ବହୁଚର୍ଚ୍ଚିତ ସନ୍ନ୍ୟାସୀ ସ୍ବାଇଁ ହତ୍ୟାକାଣ୍ଡ: ଅନନ୍ତ ନିର୍ଦ୍ଦୋଷରେ ଖଲାସ, ମିଥ୍ୟା ପ୍ରମାଣ ଓ ଦୁର୍ବଳ ତଦନ୍ତ ଅଭିଯୁକ୍ତକୁ ସୁହାଇଲା

ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ କି?

ଭୁବନେଶ୍ବର : ବହୁଚର୍ଚ୍ଚିତ ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ସନ୍ନ୍ୟାସୀ ସ୍ବାଇଁ ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ଭୁବନେଶ୍ବର ସ୍ପେସାଲ୍ ଜଜ୍, ସିବିଆଇ-୧ ତଥା ଆଡିସିନାଲ୍ ସେସନ୍ ଜଜ୍‌ର ବିଚାରପତି ବିଏନ୍ ମହାନ୍ତି ମାମଲାର ଶୁଣାଣି କରି ହତ୍ୟା ଅଭିଯୁକ୍ତ ଅନନ୍ତ ରାଉତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୁଲିସ ଦାଖଲ କରିଥିବା ଚାର୍ଜସିଟ୍, ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ପନିକି ଓ ୧୯ଜଣ ସାକ୍ଷୀଙ୍କ ବୟାନ୍ ଗ୍ରହଣ ପରେ ହତ୍ୟାକାଣ୍ଡରେ ଅନନ୍ତର ସଂପୃକ୍ତିକୁ ନେଇ କୌଣସି କଥା ମେଳ ଖାଇନଥିଲା। ତେଣୁ ପୁଲିସ ଲଗାଇଥିବା ଦଫା ୩୦୨ ଓ ୨୦୧କୁ ପ୍ରମାଣିତ କରିବାରେ ବିଫଳ ହେବାରୁ ଦଫା ୨୩୫(୧)ରେ ତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରାଯାଇଛି। ଆସନ୍ତା ୪ମାସ ମଧ୍ୟରେ ଏହି ରାୟକୁ ଚାଲେଞ୍ଜ୍ କରି ଯଦି ଉପର କୋର୍ଟରେ ଆବେଦନ କରାନଯାଏ, ତେବେ ଏହି ଆଦେଶ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି।

କ’ଣ ଥିଲା ଘଟଣା
୨୦୧୮ ଏପ୍ରିଲ ୧୯ତାରିଖ। ଉକ୍ତ ବସ୍ତିର ଏକ ଘରୁ ରକ୍ତର ସୁଅ ରାସ୍ତାକୁ ବହୁଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତ ପରେ ପୁଲିସ ଜଣାଇଥିଲା ଯେ ମୃତକ ହେଉଛନ୍ତି ଗଂଜାମର ସନ୍ନ୍ୟାସୀ ବେହେରା। ତାରିଣୀ ବସ୍ତିରେ ଏକ ଘର ଜବରଦଖଲକୁ ନେଇ ସନ୍ନ୍ୟାସୀଙ୍କର ଅନନ୍ତ କୁମାର ରାଉତ ନାମକ ଜଣେ ଯୁବକ ସହିତ ଝଗଡ଼ା ହୋଇଥିଲା। ସନ୍ନ୍ୟାସୀଙ୍କ ପତ୍ନୀ ଗୀତାଞ୍ଜଳି, ଝିଅ ସୁନୀତା ଓ ତାଙ୍କ ପୁଅ ଓମ୍ ଗାଁରେ ଘର କାମ ପାଇଁ ଗଂଜାମ ଯାଇଥିଲେ। ଏପ୍ରିଲ୍ ୧୮ ତାରିଖ ଦିନ ଘରେ କେହି ନଥିବା ବେଳେ ସନ୍ନ୍ୟାସୀ ଓ ଅନନ୍ତ ମିଶି ଭୋଜି କରିଥିଲେ। ସନ୍ନ୍ୟାସୀ ମଦ ନିଶାରେ ଚୁର୍ ହୋଇ ଶୋଇପଡ଼ିଥିଲା। ଏହି ମଉକାରେ ଅନନ୍ତ ଏକ ପନିକିରେ ସନ୍ନ୍ୟାସୀର ମୁଣ୍ଡ, ମୁହଁ, ହାତ ଓ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ହାଣି ପକାଇଥିଲା। ସନ୍ନ୍ୟାସୀ ମରିଯାଇଥିବା ଭାବି ସେ ଫେରାର୍ ହୋଇଯାଇଥିଲା। ପ୍ରାୟ ୩ମାସ ପରେ ପୁଲିସ ଅନନ୍ତକୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ଉଜୁଲଙ୍ଗାରୁ ଗିରଫ କରିଥିଲା। ଏହା ସହିତ ସନ୍ନ୍ୟାସୀଙ୍କ ଘରୁ ପୁଲିସ ଏକ ପନିକି ଜବତ କରିଥିଲା। ସେତେବେଳେ ଖଣ୍ଡଗିରି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ସବ୍‌ ଇନ୍ସପେକ୍ଟର ଅଶ୍ବିନୀ କୁମାର ଜେନା ତଦନ୍ତ ଭାର ଗ୍ରହଣ କରିଥିଲେ।

Telegraph India

କାହିଁକି ପ୍ରମାଣ କରିପାରିଲାନି କମିସନରେଟ୍‌ ପୁଲିସ?
ସନ୍ନ୍ୟାସୀ ହତ୍ୟାକାଣ୍ଡରେ ବିଚାର ପାଇଁ କୋର୍ଟରେ ପୁଲିସ ୧୯ଜଣ ସାକ୍ଷୀଙ୍କୁ ହାଜର କରାଇଥିଲା। ଏହା ସହିତ ହତ୍ୟାକାଣ୍ଡ ପାଇଁ ବ୍ୟବହୃତ ପନିକି ଓ ହତ୍ୟାର ଶିକାର ସନ୍ନ୍ୟାସୀ ସ୍ବାଇଁଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀର ବୟାନ ରେକର୍ଡର ପ୍ରଶ୍ନୋତ୍ତର ଦାଖଲ କରାଯାଇଥିଲା। ପ୍ରଥମତଃ ସମସ୍ତ ୧୯ ଜଣଯାକ ସାକ୍ଷୀ କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ। ସେହିଭଳି ସନ୍ନ୍ୟାସୀଙ୍କ ପତ୍ନୀ ଗୀତାଞ୍ଜଳି ଓ ତାଙ୍କ ପୁଅ, ଝିଅଙ୍କ ବ୍ୟତୀତ ଅନ୍ୟ ସାକ୍ଷୀମାନେ କୋର୍ଟରେ ବାରମ୍ବାର କଥା ବଦଳାଇଥିଲେ। ସେହିଭଳି ପୁଲିସ ଯେଉଁ ପନିକି ଜବତ କରି ଲ୍ୟାବ୍‌କୁ ପଠାଇଥିଲା, ସେଠାରେ ପରୀକ୍ଷଣ ପରେ ଜଣାପଡ଼ିଥିଲା ଯେ ପନିକିରେ ରକ୍ତ ହିଁ ଲାଗିନାହିଁ। ତେଣୁ ମୁଖ୍ୟ ପ୍ରମାଣ ଅର୍ଥାତ୍, ହତ୍ୟା ପାଇଁ ଯେ ପନିକି ବ୍ୟବହାର ହୋଇଥିଲା, ତା’ର କୌଣସି ସତ୍ୟତା ନାହିଁ ବୋଲି ଅନନ୍ତଙ୍କ ପକ୍ଷରୁ ମାମଲା ଲଢ଼ିଥିବା ଆଇନଜୀବୀ ଚିତ୍ତରଂଜନ ଦାସ ଯୁକ୍ତି ବାଢ଼ିଥିଲେ।

ସେହିଭଳି ସନ୍ନ୍ୟାସୀଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ବି ପୁଲିସକୁ ଅଡ଼ୁଆରେ ପକାଇଥିଲା। ମାତ୍ର କୋର୍ଟରେ ଡାକ୍ତରଙ୍କ ବୟାନ ପୁଲିସ ଚାର୍ଜସିଟ୍‌ ବିରୋଧରେ ଯାଇଥିଲା। ଡାକ୍ତର କହିଥିଲେ, ସନ୍ନ୍ୟାସୀ ସଂପୂର୍ଣ୍ଣ ଚେତାଶୂନ୍ୟ ଅବସ୍ଥାରେ ମେଡିକାଲ୍ ଆସିଥିଲେ। ସେ କଥା କହିବାକୁ ମଧ୍ୟ ସକ୍ଷମ ନଥିଲେ। ତେଣୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଇସିୟୁକୁ ରୋଗୀ ଏବଂ ଡାକ୍ତରଙ୍କ ଛଡ଼ା ଆଉ କାହାକୁ ପ୍ରବେଶର ଅନୁମତି ନାହିଁ। ତେଣୁ ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ କୌଣସି ଡାକ୍ତର ଅନୁମତି ମଧ୍ୟ ନିୟମ ଅନୁସାରେ ନିଆଯାଇନାହିଁ। ତେଣୁ ସନ୍ନ୍ୟାସୀଙ୍କ ରେକର୍ଡ ହୋଇଥିବା ବୟାନ ଗ୍ରହଣଯୋଗ୍ୟ ନୁହେଁ। ଏସବୁ ବ୍ୟତୀତ ଚାର୍ଜସିଟ୍‌ରେ ପୁଲିସ ସିଡିଆର୍‌କୁ ନେଇ ମଧ୍ୟ କୌଣସି ରିପୋର୍ଟ ଦାଖଲ କରି ନଥିଲା। ଫଳରେ ପୁଲିସ ଲଗାଇଥିବା ଦଫାଗୁଡ଼ିକ କାଟ୍ ଖାଇଥିଲା।

Times of India

କ’ଣ ରହିଛି ନିୟମ?
ଜଣେ ବରିଷ୍ଠ ଆଇନଜୀବୀ ସୂଚନା ଦେଇଛନ୍ତି, ପୁଲିସ କୋର୍ଟରେ ଦାଖଲ କରିଥିବା ତଥ୍ୟକୁ ଯଦି ପ୍ରମାଣ କରିନପାରିବ, ତେବେ ଉକ୍ତ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ପ୍ରୋସିଡିଂ ହେବ। ଏହାସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଦୋଷ ସାବ୍ୟସ୍ତ ହୋଇପାରିଲାନି
ପୁଲିସ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ପିପି ଆଶୁତୋଷ ମହାନ୍ତି କହିଛନ୍ତି, ସନ୍ନ୍ୟାସୀ ହତ୍ୟାକାଣ୍ଡରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିଲେ। ପାରିପାର୍ଶ୍ବିକ ସ୍ଥିତିକୁ କେନ୍ଦ୍ର କରି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା। ଯାହା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସବୁଠୁ ବଡ଼ ସମସ୍ୟା ଥିଲା। ଏସବୁ ବ୍ୟତୀତ ପୁଲିସ ମଧ୍ୟ ଠିକ୍ ଭାବେ ତଦନ୍ତ କରିନଥିଲା କି ସିଡିଆର୍‌ରୁ ମଧ୍ୟ କୌଣସି ପ୍ରମାଣ ମେଳ ମିଳିନଥିଲା।
ଆଶୁତୋଷ ମହାନ୍ତି (ଅତିରିକ୍ତ ପିପି)

ଦୋଷ ନଥାଇ ୩ବର୍ଷ ଜେଲ୍‌ ଦଣ୍ଡ
ପୁଲିସର ଭୁଲ୍‌ ପାଇଁ ଜଣେ ନିରୀହ ଲୋକ ୩ବର୍ଷ କାଳ ଜେଲ୍‌ରେ ରହିଲା। ତେଣୁ ଏହା ବିରୋଧରେ ଆମେ ସରକାରଙ୍କ ଠାରୁ କୋର୍ଟ ଅଫ୍ ଲ’ରେ କ୍ଷତିପୂରଣ ଦାବି କରିବୁ। ଏହା ବ୍ୟତୀତ ବିନା କୌଣସି ତଥ୍ୟ ପ୍ରମାଣରେ କେମିତି ଜଣେ ଲୋକକୁ ଗିରଫ କରାଯାଉଛି, ତା’ ମଧ୍ୟ ଆଶ୍ଚର୍ଯ୍ୟଜନକ।
ଚିତ୍ତରଂଜନ ଦାସ (ଅନନ୍ତଙ୍କ ଓକିଲ)

ସମ୍ବନ୍ଧିତ ଖବର