‘ସରଗି ଫୁଲ’ର ଦ୍ବିତୀୟ ଦିବସ, ପ୍ରତିଭା ଦେଖାଇଲେ ପିଲା

ଭୁବନେଶ୍ବର: ପିଲାଙ୍କ ମଧ୍ୟରେ ଭରି ରହିଛି ଅନେକ ପ୍ରତିଭା। ସେଗୁଡ଼ିକ କେତେବେଳେ ପଦାକୁ ଆସେ ତ ଆଉ କେତେବେଳେ ଆସିପାରେ ନାହିଁ। ବିଶେଷକରି ଆଦିବାସୀ ତଥା ପଛୁଆ ଅଞ୍ଚଳରେ ଥିବା ପିଲାମାନଙ୍କ ଦକ୍ଷତା ଆଗକୁ ଆସିବାରେ ସମସ୍ୟା ସୃଷ୍ଟି ହୁଏ। ସେଭଳି ପ୍ରତିଭାବାନ୍‌ ଛାତ୍ରଛାତ୍ରୀଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଅନୁସୂଚିତ ଜ‌ନଜାତି ଓ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଆଦିବାସୀ ପଡ଼ିଆରେ ଚାଲିଛି ‘ସରଗି ଫୁଲ’। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଦ୍ବିତୀୟ ଦିବସରେ ପିଲାମାନେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ। ଦିବସ ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଟେରାକୋଟା, ଚିତ୍ରାଙ୍କନ, ଜୀବନ କୌଶଳ, ଯାଦୁବିଦ୍ୟା, ଚିତ୍ର ‌ଉତ୍ତୋଳନ, ଓଡ଼ିଶୀ ନୃତ୍ୟ, ସୃଜନାତ୍ମକ ନୃତ୍ୟ, ସାମ୍ବାଦିକତା, ସୃଜନାତ୍ମକ ରଚନା, ବିଜ୍ଞାନ ଖେଳ, ଗଣିତ ଖେଳ, କାଗଜ କଳା ପ୍ରମୁଖ ବିଭାଗରେ ପିଲାମାନେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଅପରାହ୍ଣରେ କୁଇଜ୍‌, ବକ୍ତୃତା, ତର୍କ, ସଙ୍ଗୀତ, ଏକକ ନୃତ୍ୟ, ଚିତ୍ରାଙ୍କନ, ଗଣିତ ବିଦ୍ୟା, ଭଲିବଲ ପ୍ରଭୃତି ପ୍ରତିଯୋଗିତା‌ରେ ଅଂଶଗ୍ରହଣ କରିଥିଲେ। ଅପରାହ୍‌ଣରେ ମୁଖ୍ୟ ମଞ୍ଚ ସାଜିଥିଲା ଆକର୍ଷଣ। ୧୪ଟି ଜିଲ୍ଲାର ପିଲାମାନଙ୍କ ଦ୍ବାରା ନୃତ୍ୟ ବିଚିତ୍ରା ପ୍ରଦର୍ଶିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଉପସ୍ଥିତ ଦର୍ଶକମାନେ ମଧ୍ୟ ଭରପୂର୍‌ ମନୋରଞ୍ଜନ ନେଇଥିଲେ। ଶୁକ୍ରବାର ଉତ୍ସବର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଶ୍ରେଷ୍ଠ ବିବେଚିତ ୫୦ଟି ବିଦ୍ୟାଳୟ ସମେତ ୧୩୭ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ସମ୍ବନ୍ଧିତ ଖବର