ଭୁବନେଶ୍ବର: ଏବେ ଅସରାଏ ବଡ଼ବର୍ଷା ହେଲେ ରାଜଧାନୀର ଛାତି ଉପରେ ଥିବା ଶାସ୍ତ୍ରୀନଗର ଜଳବନ୍ଦୀ ହୋଇଯାଉଛି। ସହରର ଉଚ୍ଚା ସ୍ଥାନରେ ଏହି ଅଞ୍ଚଳଟି ଥିଲେ ବି ଡ୍ରେନ୍ ଉପରେ ଜବରଦଖଲ, ଜଳ ନିଷ୍କାସନ ପାଇଁ ଥିବା ମୁଖ୍ୟ ଡ୍ରେନ୍-୧୦କୁ ମାଡ଼ି ବସି ଘର ନିର୍ମାଣ କରିବା ଏହି ଅଞ୍ଚଳ ପାଇଁ କାଳ ସାଜିଛି। ଶାସ୍ତ୍ରୀନଗର ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ଯେଉଁ ଡ୍ରେନ୍ଗୁଡ଼ିକ ମୁଖ୍ୟ ଡ୍ରେନ୍-୧୦ରେ ପଡ଼ିଛି ସେଗୁଡ଼ିକୁ ସଙ୍କୁଚିତ କରିଦେଇଥିବାରୁ ଏବେ ପାଣି ନିଷ୍କାସନ ହୋଇନପାରି ଲୋକଙ୍କ ଘରେ ପଶୁଛି। ଏଭଳି ଦୟନୀୟ ସ୍ଥିତି ନେଇ ବିଏମ୍ସି ଓ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ଜାଣିଥିଲେ ବି କେହି ଏହାର ପ୍ରତିକାର କରୁନାହାନ୍ତି। ବରଂ ଡ୍ରେନ୍କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ଲୋକଙ୍କୁ ସୁହାଇବା ଭଳି କାର୍ଯ୍ୟ କରିଛନ୍ତି।
ଶାସ୍ତ୍ରୀନଗରରୁ ଜଳ ନିଷ୍କାସନ ପାଇଁ ୪ଟି ଡ୍ରେନ୍ ମୁଖ୍ୟ ଡ୍ରେନ୍-୧୦ରେ ପଡ଼ିଥିଲେ ବି ଏହି ଅଞ୍ଚଳର ଅବସ୍ଥା ବର୍ଷାଦିନେ ସାଂଘାତିକ ହୋଇଯାଉଛି। ଶାସ୍ତ୍ରୀନଗର ଉନ୍ନୟନ ପରିଷଦର ଅଭିଯୋଗ ଯେ, ବିଏମ୍ସି କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଅପାରଗତା ପାଇଁ ପ୍ରାୟ ୨ହଜାରରୁ ଅଧିକ ଲୋକ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଜଣାଯାଇଥିଲେ ବି କିଛି ଫରକ ପଡ଼ୁନି। ବରଂ ଦିନକୁ ଦିନ ଜଳବନ୍ଦୀ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଦି ୱାର୍ଲଡ ଛକ ନିକଟରେ ମୁଖ୍ୟ ଡ୍ରେନ୍-୧୦ ବିଦ୍ୟୁତ ମାର୍ଗକୁ ଯେଉଁଠାରେ ଅତିକ୍ରମ କରିଛି ସେଠାରେ ଜଣେ ବ୍ୟକ୍ତି ବେଆଇନ ଭାବେ ଡ୍ରେନ୍କୁ ମଡ଼ାଇ ନିର୍ମାଣ କରିଛନ୍ତି। ପ୍ରାୟ ୪ରୁ ୫ଫୁଟ ମଡ଼ାଇ ନିର୍ମାଣ କରିଥିବାରୁ ଏଠାରେ ବର୍ଷା ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। କେବଳ ଏତିକି ନୁହେଁ ୧୨୦ ବାଟାଲିଅନ ଏବଂ ଶାସ୍ତ୍ରୀନଗର ଅଞ୍ଚଳରୁ ଆସୁଥିବା ପାଣି ମୁଖ୍ୟ ଡ୍ରେନ୍-୧୦ରେ ମିଶୁଥିବା ସ୍ଥାନରେ ଡ୍ରେନ୍ଟିକୁ ସଙ୍କୁଚିତ କରିଦେଇଥିବାରୁ ବର୍ଷା ଜଳ ପଛୁଆ ଫେରୁଛି। ଫଳରେ ଲୋକଙ୍କ ଘରେ ପାଣି ପଶୁଛି। ଗୋଟିଏ ଘରର ବେଆଇନ ନିର୍ମାଣକୁ ଅନୁକମ୍ପା ଦେଖାଇବାକୁ ଯାଇ ହଜାର ହଜାର ଲୋକଙ୍କୁ ଜଳବନ୍ଦୀ କରାଯାଉଛି। ଏନେଇ ବିଏମ୍ସି ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ କହିଥଲେ ବି କେହି ଶୁଣୁନାହାନ୍ତି କି ଏହି ଡ୍ରେନ୍ର ମାପଚୁପ କରି ଜବରଦଖଲକୁ ଉଚ୍ଛେଦ କରୁନାହାନ୍ତି ବୋଲି ପରିଷଦର ସଭାପତି କହିଛନ୍ତି।
ଅପରପକ୍ଷରେ ଯେଉଁ ଘର ଡ୍ରେନ୍କୁ ଜବରଦଖଲ କରି ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେଉଛି ତା’ର ମାଲିକ ସୁମନ୍ତ ସାହୁ କହିଛନ୍ତି, ଏହି ନାଳ ୪୨ଫୁଟର ଅଛି ବୋଲି ବିଡିଏ ମ୍ୟାପରେ ଦେଖାଉଛି। ଆମେ ୪୬ଫୁଟ ଛାଡ଼ିଛୁ। ଏପରିକି ଆମ ଜମିର କିଛି ଅଂଶ ଏହି ନାଳ ଭିତରେ ଯାଉଛି। ଯଦି ବିଏମ୍ସି ନାଳ ସଫା କରିବନି କି ପୂର୍ତ୍ତ ବିଭାଗ କମ୍ ଓସାରର ଡ୍ରେନ୍ ନିର୍ମାଣ କରିବ ସେଥିପାଇଁ କ’ଣ ଆମେ ଦାୟୀ। ଆମେ ଡ୍ରେନ୍ ଜବରଦଖଲ କରିନୁ। କିଛି ଆପାର୍ଟମେଣ୍ଟ ଓ ସ୍ଥାନୀୟ ଲୋକ ଡ୍ରେନକୁ ମଡ଼ାଇ ଘର ନିର୍ମାଣ କରିଥିବାରୁ ଏହି ସମସ୍ୟା ଉପୁଜୁଛି। ସେମାନଙ୍କୁ ନକହି ଆମକୁ ଦୋଷ ଦିଆଯାଉଛି। ଏନେଇ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ମୁଖ୍ୟ ଡ୍ରେନ୍-୧୦ ଜବରଦଖଲ ହୋଇଥିବା ନେଇ ଆମ ନିକଟରେ ଅଭିଯୋଗ ହୋଇଛି। କିନ୍ତୁ ଏବେ ଏଥିରେ ଜଳ ନିଷ୍କାସନରେ ବିଶେଷ ସମସ୍ୟା ନାହିଁ। ଯେତେବେଳେ ଡ୍ରେନ୍ ପାଚେରି ନିର୍ମାଣ ହେବ ସେତେବେଳେ ମାପଚୁପ କରି ସବୁ ଜବରଦଖଲ ଭଙ୍ଗାଯିବ। ଏବେ ଯଦି କୌଣସି ସ୍ଥାନରେ ପ୍ରତିବନ୍ଧକ ଅଛି ତେବେ ସ୍ଥାନୀୟ ଲୋକ ନିର୍ଦ୍ଦିଷ୍ଟ ଅଭିଯୋଗ କଲେ ଆମେ ତା’ର ସମାଧାନ ନେଇ କିଛି କରିବୁ। ଶାସ୍ତ୍ରୀନଗର ଅଞ୍ଚଳରେ ପୂର୍ତ୍ତ ବିଭାଗ ଡ୍ରେନ୍ ସଙ୍କୁଚିତ ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହାକୁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅନୁଧ୍ୟାନ କରି ପଦକ୍ଷେପ ନେଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/f4h9dfh798h798sfhsfhhfshffhhfhf.jpg)