‘ସାରଳା ସାହିତ୍ୟ ସଂସଦ’କୁ ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’

‘ଓଡ଼ିଆ ଓ ଇଂରାଜୀରେ ଆମକୁ ପ୍ରବୀଣ ହେବାକୁ ପଡ଼ିବ’

ଭୁବନେଶ୍ବର: ଓଡ଼ିଆ ଭାଷାରେ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା ପରି ମାନସିକତାରୁ ଦୂରେଇ ରହି ଆମକୁ ଦ୍ବିଭାଷୀ ହେବାକୁ ପଡ଼ିବ। ଉଭୟ ଓଡ଼ିଆ ଓ ଇଂରାଜୀରେ ଆମକୁ ପ୍ରବୀଣ ହେବାକୁ ପଡ଼ିବ। ଇଂରାଜୀ ଆମକୁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ସାହାଯ୍ୟ କରିବ ଏବଂ ଓଡ଼ିଆ ଦ୍ବାରା ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ବିଶ୍ବ ଦରବାରରେ ଉପସ୍ଥାପନା କରିପାରିବା। ତର୍କ/ଯୁକ୍ତି ବଳରେ ଆମେ ନିଜକୁ ଶକ୍ତ କରିବା ସହ ଆଧୁନିକତାକୁ ଆଦରି ପାରିବା। ଏଥିପାଇଁ ଆମ ସାହିତ୍ୟରେ ଗଦ୍ୟ ରଚନା ବଢ଼ାଇବାକୁ ପଡ଼ିବ। ଗଦ୍ୟ ନଥିବା ସାହିତ୍ୟ ଅତି ଦୁର୍ବଳ। ଏହାକୁ ନେଇ ତର୍କ/ଯୁକ୍ତି କରି ହୁଏନି। ସେହିଭଳି ବିଶ୍ବ ବଜାର‌ରେ ଓଡ଼ିଆ ଭାଷାର ଅଧିକରୁ ଅଧିକ ପ୍ରଚାରପ୍ରସାର ପାଇଁ ଆମ ଓଡ଼ିଆ ଗ୍ରନ୍ଥ, ଉପନ୍ୟାସ ଓ ଲେଖାଗୁଡ଼ିକର ଅଧିକ ଅନୁବାଦ ହେବା ଉଚିତ। ଓଡ଼ିଶାରେ ଏକ ଭାଷା କେନ୍ଦ୍ରର ପ୍ରତିଷ୍ଠା ହେବା ଉଚିତ, ଯେଉଁଠାରେ ଭାଷାର ଆଦାନପ୍ରଦାନ ହୋଇପାରିବ ବୋଲି କହିଛନ୍ତି ବିଶିଷ୍ଟ କବି ହରପ୍ରସାଦ ଦାସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆୟୋଜିତ ‘ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ-୨୦୧୯’ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସ ଏହା କହିଛନ୍ତି।

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଆଜି ସଂସ୍କୃତି ଭବନଠାରେ ଆୟୋଜିତ ଏହି ସମାରୋହରେ ଶ୍ରୀ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କପିଳେନ୍ଦ୍ରଦେବଙ୍କ ଦ୍ବାରା ଓଡ଼ିଶ‌ାରେ ଓଡ଼ିଆ ଜାତିର ପ୍ରା‌ଣପ୍ରତିଷ୍ଠାଠାରୁ ଆରମ୍ଭ କରି ସାରଳା ଦାସଙ୍କ ଦ୍ବାରା ମହାଭାରତର ରଚନା ଓ ଓଡ଼ିଆ ଜାତିକୁ ଫକୀର ମୋହନଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆଜି ବ୍ୟାସକବିଙ୍କ ଜୟନ୍ତୀ ତିଥିରେ ତାଙ୍କୁ କ’ଣ ଶ୍ରଦ୍ଧାଞ୍ଜଳି ଦେଲେ, ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନରେ ପ୍ରଶ୍ନ ଉଠୁଛି। ବୋଧେ ଅଧିକରୁ ଅଧିକ ସାହିତ୍ୟିକ ବିଶ୍ବ ସାହିତ୍ୟ ରଚନା କରି ଓଡ଼ିଆ ଭାଷାକୁ ବିଶ୍ବ ଦରବାରରେ ପ୍ରଚାରପ୍ରସାର କରି ପାରିଲେ, ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ।

ଏହି ଅବସରରେ କଟକସ୍ଥିତ ଅନୁଷ୍ଠାନ ‘ସାରଳା ସାହିତ୍ୟ ସଂସଦ’କୁ ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଏହାର ସଭାପତି ପ୍ରଭାକର ସ୍ବାଇଁ ଏହି ସମ୍ମାନ ଗ୍ରହଣ କରିଥିଲେ। ପୁରସ୍କାର ବାବଦକୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ପ୍ରଶସ୍ତି ପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥଲା। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଓ ନି‌ର୍ଦ୍ଦେଶକ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏକାଡେମିର ସଚିବ ଜୟନ୍ତୀ ରଥ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ନିଗ୍ଧା ତ୍ରିପାଠୀଙ୍କ ରଚିତ ‘ଓଡ଼ିଶାର ପୁରାତତ୍ତ୍ବ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର