ସରକଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରାତିରେ ପାଲଟୁଛି ଭୂତକୋଠି, ଜମୁଛି ଅସାମାଜିକଙ୍କ ଆଡ୍ଡା

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ସରକଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତରଖାନା ପ୍ରତିଷ୍ଠା ହେବାର ଏହା ଭିତରେ ଦୀର୍ଘ ୬ ବର୍ଷ ବିତିଗଲାଣି। ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇ ଦିଆଯାଇନାହିଁ। ଫଳରେ ଚିକିତ୍ସା ପାଇବାକୁ ଏଠାକୁ ଆସୁଥିବା ରୋଗୀମାନେ ହନ୍ତସନ୍ତ ହେଉଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଫନି ଯିବାର ଏହା ମଧ୍ୟରେ ଦୀର୍ଘ ୯ମାସ ବିତି ଗଲାଣି। ହେଲେ କ୍ଷୟକ୍ଷତିଜନିତ ସମସ୍ୟା ଏଯାଏ ସୁଧୁରି ପାରିନି। ଫନିରେ ଭାଙ୍ଗି ଯାଇଥିବା ପାଚେରି ନିର୍ମାଣ ହୋଇପାରିନି। ଭାଙ୍ଗି ପଡ଼ିଥିବା ୪ଟି ଲାଇଟ୍‌ ଷ୍ଟାଣ୍ଡ ମଧ୍ୟରୁ ଗୋଟିଏରେ ବି ଲାଇଟ୍‌ ଲାଗି ନାହିଁ। ରାତିରେ ଡାକ୍ତରଖାନା ଭୂତକୋଠି ପାଲଟୁଛି। ରାତିର ଅନ୍ଧାର ଯୋଗୁଁ ଡାକ୍ତରଖାନା ପରିସରରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଏହାର ପରିମଳ ଓ ପରିବେଶ ଅବସ୍ଥା ମଧ୍ୟ ସଂପୂର୍ଣ୍ଣ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ପରିସରରେ ମାଡ଼ି ଯାଇଥିବା ଅନାବନା ଗଛଲତା ସଫା ହେଉନି। ରାତିରେ ଡାକ୍ତରଖାନାରେ ସ୍ବାସ୍ଥ୍ୟକର୍ମୀ, ଡାକ୍ତର ଓ ନର୍ସ ରହୁ ନ ଥିବାରୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲୋକମାନେ ନାହିଁ ନଥିବା ସମସ୍ୟ‌ାର ସମ୍ମୁଖୀନ ହେଉଛନ୍ତି। ଏନେଇ ଡାକ୍ତରଖାନାରେ ଅନେକଥର ଉତ୍ତେଜନା ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ ସମିତି ବୈଠକ ଓ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଏହି ସବୁ ଅବ୍ୟବସ୍ଥା ନେଇ ଏକାଧିକ ଥର ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର