ଭୁବନେଶ୍ବର: ସରାଇ ଆପ୍ ବ୍ୟବହାରକୁ କମିସନରେଟ୍ ପୁଲିସ ଗୁରୁତ୍ବର ସହ ନେଇଛି। ସହରରେ ସମସ୍ତ ହୋଟେଲ୍ ସରାଇ ଆପ୍ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ଦିନକୁ ଦିନ ସହରରେ ଅପରାଧ ବୃଦ୍ଧି ପାଉଥିବା ବେଳେ ଅପରାଧୀ ହୋଟେଲ୍ରେ ଲୁଚି ରହୁଛନ୍ତି। ଆଉ ନିଜ ପରିଚୟ ନଦେଇ ଅତି ସହଜରେ ଖସିପଳାଉଛନ୍ତି। ତେଣୁ ଅପରାଧ ନିୟନ୍ତ୍ରଣ ପାଇଁ ଡିସିପି ପ୍ରତୀକ ସିଂ ସରାଇ ଆପ୍କୁ ସମସ୍ତ ହୋଟେଲ୍ରେ ଲାଗୁ କରିବାକୁ ନିର୍ଦେଶ ଦେଇଛନ୍ତି। ମାତ୍ର ୪୦ ପ୍ରତିଶତ ହୋଟେଲ୍ ଏହି ଆପ୍କୁ ବ୍ୟବହାର କରୁଛନ୍ତି। ବାକି ୬୦% ହୋଟେଲ୍ ଖୋଲାଖୋଲି ନିୟମକୁ ଉଲ୍ଲଂଘନ କରୁଛନ୍ତି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି। ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ୬୦ରୁ ଅଧିକ ହୋଟେଲ୍ ଉପରେ କମିସନରେଟ୍ ପୁଲିସ ଚଢ଼ଉ କରି ହୋଟେଲ୍ମାଲିକଙ୍କୁ ଚେତାବନୀ ଦେଇଛି।
ଗତକିଛି ଦିନର ଅପରାଧିକ ଘଟଣାର ବିଶ୍ଳେଷଣ ପରେ ଡିସିପି ଶ୍ରୀ ସିଂ ସହରରେ ଥିବା ସମସ୍ତ ଛୋଟବଡ଼ ହୋଟେଲର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ଡିସିପିଙ୍କ ନିର୍ଦେଶ ପରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଥିବା ୧୪ଟି ହୋଟେଲରେ ଚଢ଼ଉ କରାଯାଇଥିବା ବେଳେ ରାଜମହଲ-ଅଶୋକନଗର ଅଞ୍ଚଳରେ ୨୭ଟି ହୋଟେଲ, ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ୱରୀ କଲୋନି ଅଞ୍ଚଳରେ ୭ଟି ହୋଟେଲ, ଶୈଳଶ୍ରୀବିହାର ଅଞ୍ଚଳରେ ୧୦ଟି ହୋଟେଲ ଭଳି ୬୦ରୁ ଊର୍ଧ୍ବ ହୋଟେଲ୍ରେ ଚଢ଼ଉ କରି ଆପ୍ ବ୍ୟବହାର ପାଇଁ କଡ଼ା ଚେତାବନୀ ଦିଆଯାଇଛି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।