ଶିକ୍ଷା ସାମାଜିକ ଓ ଅର୍ଥନୈତିକ ବିକାଶର ମୂଳ ଶକ୍ତି

ଆରମ୍ଭ ହେଲା ‘ସର୍‌ଗି ଫୁଲ’

ଭୁବନେଶ୍ୱର : ସାମାଜିକ ଓ ଅର୍ଥନୈତିକ ବିକାଶର ମୂଳ ଶକ୍ତି ହେଉଛି ଶିକ୍ଷା। ଶିକ୍ଷାରୁ କେହି ବାଦ୍‌ ପଡ଼ିବା ଉଚିତ ନୁହେଁ। ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ବି ଯେପରି ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇପାରିବେ ସରକାର ସେ ଦିଗରେ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଆଦିବାସୀ ପଡ଼ିଆରେ ଆଜିଠୁ ଆରମ୍ଭ ହୋଇଥିବା ‘ସର୍‌ଗି ଫୁଲ’କୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଲେ, ସଂପ୍ରତି ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ହଜାର ହଜାର ହଷ୍ଟେଲ୍‌ ଓ ସ୍କୁଲ୍‌ ଖୋଲିଥିବା ବେଳେ ୨୦ଲକ୍ଷରୁ ଊର୍ଧ୍ୱ ପିଲା ଛାତ୍ରବୃତ୍ତି ପାଇଛନ୍ତି। ଏହି ଧାରା ଆଗକୁ ବି ଜାରି ରହିବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ‘ମୁଁ ବି ପାରିବି’ ଥିମ୍‌କୁ ନେଇ ଆରମ୍ଭ ହୋଇଛି ସର୍‌ଗି ଫୁଲ। ‘ଆମେ ପଢ଼ିବୁ, ବଢ଼ିବୁ ଶ୍ରେଷ୍ଠ ହେବୁ’ ସ୍ଳୋଗାନରେ ପରିବେଶ ସଜା ଯାଇଥିବା ବେଳେ ୩୦ଟି ଜିଲ୍ଲାର ୧୦୪୦ଜଣ ଛାତ୍ରଛାତ୍ରୀ ଏବଂ ୧୫୮ ଶିକ୍ଷକ/ଶିକ୍ଷୟିତ୍ରୀ ସାମିଲ୍‌ ହୋଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ କଳାତ୍ମକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଜ୍ଜି ଯାଇଥିଲେ। ନିଜ ସୃଜନର ପରିପ୍ରକାଶ ପାଇଁ ବିଭିନ୍ନ ଶିବିରରେ ପିଲାଏ ସାମିଲ୍‌ ହୋଇଥିଲେ।

ଆଶ୍ରମ ସ୍କୁଲ୍‌, ସେବାଶ୍ରମ, ଉଚ୍ଚବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଏବଂ ଶିକ୍ଷାପୁଞ୍ଜ ସମୂହର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସାମିଲ୍‌ ହୋଇଥିବା ବେଳେ ୨୨ଟି ବିଷୟରେ କର୍ମଶାଳା ଆୟୋଜନ କରାଯାଇଛି। ଏଥିସହିତ ୨୦୧୭ ମାଟ୍ରିକ୍‌ ପରୀକ୍ଷାରେ ଭଲ ଫଳାଫଳ ହାସଲ କରିଥିବା ୧୦୬ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ। ଉଦ୍‌ଘାଟନୀ ମଞ୍ଚରେ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଅଭିଭାଷଣ ରଖିଥିବା ବେଳେ ବିଭାଗୀୟ ସଚିବ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିବା ବେଳେ ୨୦ ତାରିଖ ପର୍ଯ୍ୟନ୍ତ ସର୍‌ଗି ଫୁଲ କାର୍ଯ୍ୟକ୍ରମ ଚାଲିବ।

ସମ୍ବନ୍ଧିତ ଖବର