ଜଟଣୀ: ଜଟଣୀରେ କ୍ରୀଡ଼ାର ବିକାଶ ସହ ସହରବାସୀଙ୍କ ଶାରୀରିକ ସୁସ୍ଥତାରେ ସହାୟକ ହେବବୋଲି ନିର୍ମାଣ ହୋଇଥିଲା ଶରତ ପାଇକରାୟ ଷ୍ଟାଡିୟମ୍। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜଟଣୀର ଏହି ଏକମାତ୍ର ସର୍ବସାଧାରଣ ଷ୍ଟାଡିୟମ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ଫଳରେ ଏଠାରେ କୌଣସି ବଡ଼ କ୍ରୀଡ଼ା ଆୟୋଜନ ହୋଇପାରୁନାହିଁ ଏବଂ ସ୍ଥାନୀୟ କ୍ରୀଡ଼ାବିତ୍‌ କ୍ରୀଡ଼ାଭ୍ୟାସ କରିବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ଏହି ଷ୍ଟାଡିୟମକୁ ଆଖପାଖ ଅଞ୍ଚଳର ଯୁବକମାନେ କ୍ରୀଡ଼ାଭ୍ୟାସ କରିବାକୁ ଆସୁଥିଲେ। ସରକାରୀ ଓ ବେସରକାରୀ ସ୍ତରରେ ଏଠାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ହେଲେ ବର୍ତ୍ତମାନ ଷ୍ଟାଡିୟମ୍ ଆଉ ଖେଳ ଉପଯୋଗୀ ହୋଇ ରହିନାହିଁ। ଷ୍ଟାଡିୟମର ଦୁଇ ମୁଖ୍ୟ ଫାଟକ ଖୋଲାମେଲା ଭଗ୍ନ ଅବସ୍ଥାରେ ଠିଆ ହୋଇଛି। ପାଚେରି ମଧ୍ୟ ଭାଙ୍ଗି ଗଲାଣି। ପ୍ରତିଦିନ ସନ୍ଧ୍ୟା ହେଲେ ଷ୍ଟାଡିୟମ୍ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ଦୁଇ ମହଲା ବିଶିଷ୍ଟ ଷ୍ଟାଡିୟମ୍ କାର୍ଯ୍ୟାଳୟ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି। ଅସାମାଜିକ ଲୋକେ କୋଠାର ଝରକା ଓ କବାଟ ତାଡ଼ି ନେଇ ଗଲେଣି। କୋଠାଟି ଭୁଶୁଡ଼ିବା ସ୍ଥିତିରେ ପହଞ୍ଚି ଗଲାଣି। ୨୦୦୯ ମସିହା ପୂର୍ବରୁ ଜଟଣୀରେ ସର୍ବସାଧାରଣଙ୍କ ପାଇଁ ଷ୍ଟାଡିୟମଟିଏ ନଥିଲା।

Advertisment

କେବଳ ଥିଲା ଖୋର୍ଦ୍ଧାରୋଡ୍ ରେଳ ଷ୍ଟାଡିୟମ୍। ଏହି ଷ୍ଟାଡିୟମ୍ ଉପରେ ରେଳ ବିଭାଗ, କର୍ମଚାରୀ ଓ ଜଟଣୀ ସହରବାସୀ ନିର୍ଭର କରୁଥିଲେ। ତେବେ କୌଣସି ପ୍ରତିଯୋଗିତାର ଆୟୋଜନ, ଏପରିକି କ୍ରୀଡ଼ାଭ୍ୟାସ ପାଇଁ ମଧ୍ୟ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବାକୁ ପଡୁଥିଲା। ବିଭିନ୍ନ ସମୟରେ ସେଥିପାଇଁ ଅନୁମତି ମିଳୁନଥିଲା। ତେଣୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ସହରବାସୀ। ଅଞ୍ଚଳବାସୀଙ୍କ ଅନୁରୋଧକ୍ରମେ ତତ୍କାଳୀନ ବିଧାୟକ ଶରତ ପାଇକରାୟ ଜଟଣୀ କଲେଜ ପାର୍ଶ୍ୱରେ ସରକାରୀ ଜାଗାରେ ଏକ ଷ୍ଟାଡିୟମ୍ ନିର୍ମାଣ କରିଥିଲେ। ଷ୍ଟାଡିୟମ ୨୦୦୯ ମସିହାରେ ଉଦ୍‌ଘାଟିତ ହୋଇଥିଲା। ପରେ ସେଠାରେ କ୍ରୀଡ଼ାଭ୍ୟାସ, କ୍ରୀଡ଼ା ପ୍ରତିଯୋଗିତା, ଯୋଗାଭ୍ୟାସ ଆଦି ଆରମ୍ଭ ହୋଇଥିଲା। ଏହାପରେ ଷ୍ଟାଡିୟମ୍ ପରିସରରେ ଅଞ୍ଚଳର ଗଣେଶ ପୂଜା ଓ ବାଣ ବଜାର ଆଦି ମଧ୍ୟ ଆରମ୍ଭ ହୋଇଥିଲା। ତେବେ ୧୪ ବର୍ଷ ପରେ ଏହି ଷ୍ଟାଡିୟମର ଅବସ୍ଥା ସମ୍ପୂର୍ଣ ବଦଳିଯାଇଛି। ପ୍ରଶାସନିକ ଅବହେଳା ପାଇଁ ଦୀର୍ଘ ୫ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଷ୍ଟାଡିୟମ। ସରକାରୀ ସ୍ତରରେ ମଧ୍ୟ ଏହା ଉପରେ କେହି ନଜର ପକାଉ ନାହାନ୍ତି। ଫଳରେ କ୍ରୀଡ଼ାପ୍ରେମୀ ଅସନ୍ତୋଷ ପ୍ରକାଶ କରିବା ସହ ଉକ୍ତ ଷ୍ଟାଡିୟମକୁ ତୁରନ୍ତ ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି।

ଅନ୍ୟପଟେ ନିକଟରେ ଖୁଦୁପୁର ପଡ଼ିଆ ପାଖରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ତିଆରିହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ମଧ୍ୟ ହୋଇଗଲାଣି। କିନ୍ତୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଏହି ପୁରୁଣା ସର୍ବସାଧାରଣ ଷ୍ଟାଡିୟମ୍ ଉପରେ କାହାର ନଜର ପଡୁନି। ସ୍ଥାନୀୟ କ୍ରୀଡ଼ାପ୍ରେମୀ ଗଦାଧର ଚମ୍ପତିରାୟ କହନ୍ତି, ‘‘ଜଟଣୀରେ ଖେଳର ବିକାଶ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉନାହିଁ। ମୋ’ଭଳି ଅନେକ କ୍ରୀଡ଼ାପ୍ରେମୀ ସେଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଷ୍ଟାଡିୟମଟି ଜଟଣୀ ସହରର ସବୁଠୁ ବଡ଼ ଷ୍ଟାଡିୟମ୍ ଭାବେ ପରିଚିତ। ଏହାର ପୁନରୁଦ୍ଧାର କରିବା ସହ ବ୍ୟାବହାରିକ ବ୍ୟବସ୍ଥା କରିବା ଆବଶ୍ୟକ।’’