ଭୁବନେଶ୍ବର: ସେ ଥିଲେ କ୍ଷମତା ରାଜନୀତିର ବହୁ ଊର୍ଦ୍ଧ୍ବରେ। ବିନା କ୍ଷମତାରେ ସେ ସର୍ବଦା ଦଳିତ ନିସ୍ପେଷିତଙ୍କ ପାଇଁ ସଂଗ୍ରାମ କରୁଥିଲେ। ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଭୂଦାନ ଆନ୍ଦୋଳନ ଓ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ତାଙ୍କ ନିଃସ୍ବାର୍ଥପର ରାଜନୀତି କେବେ ବ୍ୟର୍ଥ ଯିବନି।
ଏବେ ଦେଶରେ ସାମ୍ପ୍ରଦାୟିକ ଭେଦଭାବ ଓ ବିଦ୍ବେଶ ବଢ଼ି ଚାଲିଥିଲେ ବି ତାଙ୍କ ସଂଗ୍ରାମୀ ଜୀବନ ଆଜିର ସମାଜ ପାଇଁ ପଥପ୍ରଦର୍ଶକ ହୋଇରହିଛି। ଲୋହିଆ ଏକାଡେମି ପକ୍ଷରୁ ଲୋହିଆ ଏକାଡେମି ପରିସରରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ୍ ଶରତଚନ୍ଦ୍ର ମହାରଣାଙ୍କ ୧୧୪ ତମ ଜୟନ୍ତୀ ପାଳନ ଅବସରରେ ଅତିଥିମାନେ ଏଭଳି କହିଛନ୍ତି।
ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଆଜି ଲୋହିଆ ଏକାଡେମିରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବପ୍ରସାଦ ରାୟ ସଭାପତିତ୍ବ କରିଥିଲେ। ବିଶିଷ୍ଟ ଗାନ୍ଧୀବାଦୀ ପ୍ରହ୍ଲାଦ କୁମାର ସିଂହ ଅତିଥି ଭାବେ ଯୋଗ ଦେଇ ‘ଗାନ୍ଧୀ ମଣିଷ ଶରତ ଚନ୍ଦ୍ର’ ଉପରେ ଆଲୋକପାତ କରିଥିଲେ।
ସେହିଭଳି ଅନ୍ୟତମ ଅତିଥି ସାହିତ୍ୟିକ ମନୋଜ କୁମାର ମହାପାତ୍ର ‘ମହାତ୍ମା ଗାନ୍ଧୀ ଓ କାର୍ଲମାର୍କ୍ସଙ୍କ ବିଚାର’ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରଫେସର ବୀରେନ୍ଦ୍ର ନାୟକ ‘ଶିକ୍ଷା ବ୍ୟବସ୍ଥାର ଆହ୍ବାନ ଓ ସମାଧାନ’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସେମାନେ ଶରତଚନ୍ଦ୍ରଙ୍କ ସ୍ମୃତିଚାରଣ କରିଥିଲେ। ସେମାନେ କହିଥିଲେ ଯେ ସ୍ବର୍ଗତ ମହାରଣା ସ୍ବାଧୀନତା ଆନ୍ଦୋଳନ ସହିତ ମୌଳିକ ଶିକ୍ଷା ଓ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ। ମହିଳାମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ସେ ନିରନ୍ତର ଉଦ୍ୟମ କରୁଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶାରଦାକାନ୍ତ ଦାସ ସ୍ବାଗତ ଭାଷଣ ଦେଇଥିଲେ।