‘ସାରୋଳଦାସ ମହାଭାରଥ’ ଉନ୍ମୋଚିତ : ‘ସାରଳା ଦାସଙ୍କ ମହାକାବ୍ୟ ସେ ସମୟର ଜନଜୀବନ ଚିତ୍ର’

ଭୁବନେଶ୍ୱର: ସାରଳା ଦାସଙ୍କ ମହାକାବ୍ୟ ସେହି ସମୟର ଜନଜୀବନର ଚିତ୍ର ପ୍ରଦାନ କରେ। ଆଜି ‘ସୋଆ’ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଦିକବି ସାରଳା ଦାସଙ୍କ ଦ୍ବାରା ରଚିତ ‘ସାରୋଳଦାସ ମହାଭାରଥ’ ମହାକାବ୍ୟରୁ ଆଧାରିତ ଶେଷ ଦୁଇଟି ପର୍ବ ‘ମୁସଳୀ’ ଓ ‘ସ୍ବର୍ଗା‌ରୋହଣ’ ସଂସ୍କରଣର ଲୋକାର୍ପଣ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି। ସେହିଭଳି ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମଧ୍ୟ ଏହି ଉକ୍ତିକୁ ଦୋହରାଇବା ସହ ସାରଳା ଦାସଙ୍କଠାରୁ ସାହିତ୍ୟ ଆରମ୍ଭ କହିଲେ ଭୁଲ୍‌ ହେବ ନାହିଁ ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌-୨ କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଏହି ଉତ୍ସବରେ ପଦ୍ମଶ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ସାରଳା ମହାଭାରତ ସମ୍ପାଦନା କରିବା କାଠିକର ପାଠ। ଯେଉଁମାନେ ଏହାକୁ ଉତ୍ତାରନ୍ତି, ସେମାନେ ଅନେକ ସମୟରେ ଭୁଲ୍ କରିଥା’ନ୍ତି। ସେଥିପାଇଁ ଆମେ ପଢ଼ୁଥିବା ପ୍ରତି କୋଠିର ବାକ୍ୟ ଭିନ୍ନ ଭିନ୍ନ। ତା’କୁ ବି ଏକାଠି କରି ସମ୍ପାଦନା କରିବା କଠିନ କାମ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ସୋଆ’ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ‌ରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିଲେ। ସାରଳା ମହାଭାରତକୁ ଲୋକଲୋଚନକୁ ଆଣିବାକୁ ବହୁ ବ୍ୟକ୍ତିବିଶେଷ ଏହାର ରଚନା କରିଛନ୍ତି। କିଛି ଲେଖକ ସଂସ୍କରଣକୁ ପରିବର୍ତ୍ତନ କରିଛନ୍ତି। ହେଲେ ସାରଳା ମହାଭାରତରେ ଲେଖାଥିବା ଶବ୍ଦ, ବର୍ତ୍ତମାନର ସଂସ୍କରଣରେ ଦେଖିବାକୁ ମିଳୁନି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ଓମ୍‌କାର ନାଥ ମହାନ୍ତି ଯୋଗ ଦେଇଥିଲେ। ବିଶିଷ୍ଟ ଗବେଷକ ଓ ଲେଖକ ଅସିତ୍‌ ମହାନ୍ତି ଏହି ପୁସ୍ତକର ସମୀକ୍ଷା କରିଥିଲେ। ସାରଳା ଦାସ ବୋଲି ଯାହାଙ୍କୁ ଆମେ ଜାଣି ଆସିଛୁ, ତାଙ୍କୁ ସାରୋଳଦାସ ବୋଲି କାହିଁକି କହୁଛୁ ଏବଂ ମହାଭାରତ ଜାଗାରେ ‘ମହାଭାରଥ’ କାହିଁକି କୁହାଯାଇଛି, ତାହା ଏହି ପୁସ୍ତକ ମାଧ୍ୟମରେ ଜାଣିହେବ ବୋଲି ଶ୍ରୀ ମହାନ୍ତି କହିଥିଲେ।

ପ୍ରଫେସର୍‌ ଗୌରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ଭାଗ୍ୟଲିପି ମଲ୍ଲଙ୍କୁ ନେଇ ଗଠିତ ତିନିଜଣିଆ ସମ୍ପାଦନାମଣ୍ଡଳୀ ଏହି ସଂସ୍କରଣର ସମ୍ପାଦନା କରିଛନ୍ତି। ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ଓ ପ୍ରଫେସର୍‌ ନଚିକେତ କେ. ଶର୍ମା ଧନ୍ୟବାଦ ଦେଇଥିଲେ। ‘ସୋଆ’ର ଡିନ୍ ପ୍ରଫେସର୍‌ ଜ୍ୟୋତିରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ମହାକାବ୍ୟର ୧୮ଟି ପର୍ବର ପାଠ ଆଧାରିତ ସଂସ୍କରଣ ଆଗାମୀ ଦିନରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର