ଯେଉଁ ସାହିତ୍ୟ ଯେତେ ସମୃଦ୍ଧ ସେ ଜାତି ସେତେ ଉନ୍ନତ

ସାରସ୍ୱତ ସମାଜର ୧୦ମ ସ୍ୱନକ୍ଷତ୍ର ସମାରୋହ

ଭୁବନେଶ୍ୱର: ସାରସ୍ବତ ସମାଜର ୧୦ମ ସ୍ବନକ୍ଷତ୍ର ସମାରୋହ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସରୋଜିନୀ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଶାସନ ସଚିବ ଅମ୍ବୁଜ ମୋହନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ, ସାହିତ୍ୟ ବଞ୍ଚିଲେ ଭାଷା ବଞ୍ଚିବ। ମାତୃଭାଷା ପାଇଁ ଆମକୁ ସାହିତ୍ୟକୁ ବଞ୍ଚାଇବାକୁ ପଡ଼ିବ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ସାହିତ୍ୟ ବିନା ଜାତିର ଅସ୍ତିତ୍ବ ନାହିଁ। ଯେଉଁ ଜାତିର ସାହିତ୍ୟ ଯେତେ‌ ସମୃଦ୍ଧ, ସେ ଜାତି ସେତେ ଉନ୍ନତ। ସେ ଆହୁରି କହିଥିଲେ ଯେ ସାହିତ୍ୟ ଓ ସମାଜସେବା ଓତ‌ପ୍ରୋତ ଭା‌ବେ ଜଡ଼ିତ। ବିନା ସମାଜସେବାରେ ସାହିତ୍ୟ ନାହିଁ କି ବିନା ସାହିତ୍ୟରେ ସମାଜସେବା କରିହେବ ନାହିଁ।

ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏବେ ଓଡ଼ିଆ ଭାଷା ଏକ ସଂକଟ ଦେଇ ଗତି କରୁଛି। ପାଠକଙ୍କ ସଂଖ୍ୟା କମି କମି ଯାଉଛି। ତେଣୁ ପାଠକଙ୍କ ରୁଚି ଅନୁଯାୟୀ ସାହିତ୍ୟ ରଚନା ହୋଇପାରିଲେ ଏହି ସଂକଟ ଦୂର ହୋଇପାରିବ ବୋଲି ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାହିତ୍ୟିକ ଦାଶ ବେନହୁରଙ୍କୁ ‘ଶ୍ରେଷ୍ଠ ସାହିତ୍ୟରତ୍ନ ସମ୍ମାନ’ ଓ ଡ.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ‘ଶ୍ରେଷ୍ଠସେବା ନିର୍ମାଲ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ଜଣ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯାଇଥିଲା।

ରାଜକିଶୋର ପତିଙ୍କୁ ସାହିତ୍ୟ ବିଶାରଦ ସମ୍ମାନ, ଶୁଭ୍ରା ନନ୍ଦଙ୍କୁ ସାରସ୍ବତ ପ୍ରତିଭା ସମ୍ମାନ, ପ୍ରତିଭାରାଣୀ ଷଡ଼ଙ୍ଗୀଙ୍କୁ ସାହିତ୍ୟ ଗୌରବ ସମ୍ମାନ, ଅନୁସୂତା ସିଂହଦେଓଙ୍କୁ ମଦର ଟେରେସା ସେବା ସମ୍ମାନ, ହିମାଦ୍ରୀ ତନୟା ମିଶ୍ରଙ୍କୁ କଳିଙ୍ଗଶ୍ରୀ ସମ୍ମାନ, ଆରତୀ ମହାନ୍ତିଙ୍କ ତତ୍ତ୍ବ ସରସ୍ବତୀ ସମ୍ମାନ, ଡ. ଅଞ୍ଜଳି ତ୍ରିପାଠୀଙ୍କୁ ସାହିତ୍ୟ ପ୍ରତିଭା ସମ୍ମାନ, ଚଳଚ୍ଚିତ୍ର ତାରକା ମଧୁମିତା ମହାନ୍ତିଙ୍କୁ ସାହିତ୍ୟ କଳା ସମ୍ମାନ, ରମେଶ ପ୍ରସାଦ ମହାନ୍ତିଙ୍କୁ କବି ସୌରଭ ସମ୍ମାନ, ମାତୃଦତ୍ତ ମହାନ୍ତିଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ଦେବମିତ୍ରା ପ୍ରିୟଦର୍ଶିନୀଙ୍କୁ ଯୁବ ପ୍ରତିଭା ସମ୍ମାନ ଓ ଅନିମା ପଟ୍ଟନାୟକଙ୍କୁ ବୀଣାପାଣି ସମ୍ମାନରେ ସମ୍ମାନିତ କରଯାଇଥିଲା।

ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ ରଞ୍ଜନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାୟକ କବିତା ପାଠ ଓ ସାହିତ୍ୟ ଆଲୋଚନାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସାମ୍ବାଦିକ ନିତ୍ୟ ନିରଂଜନ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର