ଭୁବନେଶ୍ବର: ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଣୀ ସାରଥୀ, କୃଷକ ନେତା, ପୂର୍ବତନ ବିଧାୟକ, ଗଡ଼ଜାତ ଗାନ୍ଧୀ ଭାବେ ପରିଚିତ ସାରଙ୍ଗଧର ଦାସଙ୍କ ତ୍ୟାଗ, ସଂଘର୍ଷ ଓ ସମର୍ପଣ ଭାବ ସମଗ୍ର ଭାରତବର୍ଷରେ ଅବିସ୍ମରଣୀୟ ହୋଇରହିଛି। ଲୋକସେବା ଭବନସ୍ଥିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ସାରଙ୍ଗଧର ଦାସଙ୍କ ୧୩୬ତମ ଜୟନ୍ତୀ ପାଳନରେ ଯୋଗ ଦେଇଥିବା ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଆନୁକୂଲ୍ୟରେ ଡାକ ବିଭାଗ ଦ୍ୱାରା ସାରଙ୍ଗଧର ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଡାକଲଫାପା ଉନ୍ମୋଚିତ ହୋଇଥିଲା। ରାଜ୍ୟ ପାଇଁ ଅତୁଳନୀୟ ତ୍ୟାଗ କରିଥିବା ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ରମାନଙ୍କ ସ୍ମୃତିରକ୍ଷା କରିବା, ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ସ୍ୱତନ୍ତ୍ର ଲଫାପା ପ୍ରକାଶନ ସହ ଜୀବନୀ ପୁସ୍ତକ ପ୍ରକାଶନ କରାଯିବା ପାଇଁ ବିଭାଗ ତରଫରୁ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଥିଲେ।
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ ଦେଶ ଓ ଜାତି ପାଇଁ କାର୍ଯ୍ୟ କରିଥିବା ମହାପୁରୁଷଙ୍କ କୃତି ଓ ସ୍ମୃତିକୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାସ କହିଥିଲେ ଯେ ସାରଙ୍ଗଧରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଉନ୍ମୋଚିତ ଡାକଲଫାପା ତାଙ୍କ ଜୀବନ ଦର୍ଶନର ପ୍ରଚାରପ୍ରସାରରରେ ସହାୟକ ହୋଇଛି। କାର୍ଯ୍ୟକ୍ରମରେ ଡାକସେବା ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବାରିକ ଯୋଗ ଦେଇଥିଲେ। ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ, ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ, ରାଜ୍ୟ ଗ୍ରନ୍ଥାଗାରର ଅନ୍ୟ କର୍ମଚାରୀ ଓ ଡାକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।