ବିରାଜିଲେ ଜ୍ଞାନଦେବୀ: ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ପୂଜାର୍ଚ୍ଚନା

୫ ପ୍ରକାର ମସଲାରେ ବାଗ୍‌ଦେବୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଆଜି ରାଜଧାନୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ମା’ଙ୍କୁ ଆବାହନ କରାଯାଇଥିବା ବେଳେ ଘରେଘରେ ବି ପୂଜାର୍ଚ୍ଚନା କରାଯାଇଥିଲା। କରୋନା ଓ ତତ୍‌ଜନିତ କଟକଣା ଯୋଗୁଁ ଦୁଇ ବର୍ଷ ଧରି ମା’ଙ୍କ ପୂଜାର୍ଚ୍ଚନା‌ରେ ବ୍ୟାଘାତ ସୃଷ୍ଟି ହୋଇଥିଲା। କିନ୍ତୁ ଏଥର ପୂଜା ପାଇଁ ସରକାରୀ ଅନୁମତି ମିଳି ଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ସକାଳ ୧୧ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ସ୍କୁଲରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ପୁଷ୍ପାଞ୍ଜଳି ଦେଇଥିଲେ। ୟୁନିଟ୍‌-୧ ଓ ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ସମେତ କ୍ୟାପିଟାଲ ହାଇସ୍କୁଲ ଓ ବିଭିନ୍ନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନେ ମା’ଙ୍କୁ ଆରାଧନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ବିଶେଷକରି କରୋନା ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ପୃଥିବୀପୃଷ୍ଠରୁ ଶୀଘ୍ର କରୋନା ଲୋପ ପାଇଯାଉ ବୋଲି ମା’ଙ୍କୁ ଗୁହାରି କରିଥିଲେ। ଏହାବ୍ୟତୀତ ବିଭିନ୍ନ ଅନୁଷ୍ଠାନ ଓ ଘରେ ଘରେ ମଧ୍ୟ ମା’ ବାଗ୍‌ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।

୫ ପ୍ରକାର ମସଲାରେ ବାଗ୍‌ଦେବୀଙ୍କ ପ୍ରତିମୂର୍ତ୍ତି
ଧଉଳି: ଶାନ୍ତିସ୍ତୂପ ପରିସର ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟୟନରତ ଶିଳ୍ପୀ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବାଗ୍‌ଦେବୀଙ୍କ ପୂଜାର୍ଚ୍ଚନା ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ହୋଇଯାଇଛି। ପାନମଧୁରି, ଜିରା, ମେଥି, କଳାଜିରା, ସୋରିଷ ଆଦି ମସଲା ଏବଂ ଧାନ ଆଦି ଶସ୍ୟକୁ ଯୋଡ଼ି ନିର୍ମିତ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା। ମୂର୍ତ୍ତି ନିର୍ମାଣ କରିବାକୁ ଦୀପ୍ତିମୟୀ ଚମ୍ପତି, ଲିପ୍ସା ପ୍ରଧାନ, ରଂଜିତ ପାଣି ଏବଂ ଗୋପାଳ ନାୟକଙ୍କୁ ୬ଦିନ ସମୟ ଲାଗିଥିଲା। ବିଭିନ୍ନ ରାସାୟନିକ ସାମଗ୍ରୀ ଏବଂ ରଙ୍ଗ ବ୍ୟବହାର ନକରି ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲାଗି ଶିକ୍ଷାନୁଷ୍ଠାନ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିଛି। ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ରାମକୃଷ୍ଣ ସାହୁ, ମାନସ ରଞ୍ଜନ ନାୟକ, ଲକ୍ଷ୍ମୀଧର ସ୍ବାଇଁ, ବିଶ୍ବଜିତ ବେହେରା, ବିଚିତ୍ର କାଣ୍ଡି ଏବଂ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର