‘ଶରତ ସନ୍ଧ୍ୟା’: ଉନ୍ମୋଚିତ ହେଲା ‘ଅଭିସାର’ ଓ ‘କାହାଣୀ ସରିନାହିଁ’

କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ‘ଶରତ ସମ୍ମାନ’

ଭୁବନେଶ୍ୱର: ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ‘ଶରତ ସନ୍ଧ୍ୟା’ ଅନୁଷ୍ଠିତ ହୋଇଛି। ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଜନ ସମ୍ଭାରକୁ ନେଇ ପ୍ରସ୍ତୁତ ଏ ଅଭିନବ ଉତ୍ସବ ଥିଲା କବିତା, କଥା, ସଙ୍ଗୀତ, ନୃତ୍ୟ ଓ ଚିତ୍ରର ଏକ ବିରଳ ସମନ୍ୱୟ। ଏହି ଅବସରରେ ପେନ୍ ଇନ୍ ବୁକ୍ସ୍ ଦ୍ୱାରା ପ୍ରକାଶିତ କବି ଶ୍ରୀ ଦାଶଙ୍କ ନବମ କବିତା ସଂକଳନ ଓ ସଙ୍ଗୀତ ଆଲବମ ‘ଅଭିସାର’ ସହ ସ୍ମୃତିକଥା ସଂକଳନ ‘କାହାଣୀ ସରିନାହିଁ’ ଉନ୍ମୋଚିତ ହୋଇଛି। ଏଥିସହିତ ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ‘ଶରତ ସମ୍ମାନ’ ପ୍ରଦାନ କରାଯାଇଛି।

ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଭୁବନେଶ୍ୱର ପ୍ରଧାନ ଆୟକର ଆୟୁକ୍ତ ତଥା ଲେଖକ ଧୀରେନ୍ଦ୍ର କୁମାର ମିଶ୍ର, ଲେଖକ ମଧୁସୂଦନ ପାଢ଼ୀ, ପ୍ରସିଦ୍ଧ କଥାକାର ଦାଶ ବେନହୁର, ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ସୃଜନ ଯାତ୍ରା ବାବଦରେ ସୂଚନା ଦେଇ ଲେଖକୀୟ ବକ୍ତବ୍ୟ ରଖିଥିଲେ କବି ଶ୍ରୀ ଦାଶ। କଥାକାର ଶୁଭ୍ରାଂଶୁ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିବା ସହ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଦେଇଥିଲେ।

ଶ୍ରୀ ଦାଶଙ୍କ ସଙ୍କଳନ ‘ଅଭିସାର’ର ୧୦ଟି ନିର୍ବାଚିତ କବିତାକୁ ସଙ୍ଗୀତ ରୂପ ଦେଇ ‘ଅଭିସାର’ ଆଲବମ୍ ପ୍ରସ୍ତୁତ କରିଛନ୍ତି ପ୍ରେମ୍ ଆନନ୍ଦ। ଏଥିରେ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସବିଶେଷ ମିଶ୍ର, ଦେବକୃପା ମିଶ୍ର, ଆଶୁତୋଷ ମହାନ୍ତି, ବିଷ୍ଣୁମୋହନ କବି, ଲୋପାମୁଦ୍ରା ଦାଶ, ସତ୍ୟଜିତ୍ ପ୍ରଧାନ ଓ ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଥିବା ବେଳେ ଉତ୍ସବରେ ଉପସ୍ଥିତ ରହି ସଙ୍ଗୀତ ପରିବେଷଣ କରିଥିଲେ। ଉନ୍ମୋଚନ ସମାରୋହ ପୂର୍ବରୁ କବି ଶ୍ରୀ ଦାଶଙ୍କ ଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଗୁରୁ ଗୌରୀଶଙ୍କର ଦାଶ ଓ ସାଥୀ କଳାକାର। ସେହିପରି ଶ୍ରୀ ଦାଶଙ୍କ କାହାଣୀକୁ ନେଇ ମଞ୍ଚରେ ରୂପାୟନ କରିଥିଲେ ଷ୍ଟୋରିଟେଲର ପ୍ରାଚୀତାରା ମିଶ୍ର। ଏହାସହିତ ପାରମ୍ପରିକ ଓଡ଼ିଶୀ ଶାଢ଼ିରେ ରୢାମ୍ପ୍ ସୋ’ ପରିବେଷଣ କରିଥିଲେ ସମାଜସେବୀ ସବିତା ପଟ୍ଟନାୟକ। ଏହି ଅବସରରେ ବିଭିନ୍ନକ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୮ଜଣ ବ୍ୟକ୍ତିବିଶେଷଙ୍କ ସମେତ ‘ଅଭିସାର’ର ପ୍ରଚ୍ଛଦ ଚିତ୍ର ଆଙ୍କିଥିବା ଶୁଚିସ୍ମିତା ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର