ଭୁବନେଶ୍ବର : ରାଜଧାନୀରେ ଡେରା ପକାଉଥିବା ଲୁଟେରା ଓ ଠକଙ୍କୁ ଠାବ କରିବାକୁ ଥିବା ସରାଇ ନିୟମକୁ ଏଣିକି କଡ଼ାକଡ଼ି କରାଯିବ। ତେଣୁ ଶନିବାର ଦିନ କମିସନରେଟ୍ ପୁଲିସ ରାଜଧାନୀରେ ବହୁ ହୋଟେଲ୍, ଲଜ୍ ଓ ଗେଷ୍ଟ୍ହାଉସ୍ ବୁଲି ଯାଞ୍ଚ କରିଛି। ଶନିବାର ଦିନ ଭୁବନେଶ୍ବରର ୨୪ ଥାନା ପୁଲିସ ସନ୍ଧ୍ୟା ବେଳେ ନିଜ ନିଜ ଅଞ୍ଚଳସ୍ଥିତ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସ୍ରେ ଯାଞ୍ଚ୍ କରିବା ସହିତ ସରାଇ ଆପ୍କୁ ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଗତ ବର୍ଷଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା, ଗ୍ୟାସ୍ କଟର୍ ବ୍ୟବହାର କରୁଥିବା ସିନ୍ଧିଚୋର ଓ ବଙ୍ଗୀୟ ଲୁଟେରାମାନେ ରାଜଧାନୀର ବିଭିନ୍ନ ହୋଟେଲ୍ରେ ରହି ଲୁଟ୍ପାଟ୍ କରିଥିଲେ। ସେହିଭଳି ରାଜଧାନୀରୁ ବି ଆଜି ପୁଲିସ ସାଇବର ଠକ ବା ଜମତାରା ଗ୍ୟାଙ୍ଗ୍ ଠାବ କରିଛି। ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଫୁ’ କରିଦେଇଥିବାରୁ ଏହି ଗ୍ୟାଙ୍ଗ୍ ସବୁ ରାଜଧାନୀରେ ସହଜରେ ଡେରା ପକାଇଥିଲେ। ତେଣୁ ଏଣିକି ସରାଇ ନିୟମକୁ କଡ଼ାକଡ଼ି କରି ପୁଲିସ ରାଜଧାନୀରେ ଲୁଟେରା ଓ ଠକଙ୍କୁ ମଉକା ଦେବ ନାହିଁ ବୋଲି ଯୋଜନା କରିଛି।
ଏହି ନିୟମ ପାଳନ ହେଉଛି କି ନା, ସେନେଇ ପୁଲିସ ଟିମ୍ ସରପ୍ରାଇଜ୍ ଚେକିଂ କରିବ ବୋଲି ସୂଚନା ଦେଇଛି। ଏବେ ବସ୍ତିଗୁଡ଼ିକ ଉପରେ ନଜର ରଖାଯାଉଛି ଓ ଆଗାମୀ ଦିନରେ ଘର ଭଡ଼ାରେ ରହୁଥିବା ଲୋକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯିବା ସହ ମଝିରେ ମଝିରେ ତଲାସି ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।