ଖଣ୍ଡଗିରି: ଆଉ ଶୁଭିବନି ଗରମାଗରମ ଓ ଲୁହବତୁରା ଲହରିଆ ସଂଳାପ। କିମ୍ବା ସେ ଶବ୍ଦରେ ଖଣ୍ଡଗିରି ପାହାଡ଼ଖୋଲ ଭିତରର ଐତିହାସିକ ଅନ୍ଧାରର ନିଦ ଭାଙ୍ଗିବନି ଆଉ ରାତିଅଧରେ। ଆଉ ଜମିବନି ହାଉଜାଉ ଭିଡ଼। କାଲିଠୁ ରାତିରେ ପୁଣି ଛାଇଯିବ ନିରବତା। ଆଖପାଖ ସାହି ଓ ଗାଁରୁ ନିଜ ଘରକୁ ବାହୁଡ଼ିଯିବେ କୁଣିଆ। ଖଣ୍ଡଗିରି କୁମ୍ଭମେଳାରୁ ନେଇ ଯାତ୍ରା ମହାକୁମ୍ଭ ପର୍ଯ୍ୟନ୍ତ ପ୍ରାୟ ୧୨ଦିନର ଯାତ୍ରା ଓ ୧୪ ଦିନର ମେଳା ପରେ ଗୁରୁବାର ଭୋରରୁ ଚଳିତ ବର୍ଷର ମହୋତ୍ସବରେ ପଡ଼ି ଯାଇଛି ଯବନିକା। ମାସ ମାସ ଧରି ରିହର୍ସାଲ ପରେ ଖଣ୍ଡଗିରି ପଡ଼ିଆରେ ଶେଷରାତିରେ ଶେଷପରୀକ୍ଷା ଦେଇ ଫେରି ଯାଇଛନ୍ତି ୬ ଯାତ୍ରାପାର୍ଟି। କହିବା ଅନାବଶ୍ୟକ ଯେ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଏଇ ମହୋତ୍ସବରେ ପାଇଥିବା ଦର୍ଶକୀୟ ସମର୍ଥନ ଓ ପ୍ରଶଂସା ଆଧାରରେ ଯାତ୍ରାଦଳଗୁଡ଼ିକର ମୂଲ୍ୟାଙ୍କନ କରାଯିବ। ଏ ହେବ ସେମାନଙ୍କ ଦକ୍ଷତାର ସାର୍ଟିଫିକେଟ।

Advertisment

ମଉଚ୍ଛବ ଶେଷରେ ଏବେ କେଉଁ ପାର୍ଟି କେଉଁ ନୂଆ ନାଟକ ନେଇ ଆସିଲେ, କେମିତି ପ୍ରଦର୍ଶନ କରିଲେ; ତାକୁ ନେଇ ସବୁଠି ଏବେ ଚର୍ଚ୍ଚା, ଆଲୋଚନା। ଏଥର ୧୨ଟି ରାତିରେ ୧୨ଟି ପାର୍ଟିରେ ୧୬ଟି ନାଟକ ପରିବେଷଣ କରିଛନ୍ତି। ଫେବ୍ରୁଆରି ୧୮ରୁ ଖଣ୍ଡଗିରି ଯାତ୍ରା ମୈଦାନରେ ୫ଟି ପାର୍ଟିରୁ ଯାତ୍ରା ମହାସମର ଆରମ୍ଭ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ ୬ଟି ପେଣ୍ଡାଲ୍‌ରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏକଥା ସ୍ବୀକାର କରାଯିବ ଯେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଉଭୟରେ ପାର୍ଟିମାନେ ଦର୍ଶକ ଟାଣିବାରେ ସକ୍ଷମ ହୋଇଥିଲେ।

ସମ୍ବର୍ଦ୍ଧନା ପର୍ବ
ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ମହତାବ ପେଣ୍ଡାଲରେ ମହତାବ ସାଂସ୍କୃତିକ ପରିଷଦ ନିଜର ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖିଥିଲା। କଳା ପ୍ରଦର୍ଶନ କରି ଲକ୍ଷଲକ୍ଷ ଦର୍ଶକଙ୍କୁ ମନୋରଂଜନ ଖୋରାଖ ଯୋଗାଇଥିବା ପ୍ରଯୋଜକ, ଲେଖକ ଓ ନିର୍ଦ୍ଦେଶକଙ୍କୁ ସ୍ବୀକୃତି ଦେବାପାଇଁ ପରିଷଦ ପକ୍ଷରୁ ଆଜି ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଥିଲା। ବିଧାୟକ ‌ଅନନ୍ତ ନାରାୟଣ ଜେନା, ପୂର୍ବତନ କର୍ପୋରେଟର ଅଶ୍ବିନୀ ସୁନ୍ଦରାୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା ଓ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ ଉପସ୍ଥିତ ରହି ଯାତ୍ରା ସମ୍ରାଟ 'ତୁଳସୀ' ଗଣନାଟ୍ୟ ପରିବାରକୁ ସମ୍ବର୍ଦ୍ଧିତ କରିଥିଲେ।

୭ କୋଟି ବେପାର
ଚଳିତବର୍ଷ ଖଣ୍ଡଗିରି ଅପେରା ଲଢ଼େଇ ବେଶ୍ ଜମିଥିଲା। ଉତ୍କଣ୍ଠାରେ ଥିବା ଯାତ୍ରାପ୍ରେମୀମାନଙ୍କ ପକ୍ଷରୁ ଯାତ୍ରାପାର୍ଟିଗୁଡ଼ିକୁ ପ୍ରଚୁର ସମର୍ଥନ ମିଳିଥିଲା। ତେଣୁ ୧୨ଦିନ ଯାକ ସବୁପାର୍ଟି ଭଲ ବେପାର କରିଥିଲେ। ଶେଷ ପର୍ଯ୍ୟାୟରେ ଗୋଟିଏ ରାତି ତୁଳସୀ ଓ ଶିବାନୀ ଗଣନାଟ୍ୟ ଡବଲ୍ ସୋ' କରିବା ଥିଲା ଏବର୍ଷ ଯାତ୍ରାପ୍ରେମୀଙ୍କ ଚାହିଦାର ବଡ଼ ଉଦାହରଣ। ଏକ ଆକଳନ ଅନୁସ‌ାରେ ଏଥର ଅପେରା ପାର୍ଟିମାନେ ୭ କୋଟିରୁ ଅଧିକ ଟଙ୍କାର ବେପାର କରିଛନ୍ତି।

ପୁଲିସ ଓ ପ୍ରଶାସନକୁ ଧନ୍ୟବାଦ
ଖଣ୍ଡଗିରି କୁମ୍ଭମେଳାରୁ ନେଇ ଯାତ୍ରା ମହାକୁମ୍ଭ ପର୍ଯ୍ୟନ୍ତ ବ୍ୟାପକ ପୁଲିସ ବଳ ନିୟୋଜିତ ହୋଇ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ତଦାରଖ କରିବା ସହ ଟ୍ରାଫିକ ପରିଚାଳନା କରିଥିଲେ। ସେହିଭଳି ପ୍ରଶାସନ ମଧ୍ୟ ଯଥାସମ୍ଭବ ପରିଚ୍ଛନ୍ନତାକୁ ଗୁରୁତ୍ବ ଦେଇଥିଲା। ଯଦିଓ ଟ୍ରାଫିକ୍‌ ଭିଡ଼ ଯୋଗୁଁ କିଛିଟା ସମସ୍ୟା ସୃଷ୍ଟି ହୋଇଥିଲା, ମାତ୍ର ପରେ ସେଦିଗରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଥିଲା। ତେଣୁ ପ୍ରଶାସନ ଓ ପୁଲିସକୁ ସମସ୍ତ କମିଟି ସଦସ୍ୟମାନେ କୃତଜ୍ଞତା ଜଣାଇଛନ୍ତି।

ରିପିଟ୍‌ ନାଟକରେ ଶେଷ
ଏତର ଖଣ୍ଡଗିରି ଯାତ୍ରା ମହୋତ୍ସବରୁ ଶେଷ ପର୍ଯ୍ୟାୟରେ ୬ଟି ଯାତ୍ରା ଦଳ ସେଇ ରିପିଟ୍‌ ନାଟକ ମଞ୍ଚସ୍ଥ କରି ବିଦାୟ ନେଇଛନ୍ତି। ଗତକାଲି ଯାତ୍ରା ଦେଖିବା ପାଇଁ ପ୍ରବଳ ସମାଗମ ହୋଇଥିବା ବେଳେ ଆଜି ମଧ୍ୟ ଶେଷଦିନ ଥିବାରୁ ଅନୁରୂପ ଭିଡ଼ ଦେଖିବାକୁ ମିଳିଥିଲା। ମହତାବ ପେଣ୍ଡାଲ୍‌ରେ ତୁଳସୀ ‘ଅଧା ରାତିର ସାଥୀ’ ମଞ୍ଚସ୍ଥ କରି ବିଦାୟ ନେଇଥିବା ବେଳେ ମା' ମଙ୍ଗଳା ମଣ୍ଡପରେ ସ୍ବର୍ଣ୍ଣ ମହଲ ‘କେତେ ଦୁଃଖ ଦେବୁ ଦେରେ କାଳିଆ' ଆଜି ମଧ୍ୟ ମଞ୍ଚସ୍ଥ କରିଛି। ସେହିପରି ଜୟଦୁର୍ଗା ମଣ୍ଡପରେ ସ୍ବପ୍ନ ମହଲ ବି 'କେତେ କ‌ାନ୍ଦିବୁରେ ଗଉରା ଦାସ' ରିପିଟ୍‌ କରି ଫେରିଛି। ସାଇନୀଳାଦ୍ରି କମିଟିରେ ରଙ୍ଗମହଲର ‘ମୁଁ ଗୋଟେ ଝିଅର ବାପା’, ଇନ୍ଦିରା ମଣ୍ଡପରେ ଶିବାନୀ 'ଅଲିଅଳି ରାଜଜେମା' ରିପିଟ୍‌ ମଞ୍ଚସ୍ଥ କରିଛି। ସେହିଭଳି ସନାତନ ମଣ୍ଡପରେ ସୂର୍ଯ୍ୟ ମନ୍ଦିର ମଧ୍ୟ 'ହାତ ଧରି ବାଟ ଚାଲୁଥିବି' ନାଟକ ମଞ୍ଚସ୍ଥ କରି ବିଦାୟ ନେଇଛି।

ସମସ୍ତେ ଖୁସ୍‌
ଅଗିରା ପୂର୍ଣ୍ଣିମାଠାରୁ ଖଣ୍ଡଗିରି କୁମ୍ଭମେଳାର ପୂର୍ଣ୍ଣାହୁତି ପଡ଼ି ସାରିଥିଲେ ହେଁ ମେଳା ସରି ନଥିଲା। ଯାତ୍ରା ମହାସମର ସହ ମେଳା ବଜାର ଜମି ରହିଥିଲା। ଅପେରା ଲଢ଼େଇର ଶେଷ ପର୍ଯ୍ୟାୟରେ ଯେମିତି ଦର୍ଶକଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିଲା, ମେଳାରେ ବି ସେମିତି ଦିନକୁ ଦିନ ଭିଡ଼ ବଢ଼ିବାରେ ଲାଗିଥିଲା। ତେଣୁ ବ୍ୟବସାୟୀମାନଙ୍କର ବେପାର ଜମିଥିଲା। ଚଳିତବର୍ଷ ବିଏମ୍‌ସିର ଟିକସ, ବିଦ୍ୟୁତ୍ ଦେୟ ଆଦି ବଢ଼ିଥିବାରୁ ବେପାରୀମାନେ ଚିନ୍ତାରେ ପଡ଼ିଥିଲେ। କିନ୍ତୁ ମେଳାରେ ଦର୍ଶକଙ୍କ ଭିଡ଼ ସେମାନଙ୍କ ଆଶଙ୍କା ଦୂର କରିଦେଇଥିଲା। ଖାଦ୍ୟପେୟ ଦୋକାନରୁ ଆରମ୍ଭ କରି ଖେଳଣା ବେପାରୀମାନେ ଭଲ ଲାଭକରି ଖୁସି ମନରେ ଫେରିଯାଇଛନ୍ତି। ଅପେରା ଲଢ଼େଇର ଶେଷରାତି ପାହିବା ବେଳକୁ ବହୁ ବେପାରୀ ସେମାନଙ୍କ ଡେରା ଉଠାଇ ଚାଲି ଯାଇଥିଲେ।