ଶରତ ଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ ‘ପ୍ରବାସୀ’ ଉନ୍ମୋଚିତ

ଭୁବନେଶ୍ବର: ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ ‘ପ୍ରବାସୀ’ର ପାଠକାର୍ପଣ ଉତ୍ସବ ୟୁନିଟ୍‌-୮ ଡିଏଭି ବିଦ୍ୟାଳୟ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ନିରଞ୍ଜନ ରଥ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଲେଖକ ଅତ୍ୟନ୍ତ ସରଳ ଭାଷାରେ ଉପନ୍ୟାସଟିକୁ ଲେଖିଛନ୍ତି। ଏହା ଓଡ଼ିଆ ଜାତି ଓ ଓଡ଼ିଆ ସାହିତ୍ୟ ଜଗତକୁ ଦିଗ୍‌ଦର୍ଶନ ଦେବ ବୋଲି କହିଥିଲେ। ଅତିଥି ଭାବେ ଶାରଳା ସାହିତ୍ୟ ସଂସଦର ସଭାପତି ପ୍ରଭାକର ସ୍ବାଇଁ ଯୋଗଦେଇ କହିଥିଲେ ଯେ ଉପନ୍ୟାସ ସାହିତ୍ୟର ଗୁରୁତ୍ବପୂର୍ଣ୍ଣ ଅଂଶ।

ଲେଖକ ଗାଉଁଲି, ଲୋକମୁଖର ଭାଷା ବ୍ୟବହାର କରି ଉପନ୍ୟାସକୁ ଲେଖିଛନ୍ତି। ଏହା ପାଠକୀୟ ଆଦୃତି ଲାଭ କରିବ। କଥାକାର ଦେବପ୍ରସାଦ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପନ୍ୟାସର ସମୀକ୍ଷା କରିଥିଲେ। ସେ କହିଲେ, ଲେଖକଙ୍କ ଭିତରେ ଗଭୀର ଆବେଗ ଭରି ରହିଛି। ସମ୍ବେଦନଶୀଳତା, ଆବେଗ ନଥିଲେ ଶ୍ରୀ ମିଶ୍ର ‘ପ୍ରବାସୀ’ ଭଳି ଆବେଗଭରା ଉପନ୍ୟାସ ଲେଖି ପାରିନଥାନ୍ତେ। ‘ପ୍ରବାସୀ’ ଉପନ୍ୟାସ ଏକ ମହାନାୟକର କାହାଣୀ।

ଲେଖକ ଶ୍ରୀ ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ, ସେ ବାଂଲାଦେଶ ଯାଇଥିବା ବେଳେ ସିଲେଟ୍‌ ଜିଲ୍ଲାର ଚା-ବାଗନ୍‌ରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଥିଲେ। ସେମାନଙ୍କ କାହାଣୀ ହିଁ ଏହି ଉପନ୍ୟାସର ପୃଷ୍ଠଭୂମି। ସୁଧନ୍ୟା ପ୍ରକାଶନୀର ପ୍ରକାଶକ ଲଳିତ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଲେଖକଙ୍କ ଧର୍ମପତ୍ନୀ ପ୍ରତିଭା ମିଶ୍ର, ସାହିତ୍ୟିକ ଦେବୀପ୍ରସନ୍ନ ପଟ୍ଟନାୟକ, ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, କଥାକାର ମାନସୀ ଦାସ, ଡ. ଇତିଶ୍ରଦ୍ଧା ତ୍ରିପାଠୀ, ନିହାର ରଂଜନ ହୋତା, ନରେନ୍ଦ୍ର ମିଶ୍ର, ଆଶୋକ ମହାପାତ୍ର, ବିଦେଶ ଭଞ୍ଜ, ହରିପ୍ରିୟା ପଟ୍ଟନାୟକ, ବଙ୍ଗାଳୀ ନନ୍ଦ ପ୍ରମୁଖ ଯୋଗଦେଇ ଲେଖକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର