ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବଜାର ବୁଦ୍ଧନାଥ ବ୍ୟବସାୟୀ ସଙ୍ଘ ଏବଂ ସାର୍ବଜନୀନ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଲାଗି ବୁଧବାର ବିଲ୍ଵାଧିବାସ କର୍ମ ଅନୁଷ୍ଠିତ ହୋଇଯାଇଛି। ଶିଶୁମଠ ଗ୍ରାମରେ ଥିବା ବେଲଗଛରୁ ବିଲ୍ଵବରଣ କର୍ମ ସଂପାଦନ ହୋଇଥିଲା। ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ନାଦ ସହିତ କଳସ ସ୍ଥାପନ, ପୂଜା ଅର୍ଚନା, ହୋମ କରାଯାଇ ବିଲ୍ ସଂଗ୍ରହ ହୋଇଥିଲା। ଏହି ବିଲ୍ଵ ଚାମୁଣ୍ଡାଙ୍କ ଉଦେଶ୍ୟରେ ପୂଜା ହୋଇଥାଏ ବୋଲି ପୂଜକ କହିଛନ୍ତି।
ଆଜି ସପ୍ତମୀ ପୂଜାରେ କଳସ ଶୋଭାଯାତ୍ରା, ଘଟ ଓ ମଣ୍ଡଳ ସ୍ଥାପନ, ଚକ୍ଷୁଦାନ, ଷୋଡଶଉପଚାର ପୂଜା, ମଣ୍ଡଳାର୍ଚ୍ଚିତ, ଦେବା ଦେବୀ ଆମନ୍ତ୍ରଣ, ହବନ ଆଦି କର୍ମ କରାଯାଇଛି। ଆସନ୍ତାକାଲି (ଶୁକ୍ରବାର) ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେବ । ବୁଦ୍ଧନାଥ ବ୍ୟବସାୟୀ ସଙ୍ଘ ସଭାପତି ହେମନ୍ତ କୁମାର ଜେନା, ସମ୍ପାଦକ ସୁରେନ୍ଦ୍ର ନାଥ ନାୟକ, ଜୟନ୍ତ କୁମାର ଶିଶୁ ଗୋସ୍ୱାମୀ, ଅଜୟ କୁମାର ହୋତା ପ୍ରମୁଖ ଚଳିତ ବର୍ଷ ପୂଜାରେ କୋଭିଡ଼ କଟକଣା ପାଳନ ଉପରେ ଗୁରତ୍ୱ ଦିଆଯିବ ବୋଲି କହିଛନ୍ତି।
ସେହିପରି କୁଶଭଦ୍ରା ସାଂସ୍କୃତିକ ପରିଷଦ ତରଫରୁ ଆଜି ବିଲ୍ଵାଧିବାସ କର୍ମ, କଳସ ଶୋଭାଯାତ୍ରା ହୋଇଯାଇଛି। ଶୁକ୍ରବାର ନବପତ୍ରିକା ସ୍ନାନ, ଚକ୍ଷୁଦାନ, ମଣ୍ଡଳ ସ୍ଥାପନ, ବ୍ରାହ୍ମଣ ବରଣ, ମହାସ୍ନାନ, ଚଣ୍ଡିପାଠ, ମହାଷ୍ଟମୀ ବ୍ରତପୂଜା, ଆରତୀ କରାଯିବ ଶନିବାର ସନ୍ଧିପୂଜା ଓ ରବିବାର ଚରୁଅନ୍ନ ଏବଂ ସୋମବାର ଦଶହରା ପୂଜା ସହ ରାତ୍ର ୯ ଘଟିକା ସମୟରେ ବିସର୍ଜନ ପୂଜା କରାଯିବା ପାଇଁ ସ୍ଥିର ହୋଇଥିବା କମିଟି ପକ୍ଷରୁ ସୂଚନା ମିଳିଛି।