ଭୁବନେଶ୍ବର : ପୋଷାକ ବଜାରରେ ବି ଭିଡ଼ ପରିଲକ୍ଷିତ ହେଲାଣି। ବିଭିନ୍ନ ସୋ’ ରୁମ୍‌ରେ ନୂଆ ଡିଜାଇନ୍‌ର ପୋଷାକ ପ୍ରଦର୍ଶନ କରାଯାଇଛି। ତେବେ ଶାଢ଼ି ବଜାର ଏବେ ବି ସନ୍ଦିହାନ ଅବସ୍ଥାରେ ରହିଛି। ଗତବର୍ଷ ଶାଢ଼ି ବଜାର ପୂରା ମାନ୍ଦା ଥିଲା। ଚଳିତ ବର୍ଷ ବି କରୋନା କଟକଣା ଲାଗି ରହିଛି। ତେଣୁ ଶାଢ଼ି ବିକ୍ରି କେତେ ପରିମାଣରେ ସଫଳତା ପାଇବ, ତାହା ସ୍ପଷ୍ଟ ହୋଇପାରିନାହିଁ। ତଥାପି ବଡ଼ବଡ଼ ‌ଶାଢ଼ି ସୋ’ରୁମ୍‌ରେ ଅଧିକ ବିକ୍ରି ପାଇଁ ଅଫର୍‌ ଦିଆଯାଉଥିବା ଦେଖିବାକୁ ମିଳିଛି।

Advertisment

ରାଜଧାନୀର ଅନ୍ୟତମ ଶାଢ଼ି ସୋ’ରୁମ୍‌ ମେହେରର ପରିଚାଳକ କିଶୋର ଚନ୍ଦ୍ରଙ୍କ କହିବା କଥା, ପୂଜା ପାଇଁ ନୂଆ ଡିଜାଇନ୍‌ର ଶାଢ଼ି ଅଣାଯାଇଛି। ସମ୍ବଲପୁରୀ, ଫ୍ୟାନ୍‌ସି, କାଞ୍ଜିପୁରମ୍, ମହାରାଷ୍ଟ୍ର ସିଲ୍କ, ପଟଲା ସିଲ୍କ, ରାଜକୋର୍ଟ ପଟୋଲା ସିଲ୍କ ଶାଢ଼ି ଆସିଛି। ଏବେ ବଜାର ଚାହିଦା ଅନୁସା‌ରେ, ସମ୍ବଲପୁରୀ ଓ ବେଙ୍ଗଲୀ ନାଲି ଧଳା ରଙ୍ଗ ଶାଢ଼ିର ଚାହିଦା ରହିଛି। ସୋ’ରୁମ୍ ପକ୍ଷରୁ ୭.୫ ପ୍ରତିଶତ ରିହାତି ରଖାଯାଇଛି। ଖାସ୍‌ ଏହି ପୂଜା ଅବସର ପାଇଁ ୨ କୋଟିରୁ ଅଧିକ ଟଙ୍କାର ଶାଢ଼ି କିଣା ହୋଇଛି। ଆଶା କରୁଛୁ ପୂଜା ବେପାର ଭଲ ହେବ। ମାତ୍ର ବର୍ତ୍ତମାନର ଧାରାରୁ କିଛି ଭଲ ଜଣାପଡ଼ୁନାହିଁ। କରୋନା କଟକଣା ବେପାରରେ ବାଧକ ହେବ ବୋଲି ଭୟ ରହୁଛି। ଗତ ବର୍ଷ ବିପୁଳ କ୍ଷତି ହୋଇଥିଲା। ବିବାହ, ବ୍ରତରେ ବି ଭଲ କାରବାର ହେଲା ନାହିଁ। ତେଣୁ ଚଳିତ ବର୍ଷ ସେଭଳି ସ୍ଥିତି ହେଲେ, କ୍ଷତିଭରଣା କରିବା ଅସମ୍ଭବ ହେବ।

ସେହିଭଳି ବୟନିକାର ଅଧିକାରୀ ବିଭୁ ରାୟଙ୍କ କହିବା କଥା ବମ୍‌କେଇ ପାଟ, ସୋନପୁରୀ, ଖଣ୍ଡୁଆ, ପଶାପାଲି ପାଟ, ନୂଆପାଟଣା ମାଣିଆବନ୍ଧ ଶାଢ଼ି ଅଣାଯାଇଛି। ଏମିତିକି ଏହି ସବୁ ସୂତାରୁ ତିଆରି ନୂଆ ଡିଜାଇନ୍‌ର ପୋଷାକ ମଧ୍ୟ ବଜାରକୁ ଆସିଛି। କଟକର ନୂଆପାଟଣା ଶାଢ଼ି, ସୋନପୁର ଓ ବମକେଇ ପାଟଶାଢ଼ିର ଚାହିଦା ଅଛି। ପୂଜା ପାଇଁ ୨୦ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ଧୀରେଧୀରେ ବେପାର ବି ବଢ଼ୁଛି। କିନ୍ତୁ ପୂର୍ବ ଭଳି ପୂଜା ବଜାର ଭିଡ଼ ନାହିଁ। ପୂର୍ବରୁ ପ୍ରାୟ ୨୦ କୋଟି ଟଙ୍କାର କାରବାର ହେଉଥିଲା। ଗତବର୍ଷଠାରୁ ସବୁ ମାନ୍ଦା। କଟକଣା ସାଙ୍ଗକୁ ଲୋକଙ୍କ ରୋଜଗାର ବାଧାପ୍ରା‌ପ୍ତ ହୋଇଥିବାରୁ ଲୋକେ କମ୍ ମୂଲ୍ୟର ପୋଷାକ କିଣି କାମ ଚଳାଇ ନେଉଥିବା ଦେଖାଯାଉଛି। ଜଣେ ଗ୍ରାହକ ସୁସ୍ମିତା ପଟ୍ଟନାୟକଙ୍କ କହିବା କଥା, ନୂଆ ନୂଆ ସୁନ୍ଦର ଡିଜାଇନ୍‌ ସବୁ ବଜାରକୁ ଆସିଛି। କିନ୍ତୁ ସବୁ ପ୍ରକାର ଶାଢ଼ିର ଦାମ୍ ବହୁତ ବଢ଼ିଛି। ତେଣୁ ଦେଖିଚାହିଁ କିଣିବାକୁ ପଡ଼ୁଛି।