ଖଣ୍ଡଗିରି: ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ରାଜ୍ୟବ୍ୟାପୀ ବୃକ୍ଷରୋପଣ ଅଭିଯାନ ‘ଆସ ଚାରାଟିଏ ଲଗାଇବା’ ଆରମ୍ଭ ହୋଇଛି। ଏହିକ୍ରମରେ ଆଜି ଅପରାହ୍ନରେ ଓୟୁଏଟି ଫାର୍ମରେ ମହାନଗର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ମହତ୍ ପ୍ରୟାସକୁ ପ୍ରଫେସର ରାଉଳ ପ୍ରଶଂସା କରି କହିଲେ, ପରିବେଶକୁ ସୁରକ୍ଷା ଦେବା ପାଇଁ ଏବେଠାରୁ ସାଧାରଣ ଲୋକଙ୍କୁ ଜାଗ୍ରତ କରିବାର ସମୟ ଆସିଛି। ସାମାଜିକ ଦାୟିତ୍ବବୋଧକୁ ହୃଦୟଙ୍ଗମ କରି ପ୍ରତି ନାଗରିକ ଅଧିକରୁ ଅଧିକ ଗଛ ଲଗାଇବା ଆବଶ୍ୟକ। ପରିବେଶ ସୁରକ୍ଷା ଦିଗରେ ଓୟୁଏଟି ସର୍ବଦା ଗୁରୁତ୍ବ ଦେଇ ଆସିଛି। ‘ସମ୍ବାଦ’ ସହାୟତାରେ ପ୍ରତିବର୍ଷ ଲଗାତାର ଭାବେ ବ୍ୟାପକ ବୃକ୍ଷରୋପଣ କରାଯାଉଛି।
ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଲେ, ‘ସମ୍ବାଦ ସାହିତ୍ୟଘର’ ଦ୍ବାରା ଓଡ଼ିଶାର ୩୧୪ ବ୍ଲକ୍ ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରତିବର୍ଷ ଲକ୍ଷାଧିକ ଚାରାରୋପଣ ହେଉଛି। ଚଳିତବର୍ଷ ମଧ୍ୟ ୨ ଲକ୍ଷରୁ ଅଧିକ ଚାରାରୋପଣ କରିବାକୁ ଲକ୍ଷ୍ୟ ରଖିଛୁ। ସମାଜର ବିଭିନ୍ନ ବର୍ଗର ଲୋକ ଏହି ଅଭିଯାନରେ ସାମିଲ ହୋଇ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଠନ କରିବାରେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ। ‘ଆମ ଓଡ଼ିଶା’ ସମ୍ପାଦକ ଅରବିନ୍ଦ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ଏକ ହାଇଟେକ୍ ନର୍ସରିକୁ କୁଳପତି ପ୍ରଫେସର ରାଉଳ ଉଦ୍ଘାଟନ କରିଥିଲେ।
ସିଆଇଏଫ୍ଓଆର-ଇକ୍ରାଫ୍ର ନିର୍ଦ୍ଦେଶକ ମନୋଜ ଦାବସ, ଫରେଷ୍ଟ୍ରି କଲେଜ ଡିନ୍ ସଞ୍ଜୟ କୁମାର ଦାସ, କୃଷି ମହାବିଦ୍ୟାଳୟ ଡିନ୍ ହୃଷୀକେଶ ପାତ୍ର, ଗବେଷଣା ଡିନ୍ ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓୟୁଏଟି କୁଳସଚିବ ପ୍ରତିଭା ଦୋରା, ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଡିନ୍ ସୁଶିଲ କୁମାର ପଣ୍ଡା, ପିଜି ଷ୍ଟଡିସ୍ର ଡିନ୍ ଚନ୍ଦ୍ରମଣି ଖଣ୍ଡା, ଆଗ୍ରୋ ପଲିଟେକନିକ୍ ନିର୍ଦ୍ଦେଶକ ଡ. କେ କେ ସର୍ଦ୍ଦାର, ଗୋଷ୍ଠୀ ବିଜ୍ଞାନ ମହାବିଦ୍ୟାଳୟ ଡ. ପ୍ରୀତିଶ୍ରୀ ପାଢ଼ୀ, ମୌଳିକ ବିଜ୍ଞାନ ମହାବିଦ୍ୟାଳୟ ଡିନ୍ ନନ୍ଦିତା ସ୍ବାଇଁ, ବିତ୍ତ ନିୟନ୍ତ୍ରକ ଲୁନା ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ କେଶବ ପାଣି, ହରପ୍ରିୟା ପୃଷ୍ଟି, ଦେବଦଳନ ରଥ, ନରସିଂହ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ।