ବାଲିଅନ୍ତା: ସଟ୍ଡାଉନ୍ ବେଳେ ଖୋଦ୍ ସରପଞ୍ଚ ବିଜୟ ସାହୁ ନିଜ ଦୋକାନଙ୍କୁ ଲୁହାଛଡ଼ ଆଣିବା ଘଟଣା ଆଜି ଉଗ୍ରରୂପ ଧାରଣ କରିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ସ୍ଥାନୀୟ ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁରୀ କେନାଲ ବ୍ରିଜ ନିକଟରେ ଲୋକମାନେ ଏକାଠି ହୋଇ ସରପଞ୍ଚ ତଥା ପ୍ରଶାସନ ବିରୋଧରେ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ। କୋଭିଡ୍ ନିୟମ ଉଲ୍ଲଂଘନକାରୀ ସରପଞ୍ଚଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଜରିମାନା ଆଦାୟ କରିବା ପାଇଁ ଦାବି କରିଥିଲେ। ଏହାସହ ପଞ୍ଚାୟତ ମାର୍କେଟ୍ କମ୍ପ୍ଲେକ୍ସରେ ତାଙ୍କ ନାମରେ ଥିବା ୩ ବଖରା ଦୋକାନ ଘର ଉଚ୍ଛେଦ ପାଇଁ ମଧ୍ୟ ଦାବି ଉଠାଇଥିଲେ।
ସୂଚନାଯୋଗ୍ୟ, କରୋନା ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଖୋଦ୍ ସରପଞ୍ଚ ଶ୍ରୀ ସାହୁ ପଞ୍ଚାୟତକୁ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ନିୟମକୁ ମାନି ଅଞ୍ଚଳରେ ସବୁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଲୋକେ ମଧ୍ୟ କଟକଣା ମାନି ଘରୁ ବାହାରୁନାହାନ୍ତି। କିନ୍ତୁ ଗତକାଲି ଶ୍ରୀ ସାହୁ ଅଞ୍ଚଳକୁ ଅବରୋଧ କରାଯାଇଥିବା ବାଉଁଶବାଡ଼କୁ ଭାଙ୍ଗି ଟ୍ରକ୍ରେ ଲୁହାଛଡ଼ ନିଜ ଦୋକାନକୁ ଆଣିଥିଲେ। ଏ ସଂପର୍କରେ ସ୍ଥାନୀୟ ଲୋକ ତହସିଲଦାର ଓ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ତହସିଲଦାର ସଂଯୁକ୍ତା ସ୍ବାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୁହାଛଡ଼ ବୋଝଇ ଉକ୍ତ ଟ୍ରକ ଜବତ କରିଥିଲେ। କିନ୍ତୁ ଏହି ଘଟଣାକୁ ୨୪ ଘଣ୍ଟାରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନିକସ୍ତରରେ ସରପଞ୍ଚଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ସଂପର୍କରେ ବାଲିଅନ୍ତା ତହସିଲଦାର ଶ୍ରୀମତୀ ସ୍ବାଇଁଙ୍କୁ ଯୋଗାଯୋଗ କରିଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନି। ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣାର ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/protest-1.jpg)