ଭୁବନେଶ୍ବର: ଏମ୍ସରେ ଉଦ୍ଘାଟିତ ହେଲା ସାଟେଲାଇଟ୍ ବ୍ରେନ୍ ବ୍ୟାଙ୍କ। ନିତି ଆୟୋଗ ସଦସ୍ୟ ବିନୋଦ ପଲ ଏହାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏମ୍ସ ଅଧ୍ୟକ୍ଷ, ନିର୍ଦେଶକଙ୍କ ସହିତ ବରିଷ୍ଠ ଫାକଲ୍ଟିମାନେ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ଏମ୍ସର ବ୍ରେନ୍ ବ୍ୟାଙ୍କରେ ସ୍ନାୟୁଗତ ରୋଗ ସହିତ ମସ୍ତିଷ୍କ ସର୍ଜରି ପରେ ବାହାରୁଥିବା ଟ୍ୟୁମର, ମସ୍ତିଷ୍କ ରୋଗରେ ମୃତକ ବ୍ୟକ୍ତିଙ୍କ ମସ୍ତିଷ୍କକୁ ଏକାଠି କରି ଗବେଷଣା କରାଯିବ। ନିମହାନ୍ସ ସହାୟତାରେ କରାଯାଉଥିବା ଏହି ପ୍ରକଳ୍ପ ପୂର୍ବ ଭାରତରେ ପ୍ରଥମ। ବର୍ଷକୁ ପ୍ରାୟ ଏକ ହଜାର ବ୍ୟକ୍ତି ସ୍ନାୟୁଗତ ସମସ୍ୟା ନେଇ ଏମ୍ସକୁ ଆସିଥାଆନ୍ତି। ଏମାନଙ୍କ ମଧ୍ୟରେ ଦେଖାଯାଉଥିବା ଭୁଲିବା ରୋଗ ଏହାର ମୁଖ୍ୟ କାରଣ। ବିଭିନ୍ନ ଡାକ୍ତରଖାନାରେ ମସ୍ତିଷ୍କ ରୋଗକୁ ନେଇ ବିଶେଷ ଗବେଷଣା ହୁଏ ନାହିଁ, କେତେକ ସ୍ଥାନରେ ଟ୍ୟୁମର ସମ୍ପର୍କିତ ଗବେଷଣା ହେଉଛି।
ଏମ୍ସର ବ୍ରେନ ବ୍ୟାଙ୍କରେ ଅଣଟ୍ୟୁମର ଯଥା ଆଲଜାଇମା, ଏନକେଫେଲାଟିକ୍ସ ଆଦି ବିଭିନ୍ନ ପ୍ରକାର ରୋଗର କାରଣ, ନିରାକରଣ, ଭବିଷ୍ୟତରେ ପଦକ୍ଷେପ ସମ୍ପର୍କିତ ଗବେଷଣା ହୋଇ ପାରିବ ବୋଲି ଆଶା ରହିଛି। ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ର ଡାକ୍ତର ମସ୍ତିଷ୍କ ଗବେଷଣା ପାଇଁ ଚାହିଁଲେ ଏଠାକୁ ଆସିବେ। ଏହି ଅବସରରେ କୋଷତତ୍ବ ଲ୍ୟାବ ସୁବିଧା, ଡାଇମଣ୍ଡ ସର୍ଭିସ, ଆବାସୀୟ କ୍ବାଟରର ମଧ୍ୟ ଉଦ୍ଘାଟନ ହେଲା। ସକାଳେ ନିତି ଆୟୋଗ ସଦସ୍ୟ ପହଞ୍ଚିବା ପରେ ଏମ୍ସର ଏକାଡେମିକ, କ୍ଲିନିକାଲ ଏବଂ ଗବେଷଣା ନେଇ ସମୀକ୍ଷା କରିଥିଲେ। ଏହାପରେ ବରିଷ୍ଠ ଫାକଲ୍ଟି ଏବଂ ଅନ୍ୟ ଫାକଲ୍ଟିମାନଙ୍କ ସହିତ ପୃଥକ ଭାବରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଗବେଷଣା କ୍ଷେତ୍ରରେ ଏମ୍ସକୁ ଅନୁଦାନ ପ୍ରଦାନରେ ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି। ଏହି ଅବସରରେ ଫାକଲ୍ଟିମାନେ ପଦୋନ୍ନତି ବିବାଦ ସମ୍ପର୍କରେ ମଧ୍ୟ ଶ୍ରୀ ପଲଙ୍କୁ ଜଣାଇଥିଲେ।