‘ପୁସ୍ତକ ଚର୍ଚ୍ଚା’ରେ ସନ୍ଥକବିଙ୍କ ‘ସ୍ତୁତି ଚିନ୍ତାମଣି’

ଭୁବନେଶ୍ବର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ସଂଗ୍ରହାଳୟସ୍ଥିତ ମୁକ୍ତାକାଶ ଉଦ୍ୟାନରେ ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସନ୍ତୋଷ କୁମାର ରଥ ସନ୍ଥକବି ଭୀମ ଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପ୍ରାକ୍ତନ ବରିଷ୍ଠ ପ୍ରଶାସକ ସଞ୍ଜୀବ ଚନ୍ଦ୍ର ହୋତା, ପୂର୍ବତନ ସଂସ୍କୃତି ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ବାବା ରମେଶ ଚନ୍ଦ୍ର ଦାସ ସନ୍ଥକବି ଭୀମଭୋଇ ଓ ତାଙ୍କ କୃତି ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ସନ୍ଥକବିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମୁଖ୍ୟବକ୍ତା ପ୍ରଫେସର ରଥଙ୍କୁ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସନ୍ଥକବିଙ୍କ ବିଭିନ୍ନ ଭଜନ ଗାନ କରିଥିଲେ। ବାଦ୍ୟଯନ୍ତ୍ର ଖଞ୍ଜଣିରେ ଅଜୟ ଚୌଧୁରୀ, ତବଲାରେ ତାପସ ସାହୁ ଓ ଅନ୍ୟତମ ବାଦ୍ୟଯନ୍ତ୍ରରେ ଅକ୍ଷୟ ନାୟକ ସହଯୋଗ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାଗ୍ୟଲିପି ମଲ୍ଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ମହିମା ଧର୍ମାବଲମ୍ବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର