ଶ୍ବଶୁର ଘରେ ବିଷ ଖାଇ ଜ୍ବାଇଁଙ୍କ ଆତ୍ମହତ୍ୟା

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ନୂଆସାହିର ସନାତନ ଜେନା(୪୦) ତାଙ୍କ ଶ୍ବଶୁର ଘର ବଇଁଚୁଆରେ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ବାଲିଅନ୍ତା ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟାଙ୍କରୁ ଆଣିଥିବା ଋଣ ଅର୍ଥ ସୁଝି ନପାରି ସନାତନ ଏପରି କରିଥିବା ଆଲୋଚନା ହେଉଛି। ସୂଚନାନୁଯାୟୀ, ସନାତନ ଦିନ ମଜୁରିଆ ଭାବରେ କାମ କରନ୍ତି। ସେ ଗ୍ରାମର ଏକାଧିକ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଧାର ଆଣିଥିଲେ। ମାତ୍ର ଋଣ ପରିଶୋଧ କରିପାରି ନଥିଲେ। ଏପଟେ ତାଙ୍କ ପତ୍ନୀ ନୟନା ଜେନା ଏକ ମହିଳା ମଣ୍ଡଳର ସଭାପତି ଦାୟିତ୍ବରେ ଥିବା ବେଳେ ମଣ୍ଡଳ ଜରିଆରେ ବ୍ୟାଙ୍କରୁ ଆଣିଥିବା ୪୧ହଜାର ଟଙ୍କା ମଧ୍ୟ ସୁଝି ପାରି ନଥିଲେ। ଏନେଇ ବିଭିନ୍ନ ସମୟରେ ସନାତନ ଓ ତାଙ୍କ ପତ୍ନୀଙ୍କୁ ଧମକଚମକ ଦିଆଯାଉଥିଲା। ଶେଷରେ ମାନସିକ ଭାରସାମ୍ୟ ହରାଇ ସନାତନ କୀଟନାଶକ ଖାଇ ଦେଇଥିବା ନୟନା ଅଭିଯୋଗ କରିଛନ୍ତି। ଏଭଳି ଘଟଣାକୁ ଚପାଇ ଦେବାକୁ ପରିବାର ଉପରେ ଚାପ ପକାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର