣ ମେଳା। ସାନ୍ତାଳୀମାନଙ୍କ ଫଗୁଣ ପର୍ବ ‘ବାହା ବଙ୍ଗା’। ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ସୀତାନାଥ ବସ୍ତିର ମାରାମ୍‌ ବୁରୁ (ଜଙ୍ଗଲ ଦେବତା) ପୀଠରେ ଧୂମ୍‌ଧାମ୍‌ରେ ଚାଲିଛି ଏହି ପର୍ବ। ଢୋଲ ଓ ମାଦଳର ତାଳେ ତାଳେ ନୃତ୍ୟରେ ମସ୍‌ଗୁଲ୍‌ ହୋଇ ସାନ୍ତାଳୀମାନେ ପାଳନ କରୁଛନ୍ତି ଏହି ପର୍ବ।

ସାନ୍ତାଳୀ ପରମ୍ପରା ଅନୁସାରେ ଫଗୁଣ ମାସରେ ନୂଆ ଫୁଲ, ଫଳ ଓ ପତ୍ରକୁ ଜାହିରାରେ ପୂଜା କରାଯାଏ। ଜାହିରାରେ ପୂଜା ନହେବା ଯାଏ ଗ୍ରାମବାସୀଙ୍କ ପାଇଁ ଫୁଲ ଫଳର ବ୍ୟବହାର ଓ ଜଙ୍ଗଲ ପ୍ରବେଶ ନିଷେଧ ରହିଥାଏ। ଲୋକମାନେ ଉପବାସ କରି ମାନସିକ ରଖିଥାନ୍ତି। ଗତକାଲିଠାରୁ ପାରମ୍ପରିକ ନୀତି ଅନୁସାରେ ଦେବାଦେବୀଙ୍କ ପୂଜା ଆରମ୍ଭ କରାଯାଇଥିଲା। ପ୍ରକୃତି କୋଳକୁ ଆସିଥିବା ନୂଆ ଫୁଲ, ଫଳ ଓ କଅଁଳ ପତ୍ରକୁ ଭଗବାନ ମାରାମ୍‌ ବୁରୁଙ୍କୁ ଅର୍ପଣ କରାଯାଏ। ପରେ ଏହାକୁ ପ୍ରସାଦ ଭାବେ ସେବନ କରାଯାଏ ଓ ନୃତ୍ୟ ଗୀତ ଆରମ୍ଭ ହୁଏ। ଦୀର୍ଘ ୨୨ ବର୍ଷ ହେଲା ସାନ୍ତାଳୀମାନେ ଏଠାରେ ଏହି ପର୍ବ ପାଳନ କରୁଛନ୍ତି। ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ରହୁଥିବା ସାନ୍ତାଳୀମାନେ ଏହି ବସ୍ତିରେ ଏକାଠି ହୁଅନ୍ତି। ପୂର୍ବରୁ ବଳି ପ୍ରଥା ଥିଲା। କିନ୍ତୁ ଏବେ ବଳି ପ୍ରଥା ବନ୍ଦ ହୋଇଯାଇଛି। ଉପବାସ କରିଥିବା ଲୋକମାନେ ନୃତ୍ୟ କରିବା ପରେ ଖାଦ୍ୟ ଗ୍ରହଣ କରିଥାନ୍ତି ବୋଲି ‘ବାହା ବଙ୍ଗା’ ଆଦିମ ଓବାର ଜାର୍‌ପାର ସଭାପତି କାରୁ ମୁର୍ମୁ କହିଛନ୍ତି।

ସେହିଭଳି କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ଆଜି ମଞ୍ଚେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ବାହା ବଙ୍ଗା ପର୍ବ। ଅନୁଷ୍ଠାନର ସଂପାଦକ ତଥା ଆଦିବାସୀ ନୃତ୍ୟଗୁରୁ ବିଦ୍ୟାଧର ବାରିକ, ସୁଶାନ୍ତ ଦାସ, ବିଚିତ୍ର ‌ଓଝା, ବିଶ୍ବଜିତ୍ ଦାସ, କ‌ୌଳାସ ନାୟକ, ଆସିକା ହେମ୍ବ୍ରମ୍, ହରା ହିକ୍‌କା, ଚାନ୍ଦିଲାଲ୍ ମୁର୍ମୁ ଓ ପବନ କୁମାର ପରିଚାଳନା କରିଥିଲେ। ରାଜଧାନୀର ବହୁ ଆଦିବାସୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର