ଶାନ୍ତିନିକେତନ ଭାରତୀୟ ସଂସ୍କୃତି, ସାହିତ୍ୟ ଓ କଳା ଶିକ୍ଷାର ଦିଗଦର୍ଶକ

ବିଶ୍ବଭାରତୀ ପ୍ରାକ୍ତନୀର ବାର୍ଷିକ ଉତ୍ସବ ଓ ସାରସ୍ବତ ସମାରୋହ

ଭୁବନେଶ୍ବର: ବିଶ୍ବଭାରତୀ ପ୍ରାକ୍ତନୀ ଓଡ଼ିଶାର ୫ମ ବାର୍ଷିକ ଉତ୍ସବ ଓ ସାରସ୍ବତ ସମାରୋହ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିବାବେଳେ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମସୁନ୍ଦର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତୀତର ପ୍ରଜ୍ଞା ଓ ବର୍ତ୍ତମାନର ଯୌବନଦ୍ଦୀପ୍ତ ଶକ୍ତିକୁ ପାଥେୟ କରି ଉଜ୍ଜ୍ବଳ ଭବିଷ୍ୟତ ନିର୍ମାଣ କରିବା ବିଶ୍ବଭାରତୀ ପ୍ରାକ୍ତନୀର ମୂଳ ଲକ୍ଷ୍ୟ ବୋଲି କହିଥିଲେ।
ଅନୁଷ୍ଠାନର ଉପଦେଷ୍ଟା ତଥା ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ।

ସେ ବିଶ୍ବକବି ରବୀନ୍ଦ୍ରନାଥଙ୍କ ଓଡ଼ିଶା ସହ ଥିବା ନିବିଡ଼ ସମ୍ପର୍କ ଦର୍ଶାଇବା ସହିତ ଶାନ୍ତି ନିକେତନ ଭାରତୀୟ ସଂସ୍କୃତି, ସାହିତ୍ୟ ଓ କଳା ଶିକ୍ଷାର ଦିଗଦର୍ଶକ ହୋଇ ରହିବ ବୋଲି କହିଥିଲେ। ଅନୁଷ୍ଠାନର ସମ୍ପାଦିକା ମମତା ଷଡ଼ଙ୍ଗୀ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପ ସଭାପତି କବି ଡ. ସୁରେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରାକ୍ତନୀ ପରିବାରର ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବର୍ଦ୍ଧନା ପର୍ବରେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଅଭିନ୍ନଚନ୍ଦ୍ର ସାହୁଙ୍କୁ ‘ଗୁରୁଗୌରବ ସମ୍ମାନ-୨୦୨୧’, ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କୁ ‘ସୃଜନୀ ସମ୍ମାନ’, ବିଶିଷ୍ଟ ମୂର୍ତ୍ତିକଳା ସ୍ଥପତି ରବିନାରାୟଣ ରଥ, ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ, ଡ. ଅଲେଖ ଚରଣ ସାହୁ ଓ ସତ୍ୟବ୍ରତ ଦାସଙ୍କୁ ‘ପ୍ରାକ୍ତନୀ କଳା ସମ୍ମାନ’ ଓ ବିଶିଷ୍ଟ ନାଟ୍ୟକାର ଓ ସ୍ତମ୍ଭକାର ଡ. ସଞ୍ଜୟ ହାତୀଙ୍କୁ ‘ପ୍ରାକ୍ତନୀ ନାଟକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ତରୁଣ କୁମାର ସାଙ୍କୁ ‘ପ୍ରଫେସର ମାନସ ରଂଜନ ତ୍ରିପାଠୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା।

ଓଡ଼ିଶା ଓ ରାଜ୍ୟ ବାହାରେ କଳା-ସାହିତ୍ୟ-ସଂସ୍କୃତି-ବିଜ୍ଞାନ ଆଦି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶାନ୍ତି ନିକେତନର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ‘ପ୍ରାକ୍ତନୀ ଛାତ୍ର ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡ. ପ୍ରଫୁଲ୍ଲ ପାଣିଙ୍କ ଗଳ୍ପ ସଂକଳନ ‘ଲୋଡ଼ିବାର ବେଳ’ ଲୋକାର୍ପିତ ହୋଇଥିଲା। ଡ. ଦେବାନନ୍ଦ ଦାସଙ୍କ ସଂଯୋଜାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଶ୍ମିରେଖା ପାହାଡ଼ି ଧନ୍ୟବାଦ ଦେଇଥିଲେ। ଡ. ଅନନ୍ତ କିଶୋର ଜେନା, ଡ. ରଶ୍ମିତା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର