ଭୁବନେଶ୍ବର: ସେମାନଙ୍କ ପେଟରେ ମୁଠେ ଆହାର ଦେବାକୁ ଏଇ କାନ୍ଧରେ ମାଟି ବୋହିବୋହି କୁରୁମ ହେଇଗଲି। ଅଥଚ ସେଇ ଜନ୍ମ କଲା ପୁଅମାନେ ମତେ ଅଯୋଗ୍ୟ କହିଲେ। ଘରେ ବାନ୍ଧି ବାଡ଼େଇଲେ। ଶେଷରେ ଆଉ କାହାକୁ ମଶାଣିରେ ପୋଡ଼ି ମତେ ଶୁଦ୍ଧି ହୋଇଗଲେ। ମୁଁ ଆଉ ସେ ଘରକୁ ଯିବିନି। ବରଂ କୋର୍ଟ ଯିବି। ମୁଁ ମରିଗଲି ବୋଲି କହି ବିକି ଦେଇଥିବା ମୋ ୪୦ ଡେସିମିଲି ଜମି ପାଇଁ ଲଢ଼ିବି...। ଏ ଅଭିମାନ ଓ କରୁଣ ଅଭିବ୍ୟକ୍ତି ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର।
ସେ ବଞ୍ଚି ଥାଉଥାଉ ଯେବେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଦର୍ଶାଇ ପରିବାର, ବନ୍ଧୁ କୁଟୁମ୍ବ ତାଙ୍କ ନାଁରେ ଶୁଦ୍ଧି ହେଇଯାଇଥିବା ଜାଣିଲେ, ସେବେଠୁ ଆଉ ଘରକୁ ନଫେରି ବାହାରେ ଘୂରି ବୁଲୁଥିବା ସେଇ ବୃଦ୍ଧ ବାପା ଜଣକ ହେଉଛନ୍ତି ଶରତ କୁମାର ସାହୁ। ଘର ଢେଙ୍କାନାଳ ଜିଲ୍ଲା କୁଆଳୋ ଗ୍ରାମରେ। ଘର ଦ୍ବାର ସବୁ ଥିଲେ ବି ସେ ଫେରି ଆସିଛନ୍ତି ଗଙ୍ଗନଗର ଆଶ୍ରୟସ୍ଥଳୀକୁ। ଯେବେ ତାଙ୍କୁ ଭେଟିଲୁ, ମାଟି ବୋହିବୋହି ବିଣ୍ଡି ମାରିଯାଇଥିବା ନିଜ କାନ୍ଧକୁ ଦେଖାଇ କହିଲେ, ଦେଖ ଏଇ କାନ୍ଧରେ କେତେ ମାଟି ବୋହିଛି, ମୂଲ ଲାଗିଛି। ପେଟକୁ କାଟି ସଞ୍ଚିସଞ୍ଚି ୪୦ ଡେସିମିଲ୍ ଜମି କିଣିଥିଲି। ଶେଷ ସମୟତକ ତା ପାଇଁ ଲଢ଼ିବି। ହାଇକୋର୍ଟ ଯିବି। ମୋ ଜମିକୁ ଯେଉଁମାନେ ଚକ୍ରାନ୍ତ କରି ନେଇଛନ୍ତି ତାକୁ ମୁଁ ଫେରେଇ ଆଣିବି। ଏଭଳି ପରିଣତ ବୟସରେ ବୃଦ୍ଧଙ୍କ ସ୍ବରରେ ଏଭଳି ଶତ ସିଂହର ବଳ ଅନୁଭବ ହେଉଥିଲା।
ଶରତଙ୍କ ସଂସାର ଠିକ୍ଠାକ୍ ଚାଲିଥିଲା। ତେବେ ଯୋଉଦିନ ପୁଅମାନେ ତାଙ୍କୁ ଅଯୋଗ୍ୟ କହିଲେ, ତାହା ତାଙ୍କୁ ହଜମ ହେଲାନି। ଶରତଙ୍କ କହିବା ମୁତାବକ, ୭/୮ ବର୍ଷ ତଳେ ମୋ ଦୁଇ ପୁଅ ଜମି ବାଡ଼ି ବିକିଦେବା କଥା କହିଲେ। ଏଥିରେ ମୁଁ ବିରୋଧ କରିବାରୁ ମତେ ଘରେ ବାନ୍ଧିଦେଲେ। ମାଡ଼ ବି ଦେଲେ। ବାରମ୍ବାର ଏପରି ହେବାରୁ ଆଉ କଷ୍ଟ ସହି ନପାରି ଢେଙ୍କାନାଳରେ ଗୋଟେ ଆଶ୍ରୟସ୍ଥଳୀକୁ ଯାଇ ରହିଲି। ତା’ପରେ ଭୁବନେଶ୍ବର ଆସି ଷ୍ଟେସନ୍ରେ ପଡ଼ିଥିବା ବେଳେ ଓଡ଼ିଶା ପତିତା ଉଦ୍ଧାର ସମିତି ମତେ ଗଙ୍ଗନଗରସ୍ଥିତ ବାସହୀନଙ୍କ ଆଶ୍ରୟସ୍ଥଳୀକୁ ନେଇ ଆସିଲେ।
ଏହା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଏଇଠି ରହିବା ଭିତରେ ଶରତଙ୍କ ପରିବାର ପକ୍ଷରୁ ନୂଆପଲ୍ଲୀ ଥାନାରେ ଏକ ମିସିଂ କେସ୍ ହୋଇଥିଲା। ଯେବେ ନୂଆପଲ୍ଲୀ ଥାନା ଜଣେ ଅଜଣା ବୃଦ୍ଧଙ୍କୁ ମୃତ ଅବସ୍ଥାରେ ପାଇଲେ, ଶରତଙ୍କ ମୁହଁ ସହ ସେଇ ମୃତ ବୃଦ୍ଧଙ୍କ ମୁହଁର କିଛିଟା ସାମଞ୍ଜସ୍ୟ ଥିବାରୁ ଥାନା ପକ୍ଷରୁ ଶରତଙ୍କ ପରିବାରକୁ ଖବର ଦିଆଗଲା। ଶରତଙ୍କ ପରିବାର ମଧ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ରେ ପହଞ୍ଚି ସେଇ ମୃତ ବ୍ୟକ୍ତି ଜଣକ ଶରତ ବୋଲି ଏକମତ ହେଲେ। ପରେ ସେ ଶବକୁ ନେଇ ନିଜ ଗ୍ରାମରେ ପରିବାର ଲୋକେ ଦାହ କଲେ। ନିଜ ପରିବାର ଲୋକ ତାଙ୍କ ଶୁଦ୍ଧି କ୍ରିୟା ସାରି ଦେଇଛନ୍ତି ବୋଲି ଶରତ ଶୁଣିବା ପରେ ଆଉ ସେ ଗାଁକୁ ଯିବେ ନାହିଁ ବୋଲି ପଣ କଲେ। ଶରତଙ୍କ କହିବା ମୁତାବକ, ତାଙ୍କୁ ଖାତା ପତ୍ରରେ ମାରିଦେଇ ସେ କିଣିଥିବା ୪୦ ଡେସିମିଲ୍ ଜମିକୁ ବିକ୍ରି କରିଦିଆଯାଇଛି। ଘରର କିଛି ଅଂଶ, ଗାଈ, ଛେଳି, କିଛି ସୁନା ବି ବିକ୍ରି କରି ଦିଆଯାଇଛି। ଏହା ଜାଣିବା ପରେ ଶରତ କିଛିଦିନ ଧରି ନିଜ ଝିଅ ଘରେ ରହି ଜିଲ୍ଲାପାଳଙ୍କ ଦପ୍ତରକୁ ଦୌଡ଼ିଲେ। ଦରଖାସ୍ତ ଦେଇ ସବିଶେଷ ଘଟଣା ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ମଧ୍ୟ ସେ ବିଷୟରେ ତହସିଲଦାରଙ୍କୁ ଜଣାଇଲେ। ମାତ୍ର ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରିନଥିବାରୁ ସେ ଗଙ୍ଗନଗର ଆଶ୍ରୟସ୍ଥଳୀକୁ ଫେରି ଆସିଛନ୍ତି। ଏଇଠି ରହି ସେ ଉଚ୍ଚ ନ୍ୟାୟାଳୟରେ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।