କେବେ ସରିବ ‘ଶାଶ୍ୱତ ଗାନ୍ଧୀ ଶାନ୍ତି କେନ୍ଦ୍ର’, ପର୍ଯ୍ୟଟନ ବିଭାଗର ଆନ୍ତରିକତାକୁ ନେଇ ପ୍ରଶ୍ନ

ଭୁବନେଶ୍ବର : ସାରା ଦେଶରେ ପାଳିତ ହେଉଛି ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ, ଉତ୍ସବ ଓ ସମାରୋହ ଆୟୋଜିତ ହେଉଛି। ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କିନ୍ତୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଦିଆଯାଇଥିବା ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସମ୍ପାଦନ କରିବାରେ ବିଭାଗ ସଫଳ ହୋଇପାରୁନି। ଅଢ଼େଇ ବର୍ଷ ବିତି ଯାଇଥିଲେ ବି ଏ ଯାଏ ଖୋଲି ପାରୁନି ‘ଶାଶ୍ବତ ଗାନ୍ଧୀ ଶାନ୍ତି କେନ୍ଦ୍ର’ (ଇଟର‌୍‌ନାଲ୍‌ ଗାନ୍ଧୀ ପିସ୍‌ ସେଣ୍ଟର)। କାମ ଏତେ ମନ୍ଥର ଗତିରେ ଚାଲିଛି ଯେ କେବେ ସରିବ, ତାହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ।

୨୦୧୩ ମସିହାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖଣ୍ତଗିରି ନିକଟରେ ୫ ଏକର ଜାଗା ଉପରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯାଇଥିଲା। କୋଠା ନିର୍ମାଣ ସରିଗଲା, କିନ୍ତୁ ତାହାକୁ କିପରି ବ୍ୟବହାର କରାଯିବ, ସେ ନେଇ ବିଭାଗ ମୁଣ୍ତ ଖେଳାଇଲା ନାହିଁ। ଫଳରେ ଚାରି ବର୍ଷ ଧରି ଏହା ପରିତ୍ୟକ୍ତ ହୋଇ ପଡ଼ି ରହିଲା। ୨୦୧୭ ମସିହା‌ରେ ଏହି କୋଠାରେ ‘ଶାଶ୍ବତ ଗାନ୍ଧୀ ଶାନ୍ତି କେନ୍ଦ୍ର’ ପ୍ରତିଷ୍ଠା ପାଇଁ ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍ ଆଗ୍ରହ ପ୍ରକାଶ କଲା। ସେହି ବର୍ଷ ମେ’ ମାସରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଆଦିତ୍ୟ ବିର୍ଲା ଫାଉଣ୍ତେସନ୍‌ ମଧୢରେ ବୁଝାମଣାପତ୍ର ସ୍ବାକ୍ଷର ହେଲା। ତାହା ପରେ ବି ସେହି କୋଠାର ଭାଗ୍ୟ ଫିଟିଲା ନାହିଁ। ବୁଝାମଣାପତ୍ର ସ୍ବାକ୍ଷର ହେବାର ବର୍ଷେ ଯାଏ କାମ ଆରମ୍ଭ ହେଲା ନାହିଁ। ୨୦୧୮ ଅଗଷ୍ଟରୁ ଆଦିତ୍ୟ ବିର୍ଲା ଫାଉଣ୍ତେସନ୍‌ ପକ୍ଷରୁ କାମ ଆରମ୍ଭ ହୋଇଥିଲା। ଡିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତା’ ପରେ ଦିନ ଗଡ଼ି ଚାଲିଲା, କିନ୍ତୁ କାମ ‌ସରିଲାନି। ଫନି ପରେ କିଛି ଦିନ କାମ ବନ୍ଦ ପରେ ଏବେ ଆରମ୍ଭ ହୋଇଛି।

ବୁଝାମଣା ଅନୁଯାୟୀ ଏଠାରେ ଗାନ୍ଧୀ ସ˚ଗ୍ରହାଳୟ ନିର୍ମିତ ହେବ। ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ମଲ୍‌ଟିମିଡିଆ ପ୍ରଦର୍ଶନୀର ବ୍ୟବସ୍ଥା କରାଯିବ। ମଲ୍‌ଟିମିଡିଆ ମାଧୢମରେ ଗାନ୍ଧୀଙ୍କ ମୂଳନୀତି ସତ୍ୟ ଓ ଅହି˚ସା ଏବ˚ ଜୈନ ଧର୍ମର ନୀତି ଉପସ୍ଥାପିତ ହେବ। ଏହି କେନ୍ଦ୍ରକୁ ଓଡ଼ିଶା ସରକାର ଓ ବିର୍ଲା ମ୍ୟାନେଜ୍‌ମେଣ୍ଟ୍‌ କର୍ପୋରେସନ୍‌ ମିଳିତ ଭାବେ ପରିଚାଳନା କରିବେ। ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

ଗତ ବର୍ଷ ଠାରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ବିଭିନ୍ନ ବିଭାଗ ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ପର୍ଯ୍ୟଟନ ବିଭାଗ ଏହାକୁ ନେଇ ଯେତିକି ତତ୍ପରତା ପ୍ରକାଶ କରିବା କଥା ତାହା କରୁ ନାହିଁ। ବିଭାଗର ଅନ୍ୟ ପ୍ରକଳ୍ପ ପରି ଚିରାଚରିତ ଢଙ୍ଗରେ ଏହା ଚାଲିଛି। ଘରୋଇ ସଂସ୍ଥାକୁ ଦାୟିତ୍ବ ଦେଇ ବିଭାଗ ହାତ ଟେକି ଦେଇଛି। କାମ କିପରି ତ୍ବରାନ୍ବିତ ହେବ ଓ ରାଜଧାନୀର ପର୍ଯ୍ୟଟନ ମାନଚିତ୍ର‌େର ଏହି କେନ୍ଦ୍ର କିପରି ସ୍ଥାନ ପାଇବ, ସେ ଦିଗରେ ବିଭାଗ ଆଦୌ ଦାୟିତ୍ବବାନ ହେଉନାହିଁ।

ପର୍ଯ୍ୟଟନ ବିଭାଗ ନୂଆ ନୂଆ ଯୋଜନା କଥା କହି ରାଜ୍ୟ ପର୍ଯ୍ୟଟନର ବିକାଶ ନେଇ ସ୍ବପ୍ନ ଦେଖାଉଛି। କିନ୍ତୁ ପୂର୍ବରୁ ଆରମ୍ଭ ହୋଇଥିବା ଏକାଧିକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଆଦୌ ଆନ୍ତରିକତା ପ୍ରକାଶ କରୁ ନାହିଁ। ଫଳରେ ରାଜକୋଷରୁ କୋଟି କୋଟି ଟଙ୍କା ବରବାଦ କରି ପର୍ଯ୍ୟଟନ ବିଭାଗ ନିଶ୍ଚିତରେ ବସିଛି। ଗାନ୍ଧୀ ଶାଶ୍ବତ ଶାନ୍ତି କେନ୍ଦ୍ର ତାହାର ଏକ ବଡ଼ ଉଦାହରଣ କହିଲେ ଭୁଲ୍‌ ହେବ ନାହିଁ।

ସମ୍ବନ୍ଧିତ ଖବର