ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ହୋଇଆସୁଥିବା ‘ସର୍ଗିଫୁଲ’ ମହୋତ୍ସବ (୧୦ମ ସଂସ୍କରଣ) ଆଜି ଆଦିବାସୀ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ସେ ଏହି ଅବସରରେ କହିଲେ, ଅନୁସୂଚିତ ଜନଜାତି ପିଲାମାନଙ୍କର ଦକ୍ଷତା କୌଣସି ଗୁଣରେ କମ୍ ନୁହେଁ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ବିଦ୍ୟାରୂପକ ଜ୍ଞାନକୁ ଆହରଣ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସର୍ଗିଫୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଅଣାଯାଇ ପାରିବ ଓ ସେମାନଙ୍କର ଦକ୍ଷତାକୁ ଆହୁରି ବିକଶିତ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ। କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ସୁଜିତ କୁମାର, ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ମୁନ୍ନା ଖାନ୍, ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସରଗିଫୁଲ ମହୋତ୍ସବରେ ଦକ୍ଷତା ବୃଦ୍ଧି ପାଇଁ ୩୦ଟି କର୍ମଶାଳା ଓ ୧୭ଟି ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଥିରେ ଭାଗ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଶିଶୁ ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଛି। ଗଣିତ ଉପରେ ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ବୃଦ୍ଧି ପାଇଁ ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ‘ଗଣିତ କଳିକା’ ଆରମ୍ଭ ହେବ ବୋଲି ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ (ଏସ୍ଟି) ସଚିନ ରାମଚନ୍ଦ୍ର ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଓ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳବିହାରୀ ଓତା ଧନ୍ୟବାଦ ଜଣାଇଥିଲେ। ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷାପୁଞ୍ଜ ସମୂହର ୫ମରୁ ୧୦ମ ଶ୍ରେଣୀର ୮୬୭ ଜଣ ଛାତ୍ରଛାତ୍ରୀ ଓ ୧୩୮ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି। ଆଜି ଉଦ୍ଘାଟନୀ ସମାରୋହରେ ୨୦୧୯ ମସିହା ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ଅର୍ଜନ କରିଥିବା ୧୦୧ ଜଣ ଛାତ୍ରଛାତ୍ରୀ ଓ ଉତ୍ତମ ସେବା ସହ ବିଭିନ୍ନ ବର୍ଗରେ କୃତିତ୍ବ ହାସଲ କରିଥିବା ୫୦ଟି ଉଚ୍ଚ ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/54h56f4h65sf4h65sfhhhhhhhhhhhhhhhhhhhhhhhhhhhhhh.jpg)