୧୯୩୯ ମସିହା ସେପ୍ଟେମ୍ବର ମାସରେ ମହାଙ୍ଗାର ଚାୟାଁପାଳଠାରେ ସମ୍ଭ୍ରାନ୍ତ ସମାଜ ସଂସ୍କାରକ ବାଗ୍ମୀ ବିଶ୍ବନାଥ କରଙ୍କର ଦାୟଦ ଭାବେ ଜନ୍ମ ନେଇଥିଲେ ଶରତ କୁମାର କର। ନିଜସ୍ବ ପ୍ରତିଭାରେ ଦୀପ୍ତିମନ୍ତ ହୋଇ ଜୀବନର ୮୧ଟି ବସନ୍ତ ଅତିକ୍ରମ କରି ସେ ଆଜି ମହାନିଦ୍ରାରେ ଶାୟିତ। କଟକ କଲିଜିଏଟ୍ ସ୍କୁଲରେ ପାଠ ପଢ଼ିବା ବେଳୁ ଗୁରୁଦେବ ବିକୁଳ ଚରଣ ପଟ୍ଟନାୟକଙ୍କର ସାଂସ୍କୃତିକ ନେତୃତ୍ବକୁ ମାନିନେଇ ସେ ସାଜିଥିଲେ ‘କଳିଙ୍ଗ ଭାରତୀ’ର ଜଣେ ସାଧକ ସଭ୍ୟ। ବନ୍ଧୁ କବିପ୍ରସାଦ ମିଶ୍ର, ସୋମନାଥ ନନ୍ଦ, ଗୋବିନ୍ଦ ସେନାପତି ଓ ପ୍ରଫୁଲ ମିଶ୍ର ଆଦିଙ୍କ ସହ ମିଶି ଭଞ୍ଜ ଆନ୍ଦୋଳନକୁ ଓଡ଼ିଶା ବ୍ୟାପୀ ପ୍ରଚାର ପ୍ରସାର କରି ପାରମ୍ପରିକ ଓଡ଼ିଆ ସାହିତ୍ୟ ସଂସ୍କୃତର ରକ୍ଷଣବେକ୍ଷଣର ମଶାଲକୁ ପ୍ରଜ୍ବଳିତ କରିବାରେ ଅଗ୍ରଜ ରଜତ କୁମାର କର ଓ ହୃଦାନନ୍ଦ ରାୟଙ୍କୁ ସହଯୋଗିତା କରିଥିଲେ। ଆମେ ଥିଲୁ ତାଙ୍କ ପଛକୁ। ସେ ଆମଠାରୁ ୪ ବର୍ଷ ବଡ଼। ଗୁରୁଦେବଙ୍କ ପ୍ରଦର୍ଶିତ ମାର୍ଗ ଓ ବଡ଼ଭାଇମାନଙ୍କ ଉଚ୍ଚାରିତ ଆଦର୍ଶକୁ ପାଥେୟ କରି ଗ୍ରାମେ ଗ୍ରାମେ, ନଗରେ ନଗରେ ଭଞ୍ଜ ଜୟନ୍ତୀ ଜରିଆରେ ଓଡ଼ିଆ ସାଂସ୍କୃତିକ ଅଭ୍ୟୁଦୟ ହେଲା।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ନାତକ ଶିକ୍ଷା ପରେ ଆହ୍ଲାବାଦଠାରେ ସ୍ନାତକୋତ୍ତର ଶିକ୍ଷା ପାଇଁ ଯାତ୍ରା କଲେ ଶରତ ଭାଇନା। ସେହିଠାରୁ ହିଁ ଛାତ୍ର ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କଲେ। ସେଠାରୁ ଫେରି ଏକ ଓଜସ୍ବିନୀ ପତ୍ରିକା ‘ନିର୍ଭୀକ’ ସମ୍ପାଦନା କଲେ। ତାଙ୍କର ବ୍ୟକ୍ତିତ୍ବ ଓ ବାଗ୍ମୀତା ଦେଖି ବିଶିଷ୍ଟ ନେତା ଉତ୍କଳର ବରପୁତ୍ର ବିଜୁ ପଟ୍ଟନାୟକ ତାଙ୍କୁ ଆହ୍ବାନ ଦେଲେ। ତାଙ୍କରି ନେତୃତ୍ବରେ ସେ ୧୯୭୧ ଓ ୧୯୯୦ରେ ବିଧାନସଭାକୁ ନିର୍ବାଚିତ ହୋଇ ଶିକ୍ଷା, ସଂସ୍କୃତି ଓ ଲୋକସମ୍ପର୍କ ମନ୍ତ୍ରୀ ଭାବେ ସୁନାମ ଅର୍ଜନ କଲେ। ୧୯୭୭ରେ ସେ କଟକ ଲୋକସଭା ଆସନରୁ ନିର୍ବାଚିତ ହେଲେ। ଏହାଛଡ଼ା ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଆସନ ଅଳଂକୃତ କରିଥିଲେ। ସଂସ୍କୃତି ମନ୍ତ୍ରୀ ଭାବେ ସେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ଯାଇଅଛନ୍ତି। ବିଭିନ୍ନ ଏକାଡେମିର ସର୍ବୋଚ୍ଚ ପୁରସ୍କାରକୁ ଉପେନ୍ଦ୍ରଭଞ୍ଜ, ଅତିବଡ଼ୀ ଜଗନ୍ନାଥ ଦାସ, ଧର୍ମପଦ ଓ ଜୟଦେବଙ୍କ ନାମରେ ଉତ୍ସର୍ଗ କରିବା ସହିତ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏକ ପ୍ରେକ୍ଷାଳୟ ‘ଭଞ୍ଜକଳା ମଣ୍ଡପ’ ନାମିତ କରିଛନ୍ତି। ତାଙ୍କରି ସମୟରୁ ସାହିତ୍ୟ-ସଂସ୍କୃତି ଓ କଳାର ବରେଣ୍ୟ ଦିଗଦ୍ରଷ୍ଟାମାନଙ୍କର ପୂଜ୍ୟପୂଜା- ଏକାଡେମିମାନଙ୍କ ଦ୍ବାରା କରାଯାଇ ଆସୁଛି।
ସେ ନିଜେ ଥିଲେ ଜଣେ ସ୍ବପ୍ନବିଳାସୀ କବି। ତାଙ୍କର ପ୍ରକାଶିତ କବିତିଗ୍ରନ୍ଥମାନ ହେଲା- ଦ୍ରୁତ ବିଳମ୍ବିତ, ଶାୟିକା, ଋତୁ ସଂହାର, ମନ୍ଥନ ଓ ଅନନ୍ୟ। ଏ ସବୁଥିରେ କବିର ଦରଦି ଆତ୍ମାର ଅକୁହା ବେଦନା ପରିସ୍ଫୁଟ। ତାଙ୍କର ଅନେକ କବିତାରେ ଦରିଦ୍ରର ପ୍ରାଣର ବ୍ୟାକୁଳତା ନିଛକ ଭାବରେ ଚିତ୍ରିତ। ଦେଶପ୍ରେମର କବିତା ବି ଅନେକ ସାହିତ୍ୟ ସଂସ୍କୃତି ପ୍ରତି ଥିବା ଅହେତୁକ ଆକର୍ଷଣ ତାଙ୍କୁ ଜଣେ ସଂସ୍କୃତିସମ୍ପୂର୍ଣ୍ଣ ରାଜନୀତିଜ୍ଞ କରିବାକୁ ସମର୍ଥ ହୋଇଥିଲା। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କର ଅତୁଟ ମନୋବଳ ଓ ନିର୍ଭୀକ ଦମ୍ଭୋକ୍ତି ତାଙ୍କୁ ଚୀରଦିନ ପାଇଁ ଅମର କରି ରଖିବ। ତାଙ୍କର ଅବର୍ତ୍ତମାନରେ ଏ ସମୟ ଅତିକ୍ରାନ୍ତ କରିବାକୁ ପତ୍ନୀ ଅନିମା କର, ପୁତ୍ର ସୁମନ ଓ ଶୋଭନଙ୍କୁ ପ୍ରଭୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ। ସୁମନ ଓ ଶୋଭନଙ୍କ ଭିତରେ ବଞ୍ଚିଛନ୍ତି ଓ ବଞ୍ଚିବେ ଜୈବରସାୟନର ଜୀବତତ୍ତ୍ବରେ।
ଡାକ୍ତର ଶୈଳେଶ୍ବର ନନ୍ଦ
ମୋ: ୯୪୩୭୦୧୮୬୮୬