କେବେ ତୁଟିବ ସତସଙ୍ଗ ଭୂତଳ ରାସ୍ତା ସମସ୍ୟା?

ବାରମ୍ବାର ମତ ବଦଳାଉଛି ଏନ୍‌ଏଚ୍‌ଏଆଇ

ଭୁବନେଶ୍ବର: ସତସଙ୍ଗ ନିକଟ ଭୂତଳ ରାସ୍ତା ନିର୍ମାଣକୁ ୫ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଏକ ସ୍ବୟଂସମ୍ପୂର୍ଣ୍ଣ ରାସ୍ତାଟିଏ ପାଇ ପାରିନାହାନ୍ତି ଭିଏସ୍‌ଏସ୍‌ ନଗରର ୧୦ଟି ମୌଜାର ବାସିନ୍ଦା। ବାସ୍ତବରେ ଭୂତଳ ରାସ୍ତା ନିକଟକୁ ଲାଗି ରହିଥିବା ପାଣି ପାଇପ୍‌ ରାସ୍ତାକୁ ସଙ୍କୁଚିତ କରୁଥିବାରୁ ଏହାକୁ ଉଠାଇବା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା। ମାତ୍ର ଏହାକୁ ନେଇ ଜାତୀୟ ରାଜପଥ କର୍ତୃପକ୍ଷ ବାରମ୍ବାର ମତ ବଦଳାଇବା ଭିଏସ୍‌ଏସ୍‌ ନଗର ବାସିନ୍ଦାଙ୍କୁ ବ୍ୟଥିତ କରିଛି। ମୁଖ୍ୟ କଥା ହେଲା କୁଆଖାଇରୁ ଭୁବନେଶ୍ବରକୁ ସଂଯୋଗ ହୋଇଥିବା ଏହି ପାଣି ପାଇପ୍‌ ଲାଇନ୍‌ ହଟାଇବା ପାଇଁ ପ୍ର‌ଥମେ ୧କୋଟି ୯୦ ଲକ୍ଷ ଟଙ୍କାର ବଜେଟ୍‌ ହୋଇଥିଲା। ପରେ ଏହା ବଢ଼ି ବଢ଼ି ୪ କୋଟି ୫୭ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ କାମ ଆରମ୍ଭ ହେଲା ନାହିଁ। କର୍ତୃପକ୍ଷ କେବେ କହିଲେ ନାଗପୁରରୁ ପାଇପ୍‌ ଆସୁଛି ତ ପୁଣି କେବେ ‌କହିଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ପାଇପ୍‌ ଆସୁଛି। ବାରମ୍ବାର ଏଇ ଆଶ୍ବାସନା ବାଣୀ ଶୁଣି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିଲା ନାହିଁ।

ଏହାର ପ୍ରତିକାର ପାଇଁ ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ଏବଂ ଭୂତଳ ରାସ୍ତା ସଂଗ୍ରାମ ସମିତି ବାରମ୍ବାର ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ଭେଟି ଏହାର ସମାଧାନ ପାଇଁ ନିବେଦନ କରିଛନ୍ତି। ଦାବିକୁ ବିଚାର କରି ଏନ୍‌ଏଚ୍‌ଏଆଇ ଅଧିକାରୀ ଏହାର ସମାଧାନ କରି ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମାତ୍ର ଏବେ ସେଇ ପାଣି ପାଇପ୍‌ ସ୍ଥାନାନ୍ତର କାମ ହେବ ନାହିଁ ବୋଲି ଜାତୀୟ ରାଜପଥ କର୍ତୃପକ୍ଷର ଅଧିକାରୀ ଇଂ ରାମପ୍ରସାଦ ପଣ୍ଡା ଶୁଣାଇ ଦେଇଥିବା କହିଛନ୍ତି ଭୂତଳ ରାସ୍ତା ସଂଗ୍ରାମ ସମିତିର ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା। ଅଧିକାରୀଙ୍କ କହିବା ମୁତାବକ, ବର୍ତମାନ ପାଣି ପାଇପ୍‌ ବଦଳିବ ନାହିଁ। ଯେବେ ବାରଙ୍ଗ-ଖୋର୍ଧା ରୋଡ୍‌ ରେଳ ଲାଇନ୍‌ ୩ ଲାଇନ୍‌ ବିଶିଷ୍ଟ ହେବ, ସେତେବେଳେ ରେଳ ବିଭାଗ ସେଇ ପାଇପ୍‌ ଉଠାଇ‌ବେ। ଏହା ଉଠାଯିବା ପରେ ସମ୍ପୃକ୍ତ ଭୂତଳ ରାସ୍ତାକୁ ସଂଯୋଗ କରିଥିବା ରାସ୍ତା ସମ୍ପ୍ରସାରିତ ହେବ। ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଏନ୍‌ଏଚ୍‌ଏଆଇର ଏଭଳି ମତ ବଦଳାଇବାକୁ ନେଇ ଇଂ ଶିବପ୍ରସାଦ ମିଶ୍ର, ମହେଶ୍ବର ବିଶ୍ବାଳ, ନିମାଇଁ ଚରଣ ଦାସ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର