ଭୁବନେଶ୍ବର: ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ହେଲେ ଭୁବନେଶ୍ବରରେ ସ୍ବରେଜ୍ କାମ ଶେଷ ହୋଇପାରୁନାହିଁ। ଏବେ ଜିଜିପି କଲୋନିରେ ସ୍ବେରେଜ୍ କାମ ପାଇଁ ସ୍ଥାନୀୟ ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା ଉପରେ ପାହାଡ଼ ସଦୃଶ ମାଟି ଗଦା ହୋଇରହିଛି। ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଲୋକ। ଏମିତିକି ଘରୁ ଗାଡ଼ି ବାହାର କରି ପାରୁନାହାନ୍ତି। କାମରେ ଅହେତୁକ ବିଳମ୍ବ ଯୋଗୁଁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟବାସିନ୍ଦା।
ରସୁଲଗଡ଼-ପାଣ୍ଡରା ପ୍ରାୟ ତିନି କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଏହି ରାସ୍ତା ଦେଇ ଯାତାୟାତ କରିଥାଏ। କିନ୍ତୁ ଏପର୍ଯ୍ୟନ୍ତ ଆର୍ଆଣ୍ଡବି ଏହି ରାସ୍ତାର ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ କରିପାରିନାହିଁ। ଜିଜିପି କଲୋନି ମୁଖ୍ୟ ରାସ୍ତାରେ ମାସେ ତଳେ ୱାଟ୍କୋ ସ୍ବେରେଜ୍ କାମ ଆରମ୍ଭ କରିଥିଲା। ଏବେ ମୁଖ୍ୟରାସ୍ତା ଖୋଳା ହୋଇଯାଇଛି। ନିୟମ ଅନୁସାରେ କାମ ବେଳେ ବାହାରୁଥିବା ମାଟିକୁ ଠିକାଦାର ଅନ୍ୟସ୍ଥାନରେ ପକାଇବେ, ଲୋକଙ୍କ ଯାତାୟାତ ପାଇଁ ରାସ୍ତା ଦେଇ କାମ କରିବେ। କିନ୍ତୁ ଏଠି ମୁଖ୍ୟରାସ୍ତା ଖୋଳାଯାଇ ସେହିଠାରେ ହିଁ ପାହାଡ଼ ଭଳି ମାଟି ଗଦା ହୋଇ ରହିଛି। ଫଳରେ ଗଳିରୁ ବାହାରିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି। ଲୋକମାନେ ଘରୁ ବାହାରକୁ ଯିବା ପାଇଁ ଗାଡ଼ି ବାହାର କରିପାରୁନାହାନ୍ତି।
ମୁଖ୍ୟରାସ୍ତାରେ ଅଳ୍ପ କିଛି ବାଟ ଛଡ଼ା ଯାଇଛି, ଯେଉଁଥିରେ ଦୁଇ ଚକିଆ ଗାଡ଼ି ଯିବା ମଧ୍ୟ କଷ୍ଟକର ହେଉଛି। ରସୁଲଗଡ଼ରୁ ପାଣ୍ଡରା ବ୍ୟସ୍ତବହୁଳ ରାସ୍ତା ହୋଇଥିଲେ ହେଁ ସ୍ବେରେଜ୍ କାମ କରୁଥିବା ଠିକାଦାରଙ୍କ ଏଥିପ୍ରତି ସାମାନ୍ୟତମ ଦାୟିତ୍ବ ନଥିବା ମନେ ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ମାସେରୁ ଅଧିକ ସମୟ ହେବ ସ୍ବେରେଜ୍ କାମ କରାଯାଉଥିଲେ ହେଁ, ମନ୍ଥର ଗତିରେ କାମ କରାଯାଉଛି। ମଝିରେ ମଝିରେ କାମ ବନ୍ଦ କରିଦିଆଯାଉଛି। ଅଧିକ ଶ୍ରମିକ ଓ ମେସିନ୍ ଲଗାଗଲେ କାମ ଶୀଘ୍ର ଶେଷ ହୋଇପାରନ୍ତା। କିନ୍ତୁ ଠିକାଦାରଙ୍କ ମନମାନି ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ସାଧାରଣ ଲୋକ ସମସ୍ୟା ଭୋଗୁଥିବା ନେଇ ଅଭିଯୋଗ ହେଉଛି। ଅନ୍ୟପଟେ ଜିଜିପି କଲୋନିର ଅନ୍ୟ ରାସ୍ତାରେ ଭଲ ରାସ୍ତାକୁ ଖୋଳି ସ୍ବେରେଜ୍ କାମ କରାଯାଇଛି। କିନ୍ତୁ ବର୍ଷ ବର୍ଷ ବିତି ଯାଇଥିଲେ ହେଁ ସେହି ରାସ୍ତା ନୂତନ ଭାବେ ନିର୍ମାଣ କରାଯାଇନାହିଁ। ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି।