ଭୁବନେଶ୍ବର: ବାପା ଥିଲେ ରେଳ ବିଭାଗର କର୍ମଚାରୀ। ତେଣୁ ଅଲିଅଳରେ ବଢ଼ିଥିଲେ ସରସ୍ବତୀ। ମାତ୍ର ଭାଗ୍ୟ ଏବେ ତାଙ୍କୁ ରାସ୍ତାକଡ଼କୁ ଠେଲି ଦେଇଛି। ପଲିଥିନ୍ ତଳେ ବିତୁଛି ତାଙ୍କ ଜୀବନ। ୨୫ ବର୍ଷ ହେଲା ଦାରିଦ୍ର୍ୟ ସହ ଯୁଝୁଛନ୍ତି ସେ। ପରଘରେ କାମ କରି କଷ୍ଟେମଷ୍ଟେ ଚଳି ଯାଉଥିଲେ, ମାତ୍ର ମହାମାରୀ କରୋନା ସବୁ ବିଗାଡ଼ି ଦେଇଛି। କାମ ହରାଇ ସେ ରାସ୍ତାକଡ଼କୁ ଆଉଜିବାକୁ ବାଧ୍ୟ ହୋଇଛନ୍ତି। ପର ହାତଟେକାକୁ ନାପସନ୍ଦ କରୁଥିବା ସରସ୍ବତୀ ଏବେ ନାଚାର। କଷ୍ଟ କରିବାକୁ ଦେହରେ ଜୁ’ ଅଛି। ମାତ୍ର ବାଟ ନାହିଁ। ଏହା ହେଉଛି କାର୍ଗିଲ ବସ୍ତିରୁ ବାହାରି ଆସି ପୋଖରୀପୁଟ ପେଟ୍ରୋଲ୍ ପମ୍ପ୍ ଛକ ଫୁଟ୍ପାଥ୍ରେ ଜରିପାଲ ତଳେ ଦିନ କାଟୁଥିବା ସରସ୍ବତୀଙ୍କ ଅନ୍ତହୀନ ସଂଘର୍ଷର କାହାଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା କଥା ବାହାଘର ପରେ ତାଙ୍କ ସୁଖ ସରିଯାଇଥିଲା। ଯାହା ହାତ ଧରିଥିଲେ, ସେ ଅନ୍ୟ ଜଣେ ମହିଳାଙ୍କ ସହ ସଂସାର କଲା। ତେଣୁ ୨୫ବର୍ଷ ତଳେ ଏକୁଟିଆ ହୋଇଯିବା ପରେ ନିଜ ପେଟ ଚାଖଣ୍ଡକ ପାଇଁ ପର ଦୁଆରେ ଖଟିଲେ। ବ୍ରାହ୍ମଣ ଘର ଓ ଭଲ ରୋଷେଇ କରିପାରୁଥିବାରୁ ବାବୁମାନଙ୍କ ଘରେ ରୋଷେଇ କରି କଷ୍ଟେମଷ୍ଟେ ଚଳି ଯାଉଥିଲେ। ମାତ୍ର କରୋନା ସବୁ ସାରିଦେଲା। ବାବୁମାନଙ୍କ ଦୁଆର ତାଙ୍କ ପାଇଁ ବନ୍ଦ ହୋଇଗଲା। ତେଣୁ ଘର ଭଡ଼ା ଦେଇ ନପାରି ସେ କାର୍ଗିଲ୍ ବସ୍ତିରୁ ବାହାରି ଆସିଲେ। ରାସ୍ତାକଡ଼କୁ ଆଶ୍ରୟ କଲେ। ପେଟ ଚାଖଣ୍ଡକ ପାଇଁ କିଛି ଋଣ କରି ସାରିଲେଣି। ଏବେ କେବଳ ଜଣେ ବାବୁଙ୍କ ଘରେ ରୋଷେଇ କରି ଦେଢ଼ ହଜାର ଟଙ୍କା ପାଉଛନ୍ତି। ମାତ୍ର ତାହା ଯଥେଷ୍ଟ ହେଉନାହିଁ। ତେଣୁ ଏବେ ଅଣ୍ଡା ଦୋକାନଟିଏ କରିଛନ୍ତି। ସେଥିରେ କିନ୍ତୁ ଋଣ ଶୁଝି ପାରୁନାହାନ୍ତି। ତଥାପି ସେ କାହା ହାତ ଟେକାକୁ ଚାହିଁ ସବୁଦିନ ବଞ୍ଚିବାକୁ ଚାହାନ୍ତି ନାହିଁ। ବରଂ ତାଙ୍କ ପାଇଁ କ୍ୟାବିନ୍ଟିଏ ଯୋଗାଡ଼ କରିଦେବାକୁ ସେ ନେହୁରା ହୋଇଛନ୍ତି। ବୟସ ୬୦ ଛୁଇଁଥିଲେ ହେଁ ତାଙ୍କ ଭିତରେ ସ୍ବାଭିମାନୀ ମଣିଷଟିଏ ବଞ୍ଚିଛି। ଅଣ୍ଟାରେ ବଳ ଥିବା ଯାଏ ସେ ଦୋକାନଟିଏ କରି ବଞ୍ଚିଯିବେ ବୋଲି କହିଛନ୍ତି। ବଦାନ୍ୟ ବ୍ୟକ୍ତିମାନେ ସରସ୍ବତୀଙ୍କୁ ସହଯୋଗ ପାଇଁ ମୋବାଇଲ୍ ନମ୍ବର ୮୪୫୭୦୨୫୯୧୪ରେ ଯୋଗାଯୋଗ କରିବାକୁ ସମାଜସେବୀ ଗଗନ ପାଇଟାଳ ନିବେଦନ କରିଛନ୍ତି।