ବାଗ୍‌ଦେବୀଙ୍କୁ ଆରାଧନା

ଭୁବନେଶ୍ୱର : ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ପଡ଼ିଥିଲା ଶିକ୍ଷାନୁଷ୍ଠାନ। ନୂଆ ପୋଷାକ ପିନ୍ଧି ହାତରେ ଭୋଗ ଥାଳି, ଫୁଲ ଧରି ଛାତ୍ରଛାତ୍ରୀମାନେ ଛୁଟିଥିଲେ ଶିକ୍ଷାନୁଷ୍ଠାନ। ଅବସର ଥିଲା ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା ଶ୍ରୀପଞ୍ଚମୀ। ସଙ୍ଗୀତ ସାଧକମାନେ ନିଜ ବାଦ୍ୟଯନ୍ତ୍ର ଧରି ମା’ଙ୍କ ନିକଟରେ ସଙ୍ଗୀତ ଅର୍ପଣରେ ବ୍ୟସ୍ତ ଥିଲେ ତ’ ପୁଣି କୁନି ପିଲାମାନଙ୍କ ଶିକ୍ଷା ଆରମ୍ଭ ପାଇଁ ଅଭିଭାବକମାନେ ମା’ଙ୍କ ନିକଟରେ ଖଡ଼ି ଛୁଆଇଁବାରେ ବ୍ୟଗ୍ର। ସ୍କୁଲ, କଲେଜ, ହଷ୍ଟେଲ ଓ ବିଭିନ୍ନ କୋଚିଂ ସେଣ୍ଟର୍‌ରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ସେହିପରି ପୂଜାକୁ ନିଆରା କରିବା ପାଇଁ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। କିଏ ରାତି ଅଧରୁ ଉଠି ଫୁଲ ସଂଗ୍ରହ କରି ମା’ଙ୍କୁ ଫୁଲରେ ତ’ କିଏ ପୁଣି ମା’ଙ୍କ ପସନ୍ଦର ଧଳା ଶାଢ଼ିରେ ତାଙ୍କୁ ସଜାଇଥିଲା। ଅଗରୁ, ଚନ୍ଦନ, ଧୂପ ଦୀପରେ ମା’ଙ୍କୁ ଆରାଧନା କରି ନିଜ ବହି ଛୁଆଁଇ ଭଲ ବିଦ୍ୟା ଆହରଣ ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଛାତ୍ରଛାତ୍ରୀ। ପରେ ପ୍ରସାଦ ସେବନ ଓ ଭୋଜିଭାତ ସାଙ୍ଗକୁ କିଛି ଅନୁଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୋଟାମୋଟି ଭାବେ ବିଦ୍ୟାଦାତ୍ରୀଙ୍କୁ ଏହି ଭଳି ଭାବେ ପାଛୋଟି ଥିଲା ରାଜଧାନୀ।

ତିନି ହଜାର ଶାଳପତ୍ରରେ ମା’ ସରସ୍ୱତୀଙ୍କ ମୂର୍ତ୍ତି

ଧଉଳି : ଆଜି ପବିତ୍ର ଶ୍ରୀପଞ୍ଚମୀରେ ଧଉଳି ଶାନ୍ତିସ୍ତୂପ ପରିସରରେ ଥିବା ଚାରୁକଳା ମହାବିଦ୍ୟାଳୟରେ ୩ ହଜାର ଶାଳପତ୍ରରେ ନିର୍ମିତ ମା’ ସରସ୍ୱତୀଙ୍କ ମୂର୍ତିର ପୂଜାର୍ଚନା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା କାରୁକାର୍ଯ୍ୟପୂର୍ଣ୍ଣ ୮ ଫୁଟ ବିଶିଷ୍ଟ ମୂର୍ତ୍ତି ନିର୍ମାଣ ପାଇଁ ଏକ ସପ୍ତାହରୁ ଅଧିକ ସମୟ ଲାଗିଥିଲା ବୋଲି କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ପଞ୍ଚାନନ ସାମଲ। ରାଜେଶ ସିଂହ, ପ୍ରଫୁଲ୍ଲ ବେହେରା, ଦିଲେଶ୍ୱର ପ୍ରଧାନ, ଜ୍ୟୋତିରଂଜନ ସାହୁ, ପ୍ରଭାସ ରଂଜନ ମହନ୍ତ, ଈଶ୍ୱର ମହନ୍ତି, ଅମ୍ବିକା ପଣ୍ଡା, ବିଷ୍ଣୁପ୍ରିୟା ଗୌଡ଼, ଅଙ୍କିତା ସାମଲ, ବିଷ୍ଣୁପ୍ରିୟା ସୁହାନୀଙ୍କ ସମେତ ଅନ୍ୟ ଶିଳ୍ପୀ ଛାତ୍ରଛାତ୍ରୀମାନେ ମୂର୍ତ୍ତି ନିର୍ମାଣରେ ସାମିଲ ଥିଲେ। ଏଭଳି ପୂଜା ଋତୁରେ ଅନୁଷ୍ଠାନର ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରାକୃତିକ ଉପକରଣ ଓ ସଂଗୃହୀତ ପଦାର୍ଥମାନ ବ୍ୟବହାର କରି ମୂର୍ତ୍ତି ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ସଚେତନତାର ବାର୍ତା ପ୍ରଚାର କରିଥାନ୍ତି। ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ. ହୃଷୀକେଶ ମିଶ୍ର, ସଂପାଦକ ମିହିରକାନ୍ତ ପ୍ରହରାଜ, ସାମାଜିକ କର୍ମୀ ସୁଶାନ୍ତ ସାହୁ , ଆଇନଜୀବୀ ଅଶୋକ କୁମାର ଦାଶ ପ୍ରମୁଖ ପୂଜାମଣ୍ଡପରେ ଉପସ୍ଥିତ ରହି ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ବସ୍ତି ପିଲାଙ୍କ ସହ ବିଜେବି ଛାତ୍ରଛାତ୍ରୀ ପାଳିଲେ ସରସ୍ୱତୀ ପୂଜା

ସରସ୍ୱତୀ ପୂଜା ପାଇଁ ଚାନ୍ଦା ଆଦାୟ କଲେ। କିନ୍ତୁ ମା’ଙ୍କ ମୂର୍ତ୍ତି ବସି ନଥିଲା କି ପୂଜା ଆରାଧନା ବା ସାଜସଜ୍ଜା ହୋଇ ନଥିଲା। ସେହି ଟଙ୍କାରେ ବସ୍ତିର ଗରିବ ପିଲାଙ୍କ ପାଇଁ ବସ୍ତ୍ର କିଣାଯାଇଥିଲା। କୋମଳମତି ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଆଜିର ପବିତ୍ର ଦିନରେ ଚେଷ୍ଟା କରିଥିଲେ ବିଜେବି କଲେଜର ମନସ୍ତତ୍ୱ ବିଭାଗର ଛାତ୍ରଛାତ୍ରୀ। ବାପି ନାୟକ ଓ ଯୁବନେତା ଜିତେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୧୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଚନ୍ଦ୍ରଶେଖରପୁର ପାଣିଟାଙ୍କି ବସ୍ତି ପିଲାମାନଙ୍କୁ ନୂଆ ବସ୍ତ୍ର ବାଣ୍ଟିବା ସହ ସେମାନଙ୍କ ସହ ନାଚ ଗୀତ କରିଥିଲେ। ଏଥିରେ ବିଜେବି କଲେଜ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ନଳୀନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

କିସ୍‌ରେ ୨୭ହଜାର ଛାତ୍ରଛାତ୍ରୀଙ୍କ ଏକକାଳୀନ ପୁଷ୍ପାଞ୍ଜଳି

କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌)ରେ ମା’ ସରସ୍ୱତୀଙ୍କ ପୂଜା ଆନନ୍ଦଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ୨୭ହଜାର ଶିକ୍ଷାର୍ଥୀ ଏକକାଳୀନ ପୁଷ୍ପାଞ୍ଜଳି ଦେଇ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂଜାରେ ଶିକ୍ଷାର୍ଥୀମାନଙ୍କୁ ସହଯୋଗ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପୂଜାରେ ଯୋଗଦେଇ ପିଲାଙ୍କ ସହ ପୁଷ୍ପାଞ୍ଜଳି ଦେଇଥିଲେ। ପୂଜାରେ ମା’ଙ୍କ ୮ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଯହାକୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜେ ତିଆରି କରିଥିଲେ। ସେହିପରି ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ତୋରଣ ମଧ୍ୟ ତିଆରି କରିଥିଲେ। ପୂଜାପରେ କିଟ୍‌, କିସ୍‌ ଓ କିମ୍‌ସର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରସାଦ ସେବନ କରିଥିଲେ।

ସମ୍ବନ୍ଧିତ ଖବର