ଭୁବନେଶ୍ବର: ବିଶିଷ୍ଟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ‘ଏସ୍ଆରବି ଆଣ୍ଡ୍ ଆସୋସିଏଟ୍ସ’ର ମ୍ୟାନେଜିଙ୍ଗ୍ ପାର୍ଟନର୍ ଶରତ ଚନ୍ଦ୍ର ଭଦ୍ର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ବିଭିନ୍ନ ମହଲରୁ ତାଙ୍କୁ ଆଜି ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏହି ଅବସରରେ ଏସ୍ଆରବି ଆଣ୍ଡ୍ ଆସୋସିଏଟ୍ସ ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରୂପାଲି ଛକ ଇଡ୍କୋ ଟାୱାରସ୍ଥିତ ଏସ୍ଆରବି କାର୍ଯ୍ୟାଳୟରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଏଥିରେ ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ଏସ୍ଆରବି ଆଣ୍ଡ୍ ଆସୋସିଏଟ୍ସର ମ୍ୟାନେଜିଙ୍ଗ୍ ପାର୍ଟନର୍ ରାଜୀବ ଶେଖର ସାହୁ, ଫାଲକନ୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତାରା ରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟ ଫୁଡ୍ସ୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ଦାଶ ଓ ଅବସରପ୍ରାପ୍ତ ଆୟକର ପ୍ରମୁଖ ଆୟୁକ୍ତ ପ୍ରଦୋଷ ଚନ୍ଦ୍ର ମହାନ୍ତି ଯୋଗଦେଇ ଶ୍ରୀ ଭଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ଓଡ଼ିଶା ରକ୍ତକେନ୍ଦ୍ର ଅଧିକାରୀ ତଥା କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଦେବାଶିଷ ମିଶ୍ର ମଧ୍ୟ ଏହି ଶିବିରରେ ଉପସ୍ଥିତ ଥିଲେ। ଏସ୍ଆରବି ଆଣ୍ଡ୍ ଆସୋସିଏଟ୍ସ ପକ୍ଷରୁ ବିଶ୍ବରଞ୍ଜନ ସୂତାର ଶିବିର ପରିଚାଳନା କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତକେନ୍ଦ୍ରର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
ଜନ୍ମଦିବସରେ ରକ୍ତଦାନ ଶିବିର
ସଂଭାବନା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ସନ୍ଧ୍ୟାରେ ‘ସଂଭାବନା’ ପକ୍ଷରୁ ଶ୍ରୀ ଭଦ୍ରଙ୍କ ଜନ୍ମଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଟେଲ୍ ଓ କରିମ୍ରେ ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀ ଭଦ୍ରଙ୍କ ବହୁ ଶୁଭେଚ୍ଛୁ ଯୋଗ ଦେଇ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସାହିତ୍ୟିକ ଦାଶ ବେନହୁର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସି ଭି ରମଣ ବିଶ୍ବବିଦ୍ୟାଳୟର ସଭାପତି ସଞ୍ଜୀବ ରାଉତ, ଟିମ୍ ଆଡ୍ମାର୍କର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, କଂଗ୍ରେସ ନେତା ସୁଦର୍ଶନ ଦାସ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ବି କେ ଆର୍ଟ କଲେଜ ଅଧ୍ୟକ୍ଷ ଗଜେନ୍ଦ୍ର ପାଢ଼ୀ, ସମାଜସେବୀ କସ୍ତୁରିକା ପଟ୍ଟନାୟକ, କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଭାଷା ବିଜ୍ଞାନୀ ଦେବାଶିଷ ମହାପାତ୍ର ଓ ଓଡ଼ିଶୀ ନୃତ୍ୟ ଗୁରୁ ଦେବବ୍ରତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ସୌଦାମିନୀ ସାମଲ, ନିବେଦିତା ମଲ୍ଲିକ, ବିଜୟଲକ୍ଷ୍ମୀ ସା’, ଲୋରିସ୍ନା ବିଶ୍ବାଳ, ବାସନ୍ତୀ ପଟ୍ଟନାୟକ, ମଧୁସ୍ମିତା ଦାସ, ରଶ୍ମୀ ସାହୁ, ଦେବୀରାଣୀ ଦାସ, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ଓ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସଂଭାବନାର ସମ୍ପାଦକ ଦେବପ୍ରସାଦ ପରିଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସଂଭାବନା ଟ୍ରଷ୍ଟର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଇଥିଲା।