ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଯାଉଥିବା ସମୟରେ ଅଠରନଳାର ମହାତ୍ମ୍ୟ ଅନେକ। ଏହାକୁ ଦେଖି ହିଁ ସମସ୍ତେ କାଳିଆ ଦର୍ଶନର କ୍ଷଣ ପାଖେଇ ଆସିଲା ବୋଲି ଜାଣିପାରନ୍ତି। ହେଲେ ଖାଲି କ’ଣ ପୁରୀରେ ଅଠରନଳା ରହିଛି, ପୁରୀ ପଟୁ ଭୁବନେଶ୍ବରକୁ ଆସିଲା ବେଳେ ‘ଅଠରନଳା’ ଅନୁରୂପ କଟକ-ପୁରୀ ବାଇପାସ୍ ତଥା ଜଗନ୍ନାଥ ସଡ଼କ ନିକଟରେ ଥିବା ପାଣ୍ଡରା ଗାଁରେ ରହିଛି ଐତିହାସିକ ‘ସତରନଳା’। ଏହାର ସୁରକ୍ଷା ଦିଗରେ ରାଜ୍ୟ ପ୍ରତ୍ନତତ୍ତ୍ବ ଓ ସଂସ୍କୃତି ବିଭାଗ ଉଦାସୀନ ରହିଥିବା ବେଳେ ଏହା ଏବେ ଅବକ୍ଷୟମୁଖୀ। କିନ୍ତୁ ଏହା ନିଜ ଭିତରେ ଧରିରଖିଛି ଉତ୍କଳୀୟ କାରିଗରୀର ନୈପୁଣ୍ୟ। ଏହି ‘ସତରନଳା’ ଅନେକ ଇତିହାସର ମୂକସାକ୍ଷୀ।
ଚଉଦନଳା ସତ୍ତ୍ବେ ପୋଲର ନାମ ‘ସତରନଳା’
ପୁରୀର ମୂଷାନଈ ଉପରେ ରହିଛି ଐତିହ୍ୟ ‘ଅଠରନଳା’ । ସେହିପରି ଭୁବନେଶ୍ୱର ଉପକଣ୍ଠରେ ପ୍ରବାହିତ ଗନ୍ଧବତୀ ନଦୀ (ବର୍ତ୍ତମାନର ଗଙ୍ଗୁଆ ନାଳ) ଉପରେ ନିର୍ମିତ ଚଉଦଟି ନଳା ଥିବା ପୋଲଟି ‘ସତରନଳା’ ନାମରେ ପରିଚିତ। ପାଣ୍ଡରା ଗ୍ରାମର ଦକ୍ଷିଣ-ପଶ୍ଚିମ ସୀମାନ୍ତରେ ରହିଥିବା ଏହି ପୋଲ, ଅଠରନଳା ଅନୁରୂପ ଶୈଳୀରେ ନିର୍ମିତ ଏକ ଐତିହାସିକ ପୋଲ। ଯାହାକି ଉତ୍କଳୀୟ କଳାଭାସ୍କର୍ଯ୍ୟ ଓ ଅଦ୍ଭୁତ ନିର୍ମାଣଶୈଳୀର ଏକ ନିଦର୍ଶନ। କିମ୍ବଦନ୍ତୀ ତଥା ଲୋକକଥାରୁ ଜଣାଯାଏ, ଯଦି ରାତିକ ଭିତରେ ଏଠାରେ ଆଉ କେତୋଟି ନଳା ନିର୍ମିତ ହୋଇ ପାରିଥା’ନ୍ତା, ତେବେ ଏହି ସ୍ଥାନଟି ଏକାମ୍ର କ୍ଷେତ୍ର, ଶ୍ରୀକ୍ଷେତ୍ରର ମାନ୍ୟତା ଲାଭ କରିପାରିଥାଆନ୍ତା।
ପୁରାଣରୁ ଇତିହାସ ଯାଏ ଏହାର ବ୍ୟାପ୍ତି
ଏହି ପୋଲର ନିର୍ମାଣ କାଳ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣସିଦ୍ଧ ଦସ୍ତାବିଜ ହାସଲ ହୋଇପାରିନାହିଁ। ଐତିହାସିକ ଚକ୍ରଧର ମହାପାତ୍ରଙ୍କ ଲିଖିତ ‘ରିଅଲ ବାର୍ଥ ପ୍ଲେସ୍ ଅଫ୍ ଗୌତମ ବୁଦ୍ଧ’ ପୁସ୍ତକରୁ ଜଣାଯାଏ, ଏହା ବୌଦ୍ଧ ଯୁଗ ସମୟରେ, ଅର୍ଥାତ ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଅପରପକ୍ଷେ, ମାଦଳା ପାଞ୍ଜିରେ ବର୍ଣ୍ଣିତ ହୋଇଛି, ଏହା ଦଶମ ଶତାବ୍ଦୀ ଅର୍ଥାତ ସୋମବଂଶୀ ନୃପତି ବରାହ କେଶରୀଙ୍କ ରାଜତ୍ୱ କାଳରେ ନିର୍ମାଣ କରାଯାଇଛି। ପଶ୍ଚିମବଙ୍ଗର ଐତିହାସିକ ଦିନେଶ କୁମାର ମଜୁମ୍ଦାର କହନ୍ତି, ଏହା ମରହଟ୍ଟା ସମୟର କୀର୍ତ୍ତି। ଅନ୍ୟ କେତେକ ଐତିହାସିକ ମତ ପୋଷଣ କରନ୍ତି ଯେ ମାଙ୍କଡ଼ାପଥରରେ ନିର୍ମିତ ଏହି ପୋଲଟି ବ୍ରିଟିସ୍ଶାସନ ସମୟରେ ନିର୍ମିତ। ସେହିଭଳି ଲୋକକଥା ଅନୁସାରେ, ଦ୍ବାପର ଯୁଗରେ ପାଣ୍ଡବଙ୍କ ଅଜ୍ଞାତବାସ, ପଣ୍ଡୁଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା ଭଳି ଘଟଣାର ମୂକସାକ୍ଷୀ ହେଉଛି ଏହି ସତରନଳା। କିମ୍ଭିରିଆ ନାଳ, ଜଗନ୍ନାଥ ସଡ଼କ, କୁଆଖାଇ ନଦୀ, ଚଣ୍ଡୀମନ୍ଦିର ଆଦି ଅନେକ ସ୍ଥାନର କିଂବଦନ୍ତି ସହିତ ଏହି ସତରନଳା ଜଡ଼ିତ ରହିଛି।
ଘାଟଦେବତୀରୁ ଏବେ ବାଟଦେବତୀ ମା’ ସପ୍ତସତୀ
ସଂସ୍କୃତି ଗବେଷକ ଗୋଲକବିହାରୀ ସିଂହ କହିଛନ୍ତି, ପୂର୍ବେ ନଦୀ ପାର ହୋଇ ଏକାମ୍ର କ୍ଷେତ୍ରକୁ ଆସିବା ପାଇଁ ଏହି ପୋଲ ହିଁ ଥିଲା ଏକମାତ୍ର ମାଧ୍ୟମ। ବାଲିଅନ୍ତା ଅଞ୍ଚଳର ଲୋକମାନେ ଏହି ପୋଲ ଦେଇ ଭୁବନେଶ୍ୱରକୁ ପ୍ରବେଶ କରୁଥିଲେ। ପୂର୍ବରୁ ନଦୀ ପାର ହେବା ପାଇଁ ଏଠାରେ ଘାଟ ଥିଲା ଏବଂ ମା’ ସପ୍ତସତୀ ଘାଟଦେବତୀ ଭାବେ ପୂଜା ପାଉଥିଲେ। ପୋଲ ନିର୍ମାଣ ହେବା ପରେ, ଘାଟ ବନ୍ଦ ହୋଇଯିବାରୁ ଦେବୀ ଏଠାରେ ବାଟଦେବତୀ ଭାବେ ପୂଜା ପାଇବାକୁ ଲାଗିଲେ। ସମୟକ୍ରମେ ପୋଲ ପାର୍ଶ୍ବସ୍ଥ ମୂଳ ମନ୍ଦିରରେ ପୂଜା ପାଉଥିବା ମା’ ସ୍ଥାନାନ୍ତରିତ ହୋଇ ଜାତୀୟ ରାଜପଥ ପାର୍ଶ୍ବସ୍ଥ ନୂତନ ମନ୍ଦିରରେ ପୂଜା ପାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/15/sataranala-2025-11-15-01-50-53.jpg)