ସର୍ବକ୍ଷମା ଯୋଜନା: ୨୦ରୁ ଚଢ଼ାଉ, ଆବେଦନ ନ କଲେ ଫସିବେ

ଅଗ୍ନି ନିରାପତ୍ତା, ଅକୁପାନ୍ସି ସାର୍ଟିଫିକେଟ୍ ନ ଥିଲେ ବେଆଇନ ନିର୍ମାଣ ବୋଲି ଧରାଯିବ

ସବୁ ବେଆଇନ ନିର୍ମାଣ ସିଲ୍‌ ହେବ
୪ବିଭା‌ଗକୁ ନେଇ ଗଠନ ହେବ ସ୍ବତନ୍ତ୍ର ସ୍କ୍ବାଡ୍

ଭୁବନେଶ୍ବର : ନଗର ଉନ୍ନୟନ ବିଭାଗ ତୃତୀୟଥର ପାଇଁ ସର୍ବକ୍ଷମା ଯୋଜନାର ଅବଧି ବଢ଼ାଇଛି। ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ସମସ୍ତ ବେଆଇନ ନିର୍ମାଣକାରୀଙ୍କୁ ‌େସମାନଙ୍କ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। ଏହି ସମୟ ମଧ୍ୟରେ ଯେଉଁମାନେ ଆବେଦନ ନ କରିବେ, ସେମାନଙ୍କର ଘର/ପ୍ରତିଷ୍ଠାନକୁ ବିଏମ୍‌ସି/ବିଡିଏ ସିଲ୍‌ କରିବେ ନଚେତ୍ ବୁଲଡୋଜର ଲଗାଇ ଭାଙ୍ଗିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯିଏ ସର୍ବକ୍ଷମାରେ ଆବେଦନ ନକରିବେ ସେମାନଙ୍କ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଫେବ୍ରୁଆରି ୨୦ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ। କେଉଁ ବ୍ୟାବସାୟିକ ପ୍ରତିଷ୍ଠାନ/ଆପାର୍ଟମେଣ୍ଟ/ହସ୍ପିଟାଲ/ସପିଂ ମଲ୍‌/ କ୍ଲିନିକ୍/ହୋଟେଲ/ମାର୍କେଟ୍ କମ୍ପ୍ଲେକ୍ସ/ସିନେମା ହଲ୍‌/ରେସ୍ତୋରାଁ/ପେ‌ଟ୍ରୋଲ ପମ୍ପ୍‌/ ଶିକ୍ଷାନୁଷ୍ଠାନ ଆବାସିକ ଗ୍ୃହ କେତେ ଅଞ୍ଚଳରେ ନିର୍ମାଣ ପାଇଁ କ’ଣ ପ୍ଲାନ୍ ନେଇଛନ୍ତି, କ’ଣ କ’ଣ ସୁବିଧା ସୁଯୋଗ ଦେବେ ପ୍ଲାନ୍‌ରେ ଉଲ୍ଲେଖ କରିଛନ୍ତି, ପାର୍କିଂ ସୁବିଧା ଅଛି କି ନାହିଁ, ଆବାସିକ ପ୍ଲାନ୍ ନେଇ ବ୍ୟବସାୟ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ। ଯାହାର ବେଆଇନ ନିର୍ମାଣ ହୋଇଥିବ ସେଗୁଡ଼ିକୁ ଭଙ୍ଗାଯିବ ନଚେତ୍ ସିଲ୍‌ କରାଯିବ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଯାଞ୍ଚ ସମୟରେ ବଡ଼ ବଡ଼ ପ୍ରତିଷ୍ଠାନଗୁଡ଼ିକ ଯଥା ୫୦୦ବର୍ଗମିଟରରୁ ଅଧିକ ନିର୍ମାଣ ହୋଇଥିବା କୋଠାଗୁଡ଼ିକର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଅଛି କି ନାହିଁ ଯାଞ୍ଚ କରାଯିବ। ବର୍ତ୍ତମାନର ନିୟମ ଅନୁଯାୟୀ, ଯେଉଁମାନେ ବିଡିଏ/ବିଏମ୍‌ସିରୁ ଯେଉଁ ଅନୁଯାୟୀ ପ୍ଲାନ୍ ନେଇଥିବେ ସେହି ଅନୁଯାୟୀ ନିର୍ମାଣ କରିଥିଲେ ସେମାନଙ୍କୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମିଳିବ। ଯଦି କେହି ବେଆଇନ୍ ନିର୍ମାଣ କରିଥିବେ ସେମାନେ ତାହାକୁ ଆଇନସମ୍ମତ କଲେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମିଳିବ। ଯିଏ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଆଣିବେ ତାଙ୍କୁ ଅକୁପାନ୍ସି ସାର୍ଟିଫିକେଟ୍ ମିଳିବ। ଯାହାର ଅକୁପାନ୍ସି ସାର୍ଟିଫିକେଟ୍ ନଥିବ ସେଗୁଡ଼ିକ ବେଆଇନ ନିର୍ମାଣ ବୋଲି ଧରାଯିବ।

ଫେବ୍ରୁଆରି ୨୦ତାରିଖ ପରେ ସମସ୍ତ ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ବିଡିଏ, ବିଏମ୍‌ସି, କମିସନରେଟ୍ ପୁଲିସ/ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁୁ ନେଇ ତିନିଟି ସ୍କ୍ବାଡ୍‌ ଗଠନ ହେବ। ଏହି ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। ଏହି ଟିମ୍‌ରେ ଅମିନମାନଙ୍କୁ ରଖାଯିବ। ଅମିନମାନେ ତୁରନ୍ତ ମାପଚୁପ କରି ବେଆଇନ ନିର୍ମାଣକୁ ଚିହ୍ନଟ କରିବେ। ଫଳରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେବ।

କାହାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦରକାର
ଓଡ଼ିଶା ଅଗ୍ନି ନିରାପତ୍ତା ଏବଂ ଅଗ୍ନି ସୁରକ୍ଷା (ସଂଶୋଧନ) ନିୟମ, ୨୦୧୯ ଅନୁଯାୟୀ ସମସ୍ତ ବିମାନବନ୍ଦର, ଏୟାରଷ୍ଟ୍ରିପ୍, ସିନେମା ହଲ୍‌, ମଲ୍ଟିପ୍ଲେକ୍ସ, ବିସ୍ଫୋରକ ସାମଗ୍ରୀ/ବାଣ ଆଦି ପ୍ରସ୍ତୁତ ହେଉଥିବା ବା ବିକ୍ରି ହେଉଥିବା ସ୍ଥାନ, ସମସ୍ତ କଳ କାରଖାନା, ଶିଳ୍ପାନୁଷ୍ଠାନ, ପେଟ୍ରୋଲ ପମ୍ପ ଡିପୋ, ୫୦୦ ବର୍ଗମିଟର ବା ଅଧିକ ନିର୍ମାଣରେ ଅଣ୍ଡରଗ୍ରାଉଣ୍ଡ ବା ଆଂଶିକ ଅଣ୍ଡରଗ୍ରାଉଣ୍ଡ ଥିଲେ, ଅ‌ଡିଟୋରିୟମ, ସମ୍ମିଳନୀ କକ୍ଷ, ସଭା ଗୃହ, ରିକ୍ରିଏସନ୍ ହଲ୍‌, ୧୨ମିଟର ବା ଏହାଠାରୁ ଅଧିକ ଉଚ୍ଚତାର ଅଫିସ ଗୃହ ବା ୫୦୦ ବର୍ଗମିଟରରୁ ଅଧିକ ଅଞ୍ଚଳରେ ଥିବା ଅଫିସ, ୧୨ମିଟର ବା ଏହାଠାରୁ ଅଧିକ ଉଚ୍ଚତାର ବା ୫୦୦ ବର୍ଗମିଟରରେ ଥିବା ହସ୍ପିଟାଲ/କ୍ଲିନିକ, ତିନି ମହଲାରୁ ଅଧିକ ଉଚ୍ଚତାର କୋଠାରେ ଅଣ୍ଡରଗ୍ରାଉଣ୍ଡ, ବେସମେଣ୍ଟ, ୩୦ରୁ ଅଧିକ ଶଯ୍ୟା ଥିଲେ, କ୍ରିଟିକାଲ କେୟାର ୟୁନିଟ ଥିଲେ, ୧୨ମିଟର ବା ଏହାଠାରୁ ଅଧିକ ଉଚ୍ଚତାର ବା ୧୦୦୦ ବର୍ଗମିଟର ବା ଏହାଠାରୁ ଅଧିକ ଅଞ୍ଚଳରେ ଶିକ୍ଷାନୁଷ୍ଠାନ, ବା ତିନି ମହଲା କୋଠା ହୋଇଥିଲେ, ୧୨ମିଟର ବା ଏହାଠାରୁ ଅଧିକ ଉଚ୍ଚତା, ୫୦୦ବର୍ଗମିଟରରୁ ଅଧିକ ଅଞ୍ଚଳରେ ନିର୍ମାଣ ହୋଇଥିଲେ, ତିନି ତାରକା ବା ଏହାଠାରୁ ଅଧିକ କ୍ୟାଟେଗୋରି‌ର, ବିବାହ, ସମ୍ମିଳନୀ, ସଭା, ସମାବେଶ ସୁବିଧା ଥିବା ହୋଟେଲ, ଲଜ୍‌, ଗେଷ୍ଟ ହାଉସ୍‌, ୯ମିଟର ବା ଏହାଠାରୁ ଅଧିକ ଉଚ୍ଚତା ବା ୫୦୦ ବର୍ଗମିଟରରୁ ଅଧିକ ଅଞ୍ଚଳରେ ନିର୍ମାଣ ହୋଇଥିବା ମଲ୍‌, ସପିଂ ମଲ୍‌, ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନେବା ଦରକାର। ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନଥିଲେ ସଂପୃକ୍ତ କୋଠା ବେଆଇନ ନିର୍ମାଣ ବୋଲି ଧରାଯିବ। ଏହାପରେ ନିୟମ ଅନୁଯାୟୀ ଏହାକୁ ସିଲ୍‌ କରାଯିବ।

ସମ୍ବନ୍ଧିତ ଖବର