ଭୁବନେଶ୍ବର : ଖୋର୍ଦ୍ଧା ସାରୁଅସ୍ଥିତ ଓଡ଼ିଶା ଇନଫ୍ରାଟେକ୍ ପ୍ରୋଜେକ୍ଟରେ ଥିବା ତରଙ୍ଗ ଷ୍ଟୁଡ଼ିଓରୁ ଛଟେଇ ଠିକା କର୍ମଚାରୀମାନେ ଆଜି ରାଜଧାନୀରେ ଧାରଣା ଦେଇଛନ୍ତି। କର୍ମଚାରୀମାନେ ରାଜଭବନ ନିକଟରେ ଧାରଣାରେ ବସିଛନ୍ତି। ପୁନଃ ନିଯୁକ୍ତି ଦାବିରେ ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଯୋଗ ଅନୁସାରେ, କମ୍ପାନି ଜମି ବିକ୍ରି ବାବଦରେ ସେମାନେ ଷ୍ଟୁଡିଓରେ ଚାକିରି ପାଇଥିଲେ। ୫ରୁ ୬ବର୍ଷ ଚାକିରି କରିଥିଲେ। କିନ୍ତୁ ସେମାନଙ୍କୁ ଛଟେଇ କରାଯାଇଛି। ତେଣୁ ପୁନଃ ଓ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ସେମାନେ ଦାବି ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏ ସଂକ୍ରାନ୍ତୀୟ ମାମଲା ଡେପୁଟି ଶ୍ରମ କମିସନ୍‌ଙ୍କ କାର୍ଯ୍ୟାଳୟ‌‌‌ରେ ଚାଲୁଛି।

Advertisment

ଇଡ୍‌କୋକୁ ଜମି ଜନଶୁଣାଣି କାର୍ଯ୍ୟକ୍ରମରେ ବିରୋଧ
ତ୍ରିଶୂଳିଆ : ଶୁକ୍ରବାର ବାରଙ୍ଗ ତହସିଲ କାର୍ଯ୍ୟାଳୟରେ ଉଡ୍‌‌କୋକୁ ଜମି ହସ୍ତାନ୍ତର କରିବା ନେଇ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରଙ୍ଗ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ଲୋକେ ଜମି ହସ୍ତାନ୍ତରକୁ ବିରୋଧ କରିଥିଲେ। ତେଣୁ ଜନଶୁଣାଣି କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଥିଲା।

ବାରଙ୍ଗ ତହସିଲ ନରଣପୁର ମୌଜା ଖାତା ନଂ-୧୯୫ ପ୍ଲଟ ନଂ-୨୧ପି ଜମିକୁ ଇଡ୍‌କୋ ଅଧିଗ୍ରହଣ କରିବାକୁ ଏହି ଜନଶୁଣାଣି ଆହ୍ବାନ କରାଯାଇଥିଲା। ମାତ୍ର ଦିନକ ପୂର୍ବରୁ ତହସିଲ୍‌ କର୍ତ୍ତୃପକ୍ଷ ନୋଟିସ୍ କରିଥିବାରୁ ବହୁ ସ୍ଥାନୀୟ ଲୋକେ ଏ ବାବଦରେ ଜାଣି ପାରିନଥିଲେ। ତେଣୁ ଏହାକୁ ନେଇ ଲୋକେ ତୀବ୍ର ବିରୋଧ କରିଥିଲେ। ଘନ ଜନବସତି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେଲେ ଉକ୍ତ ଅଞ୍ଚଳରେ ପ୍ରଦୂଷଣ ବଢ଼ିବ ବୋଲି ଲୋକେ ଅଭିଯୋଗ କରିଥିଲେ। ନରଣପୁର ମୌଜାରେ ଖେଳ ପଡ଼ିଆ ନାହିଁ, ଶ୍ମଶାନ ନାହିଁ ଓ ଗ୍ରିନ୍‌ଜୋନ୍‌ ନାହିଁ। ଉକ୍ତ ଜମିରେ ଜଗନ୍ନାଥ ବନ ପ୍ରକଳ୍ପ ତରଫରୁ ମୂଲ୍ୟବାନ ବୃକ୍ଷରୋପଣ କରାଯାଇଛି। ଏହାଛଡ଼ା ଏହି ଅଞ୍ଚଳରେ ଯେତିକି ଶିଳ୍ପ ପ୍ରତିଷ୍ଠା ହୋଇଛି, ସେଠାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିନାହିଁ। ବରଂ ଶିଳ୍ପପତିମାନେ ସ୍ଥାନୀୟ ଲୋକଙ୍କୁ ପ୍ରତାରଣା କରିଛନ୍ତି ବୋଲି ବୈଠକରେ ସେମାନେ କ୍ଷୋଭ ପ୍ରକାଶ କରିଥିଲେ।