ଅନ୍ତିମ ପ୍ରମାଣ: ନୃତ୍ୟରେ ବଞ୍ଚିରହିବେ ସରୋଜ ଖାନ୍‌, ଛାଇକୁ ଦେଖି ନୃତ୍ୟ କରୁଥିଲେ

୧୯୪୮ ମସିହାରେ ମୁମ୍ବାଇରେ ସରୋଜ ଖାନ୍‌ ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ବାପା କିଷନଚାନ୍ଦ ସାଧୁ ସିଂହ ଓ ମା’ ନୋନି ସିଂହ କରାଚୀର ମୂଳ ବାସିନ୍ଦା ଥିଲେ। ସରୋଜଙ୍କ ବାପା କରାଚୀର ଜଣେ ବଡ଼ ବ୍ୟବସାୟୀ ହୋଇଥିବା ବେଳେ ସମ୍ଭ୍ରାନ୍ତ ଶ୍ରେଣୀର ମଧ୍ୟ ଥିଲେ। କିନ୍ତୁ ଭାରତ-ପାକ୍‌ ବିଭାଜନ ରାତାରାତି ଅନେକ ଲୋକଙ୍କୁ ଦାଣ୍ଡର ଭିକାରି କରି ଦେଇଥିଲା। କରାଚୀରୁ ଜୀବନ ବଞ୍ଚାଇ ଭାରତ ଫେରିବା ବେଳେ ସେମାନଙ୍କ ପାଖେ ବଞ୍ଚିଯାଇଥିବା ସୁନା ଓ ଟଙ୍କା ମଧ୍ୟ ରେଳ ଷ୍ଟେସନରେ ଚୋରି ହୋଇଯାଇଥିଲା। ପରେ ତାଙ୍କ ବାପା ମା’ ଆସି ମୁମ୍ବାଇରେ ବହୁ କଷ୍ଟରେ ଜୀବନ ଅତିବାହିତ କରିଥିଲେ। ଏହାପରେ ସରୋଜଙ୍କ ଜନ୍ମ ହୋଇଥିଲା। ପିଲା ଦିନେ ସରୋଜଙ୍କ ନାମ ନିର୍ମଳା ଥିଲା। ମାତ୍ର ୩ ବର୍ଷ ବୟସରେ ସରୋଜ ଛାଇକୁ ଦେଖି ହାତ ଗୋଡ଼ ହଲାଉଥିଲେ, ଡେଉଁଥିଲେ। ଏହା ଦେଖି ସରୋଜଙ୍କର କାଳେ କିଛି ମାନସିକ ରୋଗ ଅଛି ଭାବି ତାଙ୍କ ମା’ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ସେଠାରୁ ହିଁ ସରୋଜଙ୍କ ଭାଗ୍ୟ ଫିଟିଯାଇଥିଲା ଓ ସେ ବଲିଉଡ୍‌ରେ ପ୍ରବେଶର ଏକ ରାସ୍ତା ପ‌ାଇଯାଇଥିଲେ। ବାସ୍ତବରେ ସେ ଡାକ୍ତରଙ୍କ ପାଖକୁ ବଲିଉଡ୍‌ର ବହୁ ପ୍ରସିଦ୍ଧ ଅଭିନେତା, ଅଭିନେତ୍ରୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଚିକିତ୍ସା ପାଇଁ ଆସୁଥିଲେ। ସରୋଜଙ୍କୁ ଦେଖି ଡାକ୍ତର ଜଣକ ତାଙ୍କ ମା’ଙ୍କୁ କହିଥିଲେ, ଆପଣଙ୍କ ଝିଅ ପାଗଳ ନୁହେଁ, ପ୍ରକୃତରେ ସେ ବହୁତ ପ୍ରତିଭାବାନ। ଆପଣ ତାକୁ ବଲିଉଡ୍‌କୁ ଛାଡ଼ନ୍ତୁ। ସେହି ଡାକ୍ତରଙ୍କ ସହଯୋଗରେ ମାତ୍ର ୩ ବର୍ଷ ବୟସରେ ସରୋଜ ଶିଶୁ କଳାକାର ଭାବେ ବଲିଉଡ୍‌ରେ ପ୍ରବେଶ କରିଥିଲେ।

ଅମିର ଖାନ୍‌ ଥିଲେ ମାଷ୍ଟରଜୀଙ୍କ ପ୍ରିୟ
ନୃତ୍ୟ ଆସୁ ନଥିବା କଳାକାର ଦ୍ବାରା ବଲିଉଡ୍‌ର ଟ୍ରେଣ୍ଡ ସେଟିଂ ନୃତ୍ୟ କରାଇବା ହିଁ ସରୋଜଙ୍କ ନିଶା ଥିଲା। ସେ ବିଲକୁଲ ନୃତ୍ୟ କରିପାରୁନଥିବା ଅଭିନେତା/ଅଭିନେତ୍ରୀଙ୍କୁ ବି ନୃତ୍ୟ ନିପୁଣ କରାଇଥିଲେ। ସେ ସବୁବେଳେ କହୁଥିଲେ, ଗୋବିନ୍ଦ‌ା, ମିଥୁନ ଦା, ଅମିର ଖାନ ଓ ଅକ୍ଷୟ କୁମାର ଆଦି ନୃତ୍ୟରେ ଅଭିଜ୍ଞ କଳାକାରଙ୍କୁ ନୃତ୍ୟ ଶିଖାଇବାରେ ମଜା ନଥାଏ ଯଦି ମୁଁ ସଞ୍ଜୟ ଦତ୍ତ ଓ ସୈଫ୍‌ଅଲ୍ଲୀ ଖାନ୍‌ଙ୍କୁ ନଚାଇ ପାରିଲି ତାହା ମତେ ଆତ୍ମତୃପ୍ତି ଦିଏ। କିନ୍ତୁ ମାଷ୍ଟର ଜୀଙ୍କ ଅତି ପ୍ରିୟ ଥିଲେ ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟ ଅମିର ଖାନ୍‌। ମାଷ୍ଟର ଜୀ ସବୁବେଳେ କହୁଥିଲେ, ଅମିରଙ୍କ ସହ କାମ କରିବାରେ ମଜା ଆସେ। ତାଙ୍କ ସାଙ୍ଗରେ ଯେକୌଣସି ନୃତ୍ୟଭଙ୍ଗୀ ବା ନୃତ୍ୟ ସଂରଞ୍ଚନା କର ସେ ସେହି ଚରିତ୍ର ଭିତରେ ନିଜକୁ ସମ୍ପୂର୍ଣ୍ଣ ହଜାଇ ଦେଇ ତାହାକୁ ପୂରା କରନ୍ତି ବୋଲି ସରୋଜ ଏକ ସାକ୍ଷାତକାରରେ କହିଥିଲେ।

ଶେଷ ଭିଡିଓରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଥିଲେ
ମୃତ୍ୟୁ ପୂର୍ବରୁ ସରୋଜ ଖାନ୍‌ ନିଜ‌ର ଶେଷ ଭିଡିଓରେ କରୋନା ଭୂତାଣୁ ଉପରେ କହିଥିଲେ। ଭିଡିଓରେ କରୋନା ଯୋଦ୍ଧା ଯଥା ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ ଓ ସମସ୍ତ ଆଗ ଧାଡ଼ିର ସୈନିକମାନଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଥଇଲେ। ଏଥିସହ ଲୋକମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହ ସମସ୍ତଙ୍କୁ ସରକାରଙ୍କ କଥା ନ ମାନି ବାହାରକୁ ନବାହାରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଆମର ଯତ୍ନ ନେଉଛନ୍ତି। ଏଣୁ ଭଗବା‌ନଙ୍କ ପାଇଁ ନିଜେ ନିଜର ଯତ୍ନ ନିଅନ୍ତୁ। ଜୟ ହିନ୍ଦ୍‌.. ଜୟ ମହାରାଷ୍ଟ୍ର। ଏଥିସହ ଶେଷ ଥର ପାଇଁ ସେ ଇନ୍‌ଷ୍ଟାଗ୍ରାମ୍‌ରେ ସୁଶାନ୍ତ ସିଂହ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେ କାହିଁକି ଏଭଳି ପଦକ୍ଷେପ ନେଲେ ବୋଲି ପ୍ରଶ୍ନ କରିଥିଲେ। ‌ମାଷ୍ଟର ଜୀ ଲେଖିଥିଲେ, ମୁଁ ତୁମ ସହ କେବେ କାମ କରିନି। କିନ୍ତୁ ତୁମ ସହ ବହୁତ ଥର ଦେଖାହେଇଛି। ମୁଁ ଜାଣିନି ତୁମ ଜୀବନରେ କ’ଣ ଘଟିଯାଇଛି। କିନ୍ତୁ ଏତେ ବଡ଼ ପଦକ୍ଷେପ ନେବା ପୂର୍ବରୁ ତୁମେ ବୟୋଜ୍ୟେଷ୍ଠମାନଙ୍କ ସହ କଥା ହୋଇଥାନ୍ତ। ମୁଁ ତୁମକୁ ତୁମର ସବୁ ଚଳଚ୍ଚିତ୍ରରେ ଭଲ ପାଇଛି। ତୁମେ ଯେଉଁଠି ଥାଅ ଭଲରେ ଥାଅ ବୋଲି ମାଷ୍ଟର ଜୀ ଇନ୍‌ଷ୍ଟାରେ ଲେଖିଥିଲେ।

ସମ୍ବନ୍ଧିତ ଖବର