ଶାନ୍ତିନିକେତନରେ ଦୁଇଦିନିଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ପରମ୍ପରାକୁ ଭୁଲି ଆଗକୁ ଯାଇହୁଏ ନାହିଁ: ସୌଭାଗ୍ୟ ମିଶ୍ର

ଭୁବନେଶ୍ବର: ପରମ୍ପରାକୁ ଭୁଲି ଆଗକୁ ଯାଇହୁଏ ନାହିଁ ବୋଲି ବିଶିଷ୍ଟ କବି ସୌଭାଗ୍ୟ କୁମାର ମିଶ୍ର କହିଛନ୍ତି। ଗତ ୧୧ ଓ ୧୨ ଦୁଇଦିନ ଧରି ବିଶ୍ବଭାରତୀ ଓଡ଼ିଆ ବିଭାଗ ଏବଂ କଟକର ସୃଜନ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ମିଶ୍ର କହିଥିଲେ ଯେ ଉତ୍ସାହ ସହ ଅଧ୍ୟବସାୟ ହେଉଛି ସୃଜନକର୍ମର ସର୍ବନିମ୍ନ ଦାବି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ କହିଥିଲେ ଯେ ସାହିତ୍ୟ ହେଉଛି ସମାଜର ସାମୂହିକ ଚେତନା, ଯାହା ଆମକୁ ଦିଗଦର୍ଶନ ଦେଇଥାଏ। ଭାଷା ଭବନର ଅଧ୍ୟକ୍ଷ ପ୍ରଫେସର ନରୋତ୍ତମ ସେନାପତି ସାହିତ୍ୟ ମାଧ୍ୟମରେ ଜୀବନରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଚତୁର୍ବର୍ଗ ପ୍ରାପ୍ତ ହୋଇଥାଏ ବୋଲି କହିଥିବା ବେଳେ ପ୍ରଫେସର କଇଳାଶ ପଟ୍ଟନାୟକ କହିଥିଲେ, ଲେଖକମାନେ ଜଙ୍ଗଲ, ଚନ୍ଦନ କାଠ ଓ ହାତୀ ଦାନ୍ତର ପ୍ରଲୋଭନକୁ ଏଡ଼ାଇ ଆହୁରି ଆଗକୁ ଚାଲି ଯାଇଥାଆନ୍ତି। କାର୍ଯ୍ୟକ୍ରମରେ ସୃଜନ ଇଣ୍ଡିଆର ନିର୍ଦେଶକ ହିଂମାଶୁ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶରତ ଜେନା ସଂଯୋଜନା କରିଥିଲେ। ଅଧ୍ୟାପକ ରବୀନ୍ଦ୍ର ଦାସ ଗଙ୍ଗାଧର ମେହେରଙ୍କ କବିତାଟିଏ ସ୍ବାଗତ ସଂଗୀତ ଭାବେ ପରିବେଷଣ କରିଥିଲେ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ଲେଖକ ଗୋପୀନାଥ ମହାନ୍ତି, ସଚ୍ଚି ରାଉତରାୟ ଓ ମହାପାତ୍ର ନୀଳମଣି ସାହୁଙ୍କ ଉପରେ ୩ଟି ଅଧିବେଶନରେ ଆଲୋଚନା କରାଯାଇଥିଲା। ବିଶିଷ୍ଟ ଲେଖକ ଜ୍ୟୋତି ନନ୍ଦ, ଅସିତ ମହାନ୍ତି, ମନୋରଂଜନ ପ୍ରଧାନ, ଅରବିନ୍ଦ ରାୟ, ଗିରିବାଳା ମହାନ୍ତି, ମମତା ଦାଶ, ସବିତା ପ୍ରଧାନ, ସନ୍ତୋଷ ତ୍ରିପାଠୀ, ଇନ୍ଦ୍ରମଣି ସାହୁ ପ୍ରମୁଖ ଅଧିବେଶନରେ ବକ୍ତବ୍ୟ ରଖିଥିଲେ। ‘ନିଜକୁ ଲେଖିବା କେମିତି’, ‘ପଠନ-ଲିଖନ-କଥନ ଦକ୍ଷତା’, ‘ସର୍ଜନାର କେତେ ଧାରା’ ଇତ୍ୟାଦି ପ୍ରସଙ୍ଗ ନେଇ ଅନୁଷ୍ଠିତ ଅଧିବେଶନରେ ହିରଣ୍ମୟୀ ମିଶ୍ର, ଶୁଭଶ୍ରୀ ଲେଙ୍କା, ଲକ୍ଷ୍ମୀ ଚାନ୍ଦ, ସ୍ବାଗତିକା ସ୍ବାଇଁ ଓ ଏଲି ମହାନ୍ତି ପ୍ରମୁଖ ଲେଖିକା, ଗୀତିକାର ମୋହିତ ଚକ୍ରବର୍ତୀ, ଅମରେଶ ବିଶ୍ବାଳ, ବିରଜା ବଳ ପ୍ରମୁଖ କବି ଓ କଥାକାର ଅଂଶଗ୍ରହଣ କରିଥିଲେ। ସେହିପରି ‘ମୋ ରସଗୋଲା, ମୋ ସାହିତ୍ୟ’ ଶୀର୍ଷକ ପାୱାର ପଏଣ୍ଟ୍‌ ଉପସ୍ଥାପନା ଜରିଆରେ ଗବେଷକ ଅସିତ ମହାନ୍ତି ପ୍ରସଙ୍ଗର ପୃଷ୍ଠଭୂମି, ବିବାଦ ଏବଂ ଓଡ଼ିଶାର ବିଜୟ କଥା ବୁଝାଇଥିଲେ।

ସମ୍ବନ୍ଧିତ ଖବର