ଭୁବନେଶ୍ବର: କଥା, କବିତା, ଗୀତ, ଚିତ୍ର ଓ ନୃତ୍ୟର ନବରଙ୍ଗ ସହ ନିଆରା ଢଙ୍ଗରେ ପାଳିତ ହୋଇଛି ଯୁବ କବି ସରୋଜ ବଳଙ୍କ ଜନ୍ମଦିନ ‘ସରୋଜ ସନ୍ଧ୍ୟା’। ହୋଟେଲ୍ କେଶରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରୋଜ ବଳଙ୍କ ରଚିତ ‘ଜନପଥରେ ଖରା’ ପୁସ୍ତକର ଇଂରାଜୀ ଅନୁବାଦ ହର୍ମେନ୍ଦ୍ର ସିଂହଙ୍କ ଅନୂଦିତ ‘ସନ୍ସାଇନ୍ ଆଟ୍ ଜନପଥ’ ଏବଂ ଶଙ୍କର ଲାଲ୍ଙ୍କ ହିନ୍ଦୀ ଅନୁବାଦ ‘ଜନ୍ପଥ୍ ମେ ଧୂପ୍’ ଲୋକାର୍ପିତ ହୋଇଥିଲା। ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ହରପ୍ରସାଦ ଦାସ, ଗାଳ୍ପିକ ପ୍ରକାଶ ମହାପାତ୍ର ଏବଂ ଜ୍ୟୋତି ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକଦ୍ବୟ ଲୋକାର୍ପଣ କରିଥିଲେ। ଏଥିସହ ଶ୍ରୀ ବଳଙ୍କ ସାହିତ୍ୟିକ ଜୀବନକୁ ନେଇ ତାପସ ରାଉତଙ୍କ ଦ୍ବାରା ପ୍ରସ୍ତୁତ ବୃତ୍ତ ଚିତ୍ର ‘ଦୁଇ ପାଦ ଆଗରେ’ ପ୍ରଦର୍ଶିତ ହୋଇଥିଲା। ପରେ ଶ୍ରୀ ବଳଙ୍କ ‘କବିତା ବାଲା’ ଗୀତରେ ଓଡ଼ିଶୀ ଓ ପାଶ୍ଚାତ୍ୟ ନୃତ୍ୟର ଫ୍ୟୁଜନ ଦେଖିବାକୁ ମିଳିଥିଲା। ଆର୍ଯ୍ୟା ହୋତା ଓ ସୋମ୍ ହୋତା ନୃତ୍ୟ ପରସି ଦେଇଥିଲେ। ଚିତ୍ରଶିଳ୍ପୀ ତଥା ଅଭିନେତା ଚିନ୍ତାମଣି ବିଶ୍ବାଳ କାର୍ଯ୍ୟକ୍ରମ ମୂଳରୁ ଶେଷ ପର୍ଯ୍ୟନ୍ତ ଶ୍ରୀ ବଳଙ୍କ ଉପରେ ଲାଇଭ୍ ପେଣ୍ଟିଂ ପ୍ରଦର୍ଶନ କରିଥିଲେ। ସଂଗୀତ ନିର୍ଦେଶକ ଶରତ ନାୟକ ଏବଂ ସୁସ୍ମିତା ଦାସ ସଂଗୀତ ପରିବେଷଣ କରିଥିଲେ। ଏଥିସହିତ ତାଙ୍କର କିଛି କବିତା ପାଠ କରାଯାଇଥିଲା। ବିଜୟ ମଲ୍ଲ ଓ ପ୍ରଜ୍ଞା ପାରମିତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp