ସାର୍ଥକ ପ୍ରଧାନଙ୍କ ‘ଦୃଶ୍ୟପଟ୍ଟ’ ଉନ୍ମୋଚିତ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍-ଇନ୍-ବୁକ୍ସ ପକ୍ଷରୁ ପ୍ରକାଶିତ ଯୁବ ସ୍ତମ୍ଭକାର ସାର୍ଥକ ପ୍ରଧାନଙ୍କ ପ୍ରବନ୍ଧ ସଂକଳନ ‘ଦୃଶ୍ୟପଟ୍ଟ’ ଉନ୍ମୋଚିତ ହୋଇଯାଇଛି। ବହିଟିକୁ ଉନ୍ମୋଚନ କରି ପ୍ରସିଦ୍ଧ କଥାକାର ଗୌରହରି ଦାସ କମ ବୟସରୁ ସାର୍ଥକଙ୍କ ସାରସ୍ୱତ ଆଗ୍ରହ ଓ ଉତ୍କର୍ଷର ପ୍ରଶଂସା କରିଥିଲେ। ସମସାମୟିକ ରାଜନୈତିକ, ସାମାଜିକ, ଆର୍ଥନୀତିକ ଓ ସାଂସ୍କୃତିକ ବିଷୟବସ୍ତୁକୁ ନେଇ ଏ ସବୁ ପ୍ରବନ୍ଧରେ ସାର୍ଥକଙ୍କର ଅନୁଶୀଳନ ବେଶ ପରିପକ୍ୱ ବୋଲି ଡ. ଦାସ ମତ ଦେଇଥିଲେ। ଏହି ଅବସରରେ ସାର୍ଥକଙ୍କ ପିତା ତଥା ଶିକ୍ଷାବିତ୍‌ ବିରାଟ କେଶରୀ ପ୍ରଧାନଙ୍କ ସମେତ କଥାକାର ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ। ବର୍ତ୍ତମାନ ସମୟରେ ନୂଆପିଢ଼ିର ଲେଖକମାନେ ଅଧିକାଂଶ କବିତା ଅଥବା କାହାଣୀ ଲେଖିବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଛାତ୍ର ଜୀବନରୁ ସାର୍ଥକ ଜଣେ ସ୍ତମ୍ଭକାର ଓ ପ୍ରାବନ୍ଧିକ ଭାବେ ଖବର କାଗଜରେ ପ୍ରସିଦ୍ଧି ସାଉଁଟିଛନ୍ତି। ତାଙ୍କର ବିଷୟବସ୍ତୁ ଚୟନ ଓ ଲିଖନଶୈଳୀରେ ପରିପକ୍ୱତା ସ୍ପଷ୍ଟ ବୋଲି ଶ୍ରୀ ପଣ୍ଡା କହିଥିଲେ। ସାର୍ଥକଙ୍କ ଏହା ପ୍ରଥମ ପୁସ୍ତକ ଓ ଏହାର ପାଣ୍ଡୁଲିପି ପାଇଁ ସେ ୨୦୧୮ ମସିହା ନିମନ୍ତେ ସମ୍ମାନଜନକ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇଛନ୍ତି।

ସମ୍ବନ୍ଧିତ ଖବର