ମହିଳା ସଶକ୍ତୀକରଣର ପ୍ରତୀକ ଥିଲେ ସରଳାଦେବୀ: ପଞ୍ଚାନନ

ସରଳା ଦେବୀଙ୍କ ୧୧୯ ତମ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ବର: ବର୍ତ୍ତମାନ ମହିଳା ସଶକ୍ତୀକରଣ କଥା କୁହାଯାଉଛି। ହେଲେ ପଞ୍ଚାୟତରେ ମହିଳାଙ୍କ ବଦଳରେ ତାଙ୍କ ସ୍ବାମୀ ଶପଥ ନେଉଥିବା ଫଟୋ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ମହିଳାଙ୍କ ନାଁ ନେଇ ତାଙ୍କ ସ୍ବାମୀ ଓ ଭାଇ ଶାସନ କରୁଛନ୍ତି। ଏହା କ’ଣ ମହିଳା ସଶକ୍ତୀକରଣ? ପ୍ରକୃତରେ ମହିଳା ସଶକ୍ତୀକରଣ କ’ଣ ଜାଣିବାକୁ ମହାନ ସ୍ବାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜୀବନକୁ ଅନୁଧ୍ୟାନ କରନ୍ତୁ। ଯେଉଁ ସମୟରେ ମହିଳା ମୁଣ୍ଡରୁ ଓଢ଼ଣି କାଢ଼ୁ ନଥିଲେ, ଘରର ଏରୁଣ୍ଡିବନ୍ଧ ଡେଉଁ ନଥିଲେ, ସେ ସମୟରେ ସେ ଘରୁ ପାଦ କାଢ଼ି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ମହିଳାମାନଙ୍କୁ ସଙ୍ଗଠିତ କରୁଥିଲେ। ସେ ଅତ୍ୟନ୍ତ ଆତ୍ମନିର୍ଭର, ଆତ୍ମସଚେତନ, ସ୍ବାଭିମାନୀ ଥିଲେ। ଲୋଭ, ମୋହ, ମାୟା, ମମତାକୁ ପରିତ୍ୟାଗ କରି ଜାତି ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥିଲେ ବୋଲି ଆଜି ‘ସରଳା ଦେବୀ ସ୍ମୃତି ପରିଷଦ’ ପକ୍ଷରୁ ରୋଟାରି ଭବନରେ ଅନୁଷ୍ଠିତ ସରଳା ଦେବୀଙ୍କ ୧୧୯ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଏହା କହିଛନ୍ତି।

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଶ୍ରୀ କାନୁନ୍‌ଗୋ ଗାନ୍ଧୀ ଓ ସରଳାଦେବୀଙ୍କ ସମ୍ପର୍କକୁ ବର୍ଣ୍ଣନା କରି କହିଲେ, ଗାନ୍ଧୀଜୀ ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକ, ମଧୁସୂଦନ ଦାସ ଏବଂ ସରଳା ଦେବୀଙ୍କୁ ଆବିଷ୍କାର କରିଥିଲେ। ସରଳା ଦେବୀ ବିଭିନ୍ନ ସଭାରେ ଗାନ୍ଧୀଙ୍କ ବକ୍ତବ୍ୟକୁ ଓଡ଼ିଆ ଭାଷାରେ ବୁଝାଉଥିଲେ। ସ୍ବାଧୀନତା ସଂଗ୍ରାମରେ ଯେଉଁମାନଙ୍କ ତ୍ୟାଗ ରହିଛି ଆଜି ତାଙ୍କୁ ଖୋଜିବା ସମ୍ମାନ ଦେବା ଦରକାର। ଏବେର ପିଢ଼ି ସଂଗ୍ରାମୀଙ୍କ ଜୀବନକୁ ଅନୁସରଣ କରି ମୁକ୍ତପଥର ଯାତ୍ରୀ ଭାବେ ସଂଗ୍ରାମକୁ ଆଗକୁ ବଢ଼ାଇବାକୁ ପଡ଼ିବ ବୋଲି କହିଥିଲେ ଶ୍ରୀ କାନୁନ୍‌ଗୋ କହିଥିଲେ।

ଉଦ୍‌ଘାଟକ ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସରଳା ଦେବୀଙ୍କ ସାହିତ୍ୟର ସବୁ ବିଭାଗରେ ଦଖଲ ଥିଲା। ସେ ସାହିତ୍ୟ ସୃଷ୍ଟି ସହ, ଅନୁବାଦ ଓ ସ୍ତମ୍ଭ ଲେଖୁଥିଲେ। ବାଚସ୍ପତି ଭାବେ ପ୍ରଥମ ଦିନରେ ଓଡ଼ିଆ ଭାଷାକୁ ସରକାରୀସ୍ତରରେ ପ୍ରଚଳନ କରିବାକୁ ଉଦ୍ୟମ କରିଥିଲେ। ଲବଣ ସତ୍ୟାଗ୍ରହ ଆନ୍ଦୋଳନ ବେଳେ ଜେଲ୍‌ ଯାଇଛନ୍ତି, ଅନେକ କଷଣ ସହିଛନ୍ତି। କିନ୍ତୁ କେବେ ହେ‌ଲେ ଆତ୍ମମର୍ଯ୍ୟାଦାକୁ କ୍ଷୁଣ୍ଣ ହେବାକୁ ଦେଇନାହାନ୍ତି। ଜମିଦାର ପରିବାର ହୋଇ ମଧ୍ୟ ସାଧାରଣ ଜୀବନଯାପନ କରୁଥିଲେ। ଏଭଳି ଜଣେ ସଂଗ୍ରାମୀ ମହିଳାଙ୍କ ଦାୟାଦ ଭାବେ ପରବର୍ତ୍ତୀ ପିଢ଼ିଙ୍କୁ ତାଙ୍କର ପ୍ରତିଭା ବିଷୟରେ ଜଣାଇବାକୁ ଉଦ୍ୟମ ହେବା ଆବଶ୍ୟକ। ତାଙ୍କ ଜନ୍ମଦିବସକୁ ପ୍ରତ୍ୟେକ ଓଡ଼ିଆ ପାଳନ କଲେ ତାଙ୍କ ପାଇଁ ଉଚିତ ସମ୍ମାନ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ମାନିତ ଅତିଥି ଭା‌ବେ ପ୍ରଫେସର ସୋମା ଚାନ୍ଦ ଯୋଗଦେଇ ସରଳା ଦେବୀଙ୍କ ଜୀବନୀ, ପରିବାର, ସଂଗ୍ରାମୀ ଜୀବନ ଉପରେ ତଥ୍ୟଭିତ୍ତିକ ଉପସ୍ଥାପନ କରିଥିଲେ। ସରଳା ଦେବୀ ପ୍ରଥମ ମହିଳା ବିଧାୟିକା, ପ୍ରଥମ ମହିଳା ବାଚସ୍ପତି ଭଳି ଅନେକ କ୍ଷେତ୍ରରେ ପ୍ରଥମ ହୋଇଥିଲେ। ଜଣେ ଅସାମାନ୍ୟ ପ୍ରତିଭାର ଅଧିକାରୀ ଏବଂ ନାରୀ ଶିକ୍ଷା ଓ ପ୍ରଗତି ପାଇଁ ସେ ସାରା ଜୀବନ କାର୍ଯ୍ୟ କରିଥିଲେ ବୋଲି କହିଥିଲେ। ପ୍ରଫେସର ସଂଘମିତ୍ରା ମିଶ୍ର ସରଳା ଦେବୀଙ୍କ ସହ ଅଙ୍ଗେ ନିଭାଇଥିବା ମୁହୂର୍ତ୍ତକୁ ବର୍ଣ୍ଣନା କରିଥିଲେ। ସେ ଜଣେ ସଂଗ୍ରାମୀ ମହିଳା ସହ ଜଣେ ବିପ୍ଳବୀ ଲେଖିକା ଥିଲେ ବୋଲି କହିଥିଲେ। ଗୁରୁ ପ୍ରସାଦ କାନୁନ୍‌ଗୋ କହିଲେ ଆମର ଇତିହାସ ଠିକ୍‌ ଭାବେ ଲେଖା ଯାଇନାହିଁ। ଅନେକ ମହାପୁରୁଷଙ୍କୁ ଇତିହାସରେ ପ୍ରକୃତ ସମ୍ମାନ ଦିଆଯାଇନାହିଁ। ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୧୭ ପାଇକ ବିଦ୍ରୋହ ବଦଳରେ ସିପାହୀ ବିଦ୍ରୋହକୁ ଗ୍ରହଣ କରାଯାଉଛି। ତେଣୁ ଏହିଭଳି ମହାନ ସଂଗ୍ରାମୀଙ୍କ ସମ୍ପର୍କରେ ଅଧିକରୁ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଛି। ଏହି ଅବସରରେ ସାହିତ୍ୟିକା ବନଜ ଦେବୀଙ୍କ ଦ୍ବାରା କଥା ଶିଳ୍ପୀ ସଂଯୁକ୍ତା ମହାନ୍ତିଙ୍କ ଗଳ୍ପ ସଂକଳନ ‘ବିସର୍ଜନ’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର